ବ୍ୟବସାୟ

୩୦ରୁ କମିବ ଗ୍ୟାସ ସିଲିଣ୍ଡର ଦର, ୩୩ କୋଟି ଉପଭୋକ୍ତାଙ୍କୁ ମିଳିବ ଅଶ୍ବସ୍ତି – Utkal Mail


ରକ୍ଷାବନ୍ଧନ ଅବସରରେ ଦେଶର କୋଟି କୋଟି ଭଉଣୀଙ୍କୁ ଏହା ଏକ ଉପହାର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ରନ୍ଧନ ଗ୍ୟାସର ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଘୋଷଣା କରିଛନ୍ତି। ଆସନ୍ତାକାଲି (୩୦.୦୮.୨୦୨୩)ଠାରୁ ଦେଶର ସମସ୍ତ ବଜାରରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇବ । ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନର ସିଲିଣ୍ଡର ପିଛା ୧୧୦୩ ଟଙ୍କା ଥିବା ବେଳେ ତାହା ୯୦୩ ଟଙ୍କାକୁ ହ୍ରାସ ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରକ୍ଷାବନ୍ଧନ ଅବସରରେ ଦେଶର କୋଟି କୋଟି ଭଉଣୀଙ୍କୁ ଏହା ଏକ ଉପହାର। ଲୋକଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବା ଏବଂ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କୁ ଉପକୃତ କରିବା ଲାଗି ଆମ ସରକାର ସର୍ବଦା ଯଥାସମ୍ଭବ କାର୍ଯ୍ୟ କରିବେ ।

ଏହି ମୂଲ୍ୟ ହ୍ରାସ ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ପରିବାରକୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମଧ୍ୟ ଜାରି ରହିବ। ତେଣୁ ଏହି ମୂଲ୍ୟ ହ୍ରାସ ପରେ ପିଏମୟୁୱାଇ ପରିବାର ପାଇଁ ଦିଲ୍ଲୀରେ ସିଲିଣ୍ଡର ପିଛା ପ୍ରଭାବୀ ମୂଲ୍ୟ ୭୦୩ ଟଙ୍କା ହେବ ।

ସୂଚନାଯୋଗ୍ୟ ଯେ ୯.୬ କୋଟି ପିଏମୟୁୱାଇ ହିତାଧିକାରୀ ପରିବାର ସମେତ ଦେଶରେ ୩୧ କୋଟିରୁ ଅଧିକ ଘରୋଇ ଏଲପିଜି ଉପଭୋକ୍ତା ଅଛନ୍ତି ଏବଂ ଏହି ହ୍ରାସ ଦେଶର ସମସ୍ତ ଏଲପିଜି ଉପଭୋକ୍ତାଙ୍କୁ ଆଶ୍ବସ୍ତ କରିବ।  ନାଗରିକଙ୍କ ଉପରେ ଆର୍ଥିକ ବୋଝକୁ କମ୍ କରିବା ଏବଂ ସାଧାରଣ ପରିବାରର କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଜାରି ରହିଥିବା ପ୍ରୟାସର ଅଂଶ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି । ଦେଶର ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଏବଂ ଉଚିତ୍ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ରନ୍ଧନ ଗ୍ୟାସ ଦର ହ୍ରାସ ପ୍ରତିଫଳିତ କରିଥାଏ।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ବଜେଟ୍ ପରିଚାଳନାରେ ଦେଶର ସାଧାରଣ ପରିବାରଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ଆମେ ବୁଝିଛୁ । ରନ୍ଧନ ଗ୍ୟାସ ଦର ହ୍ରାସର ଉଦ୍ଦେଶ୍ୟ ହେଉଛି ଏସବୁ ସାଧାରଣ ପରିବାର ଏବଂ ବ୍ୟକ୍ତିବିଶେଷଙ୍କୁ ସିଧାସଳଖ ଆଶ୍ୱସ୍ତି ପ୍ରଦାନ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ସୁଲଭ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ବୃହତ ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button