କ୍ରୀଡା

ବର୍ଡର-ଗାଭାସ୍କର ସିରିଜ୍‌ରୁ ବାଦ୍ ପଡ଼ିବା ଖବରରେ କ୍ଷୁବ୍ଧ ଶାମି, କହିଲେ- ମିଛ ପ୍ରଚାର କରନ୍ତୁ ନାହିଁ

ନୂଆଦିଲ୍ଲୀ: ପୁଣି ଥରେ ଆହତ ହେବାରୁ ମହମ୍ମଦ ଶାମି ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡ଼ି ପାରନ୍ତି। ବୁଧବାର ଗଣମାଧ୍ୟମରେ ଏମିତି ଖବର ପ୍ରକାଶ ପାଇଥିଲା। ଏହି ସବୁ ଖବରକୁ ଖଣ୍ଡନ କରିଛନ୍ତି ଖୋଦ୍ ଭାରତୀୟ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି। ଗୋଇଠି ଅସ୍ତ୍ରୋପଚାର ପରେ ପୁନଃଥଇଥାନ ପ୍ରକ୍ରିୟା ଦେଇ ଗତି କରୁଥିବା ଶାମି ବୁଧବାର ମଇଦାନକୁ ପ୍ରତ୍ୟାବର୍ତ୍ତନ ନେଇ ବଡ଼ ସୂଚନା ଦେଇଛନ୍ତି।

ବୁଧବାର ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି, ଆଗାମୀ ବର୍ଡର-ଗାଭାସ୍କର ଟ୍ରଫିରୁ ସେ ବାଦ୍ ପଡ଼ୁଥିବା ଖବର ସଂପୂର୍ଣ୍ଣ ମିଥ୍ୟା। ନା ସେ ଏହି ବିଷୟରେ କିଛି କହିଛନ୍ତି ନା ବିସିସିଆଇ ପକ୍ଷରୁ ଏ ସଂପର୍କରେ କିଛି ବୟାନ ଆସିଛି।

ମହମ୍ମଦ ଶାମି କହିଛନ୍ତି, ଏହି ଧରଣର ଗୁଜବ କାହିଁକି ପ୍ରଚାର କରାଯାଉଛି ? ମୁଁ ସଂପୂର୍ଣ୍ଣ ଫିଟ୍ ହେବା ପାଇଁ ବହୁତ ପରିଶ୍ରମ କରୁଛି। ମୁଁ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡ଼ିବା ନେଇ ନା ବିସିସିଆଇ ଏବଂ ନା ମୋ ପକ୍ଷରୁ କିଛି ସୂଚନା ଦିଆଯାଇଛି। ମୁଁ ଲୋକଙ୍କୁ ଅନୁରୋଧ କରୁଛି ସେମାନେ ଏହି ପରି ବିନା ଆଧାରରେ ପ୍ରସାରିତ ଖବର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଦୟା କରି ମୋ ବୟାନ ବିନା ଏମିତି ମିଛ ଖବର ପ୍ରଚାର କରନ୍ତୁ ନାହିଁ।

ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଜରିଆରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଅକ୍ଟୋବର ୧୯ରେ ବେଙ୍ଗାଲୁରୁରୁ ଆରମ୍ଭ ହେଉଛି। ଏହା ପରେ ଦ୍ଵିତୀୟ ଟେଷ୍ଟ ଅକ୍ଟୋବର ୨୪ରେ ପୁଣେ ଓ ନଭେମ୍ବର ୧ରୁ ମୁମ୍ବାଇରେ ତୃତୀୟ ଟେଷ୍ଟ ଖେଳାଯିବ। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଶାମିଙ୍କ ଏଥିରୁ ଗୋଟିଏ ମ୍ୟାଚ୍ ଖେଳିବା ନେଇ ଆଶା କରାଯାଉଛି।

ଭାରତର ତାରକା ଦ୍ରୁତ ବୋଲର ୩୪ ବର୍ଷୀୟ ଶାମି ଅଷ୍ଟ୍ରେଲିଆ ବିପକ୍ଷ ଗତ ବର୍ଷ ନଭେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯାଇଥିବା ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରଠୁ ଦଳରୁ ବାହାରେ ଅଛନ୍ତି। ଚଳିତ ବର୍ଷ ଫେବୃଆରୀରେ ଇଂଲଣ୍ଡରେ ତାଙ୍କ ଗୋଇଠିର ସର୍ଜରୀ ହୋଇଥିଲା। ଏହା ପରେ ସେ ରିହାବ୍ ଦେଇ ଗତି କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button