ସମ୍ଭଲ ଯିବା ବାଟରେ ରାହୁଲ, ପ୍ରିୟଙ୍କାଙ୍କୁ ଅଟକାଇଲା ପୁଲିସ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଏକ କଂଗ୍ରେସ ପ୍ରତିନିଧି ଦଳ ଆଜି ହିଂସା ପ୍ରବଣ ସମ୍ଭଲ ଜିଲ୍ଲା ଗସ୍ତରେ ଯିବାବେଳେ ବାଟରେ ସେମାନଙ୍କୁ ପୁଲିସ ଅଟକାଇଥିଲା। ଫଳରେ ସେମାନେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ମଧ୍ୟରେ ଗାଜିପୁର ସୀମାରୁ ଫେରି ଆସିଥିଲେ। ପୁଲିସ ଆଜି ରାଜପଥ ଉପରେ ବ୍ୟାରିକେଡ୍ ରଖି ରାସ୍ତା ବନ୍ଦ କରିଥିଲା ଏବଂ କଂଗ୍ରେସ ଗାଡ଼ିମାଳା ଅଟକାଇବାରୁ ଅନେକ ସମୟ ଧରି ହାଇ ଭୋଲ୍ଟେଜ୍ ଡ୍ରାମା ଚାଲିଥିଲା।
ରାହୁଲ, ପ୍ରିୟଙ୍କା ଏବଂ ଅନ୍ୟ ବରିଷ୍ଠ ନେତାମାନେ ସେଠାରେ ବରିଷ୍ଠ ପୁଲିସ ଅଫିସରମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନଙ୍କୁ ଆଗକୁ ଯିବାପାଇଁ ଅନୁମତି ମିଳିନଥିଲା। ଫଳରେ ସେମାନେ ଗାଜିପୁର ସୀମାରୁ ଫେରି ଆସିଥିଲେ। ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ କହିଛନ୍ତି, ପୁଲିସ କାର୍ଯ୍ୟାନୁଷ୍ଠାନ ତାଙ୍କ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ କରୁଛି। ବିଜେପି ସତ୍ୟ ଏବଂ ଭାଇଚାରା ବାର୍ତ୍ତାକୁ ଚପାଇବାପାଇଁ ପୁଲିସକୁ ବ୍ୟବହାର କରୁଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପୁଲିସ ଆମକୁ ସମ୍ଭଲ ଯିବାପାଇଁ ଦେଲାନି। ବିରୋଧୀ ଦଳ ନେତା ଭାବେ ସମ୍ଭଲ ଯିବା ମୋର ଅଧିକାର ଏବଂ କର୍ତ୍ତବ୍ୟ। ମୁଁ ଏକା ଯିବାପାଇଁ ବି ପ୍ରସ୍ତୁତ ଅଛି। କିନ୍ତୁ ସେମାନେ ଏଥିରେ ବି ରାଜି ହେଲେନାହିଁ। ଏହା ସମ୍ବିଧାନ ବିରୋଧୀ ବୋଲି ରାହୁଲ କହିଛନ୍ତି।