ଦେଶ ବିଦେଶ

ବିମାନର ଭଙ୍ଗା ସିଟ୍‌ରେ ବସି ଦିଲ୍ଲୀ ଆସିଲେ ଶିବରାଜ ସିଂହ ଚୌହାନ: ଏୟାର ଇଣ୍ଡିଆକୁ ଜବାବ ମାଗିଲା ଡିଜିସିଏ

ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ଏକ ଭଙ୍ଗା ସିଟ୍ ତାଙ୍କୁ ଦିଆଯିବା ନେଇ ଏୟାର ଇଣ୍ଡିଆକୁ ସମାଲୋଚନା କରିବା ସହ ଏହି ସଂସ୍ଥା ଯାତ୍ରୀଙ୍କୁ ଠକୁଛି କି ବୋଲି ପ୍ରଶ୍ନ କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ମୋତେ ଭୋପାଳରୁ ଦିଲ୍ଲୀ ଆସିବାକୁ ପଡିଲା ଓ ଅନ୍ୟ କେତେକ କାର୍ଯ୍ୟକ୍ରମ ଥିଲା। ମୁଁ ଏୟାର ଇଣ୍ଡିଆ ଫ୍ଲାଇଟ୍ ନମ୍ବର ଏଆଇ୪୩୬ରେ ଟିକେଟ୍ ବୁକ୍ କରିଥିଲି, ମୋତେ ସିଟ୍ ନମ୍ବର ୮-ସି ଦିଆଯାଇଥିଲା। ମୁଁ ଯାଇ ସିଟ୍‌ରେ ବସିବା ବେଳେ ଗଳିପଡ଼ିଥିଲି କାରଣ ସିଟ୍‌ଟି ଭଙ୍ଗା ଥିଲା। ଯେତେବେଳେ ସେ ଏୟାରଲାଇନ୍ସ କର୍ମଚାରୀଙ୍କୁ ପଚାରିଲେ, ସେମାନେ କହିଥିଲେ ଯେ ସିଟ୍‌ର ଅବସ୍ଥା ବିଷୟରେ ମ୍ୟାନେଜମେଣ୍ଟ ଅବଗତ ଥିଲା ଏବଂଏହାର ଟିକେଟ୍ ବିକ୍ରି ହେବା କଥା ନୁହେଁ।

ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ତାଙ୍କ ସହଯାତ୍ରୀମାନେ ତାଙ୍କ ସହ ସିଟ୍ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ସେ ସେହି ସିଟ୍‌ରେ ରହିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଅନ୍ୟମାନଙ୍କୁ ଅସୁବିଧାରେ ପକାଇବାକୁ ଚାହି ନ ଥିଲେ। ଶିବରାଜ କହିଛନ୍ତି, ମୁଁ ମୋ ଅସୁବିଧା କଥା ଭାବୁନି, କିନ୍ତୁ ଯାତ୍ରୀମାନଙ୍କଠାରୁ ପୂରା ଟଙ୍କା ଆଦାୟ କରିବା ପରେ ତାଙ୍କୁ ଏପରି ଭଙ୍ଗା ସିଟ୍‌ ଦେଇ ଠକିବା ଉଚିତ ନୁହେଁ। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ଶିବରାଜ ସିଂହ ଚୌହାନଙ୍କୁ ହୋଇଥିବା ଅସୁବିଧା ପାଇଁ ଏୟାରଲାଇନ୍ସ ଗଭୀର ଦୁଃଖ ପ୍ରକାଶ କରିଛି। ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ ସେଥିପାଇଁ ଆମେ ଘଟଣାର ଗଭୀର ଅନୁସନ୍ଧାନ କରୁଛୁ ବୋଲି ମୁଖପାତ୍ର କହିଛନ୍ତି। ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି,  କେନ୍ଦ୍ରମନ୍ତ୍ରୀଙ୍କୁ ଭଙ୍ଗା ସିଟ୍‌ ଉପଲବ୍ଧ କରାଯିବା ପ୍ରସଙ୍ଗରେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ) ଏୟାର ଇଣ୍ଡିଆଠାରୁ ଜବାବ ମାଗିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button