ଦେଶ ବିଦେଶ

ନିଜ ଜୀବନକୁ ବାଜି ଲଗାଇ ବାଘ ମୁହଁରୁ ସାନଭାଇକୁ ଟାଣି ଆଣିଲା ଭଉଣୀ – Utkal Mail


ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୌଡି ଜିଲ୍ଲାର ଭଟୋଲି ଗାଁରେ ଜଣେ ଭଉଣୀ ବାଘ ମୁହଁରୁ ତାର ଭାଇକୁ ଟାଣି ଆଣି ଜୀବନ ବଞ୍ଚାଇଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାପରେ ୧୦ବର୍ଷର ଝିଅକୁ ଗ୍ରାମବାସୀ ଭୁରିଭୁରି ପ୍ରଶଂସା କରୁଛନ୍ତି।

ସୂଚନାଯୋଗ୍ୟ, ଭଟୋଲି ଗାଁରେ ପ୍ରିୟାଂଶି ତାଙ୍କ ପରିବାର ସହିତ ବସବାସ କରନ୍ତି। ସବୁଦିନ ପରି ଗତକାଲି ସେ ତାଙ୍କର ୭ ବର୍ଷର ଭାଇ ପ୍ରିନ୍ସ ସହ ଘର ଅଗଣାରେ ପାଠ ପଢ଼ୁଥିଲେ। ଏହି ସମୟରେ ତାଙ୍କୁ କିଛି ଠିକ ଲାଗି ନଥିଲା। ତେଣୁ ସେ ପୂର୍ବରୁ ହିଁ ସତର୍କ ହୋଇଯାଇଥିଲେ। ଦେଖୁଦେଖୁ ଏକ ବାଘ ଆସି ତାଙ୍କ ଭାଇ ପ୍ରିନ୍ସ ପିଠି ଉପରକୁ ଝାମ୍ପ ପକାଇଥିଲା। ଏହା ଦେଖି ପ୍ରିୟାଂଶି ପୂର୍ବରୁ ପ୍ରସ୍ତୁତ ଥିବାରୁ ସେ ଏକ ବାଡ଼ିରେ ବାଘକୁ ମାଡ଼ ମାରିବା ସହିତ ନିଜ ଜୀବନକୁ ବାଜି ଲଗାଇ ଭାଇକୁ ବାଘ ଝାମ୍ପରୁ ଟାଣି ଆଣିଥିଲେ।

ଘର ଅଗଣାରେ ଭାଇଭଉଣୀଙ୍କ କାନ୍ଦ ଶୁଣି ପରିବାର ଓ ପଡ଼ିଶା ଲୋକ ଧାଇଁ ଆସିଥିଲେ। ଲୋକଙ୍କ ଗହଳି ଦେଖି ବାଘ ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ଚାଲି ଯାଇଥିଲା। ତେବେ ବାଘ ଆକ୍ରମଣରେ ପ୍ରିନ୍ସ ଆହତ ହୋଇଥିବା ଦେଖି ପରିବାରଲୋକେ ପୁଅକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ କିଛି ଔଷଧ ଦେଇ ଡାକ୍ତର ପ୍ରିନ୍ସକୁ ଘରକୁ ପଠାଇ ଦେଇଥିଲେ।

ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖୁଛନ୍ତି। ଏଥିସହିତ ବନକର୍ମଚାରୀ ପ୍ରିନ୍ସଙ୍କ ପରିବାରକୁ କିଛି ଆର୍ଥିକ ସାହାଯ୍ୟ କରିବେ ବୋଲି ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button