ଟଙ୍କା ଠୁଳ ମାମଲା: ଜଷ୍ଟିସ୍ ବର୍ମାଙ୍କ ବାସଭବନରେ ଦିଲ୍ଲୀ ପୁଲିସ, ଷ୍ଟୋର୍ରୁମ୍ ସିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ନେଇ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ଡିସିପି ଦେବେଶ କୁମାର ମାହଲାଙ୍କ ନେତୃତ୍ବରେ ଜଣେ ଏସିପି, ପୁଲିସ ଟିମ୍ ଓ କ୍ୟାମେରା ଟିମ୍ ଆଜି ଜଷ୍ଟିସ୍ ବର୍ମାଙ୍କ ବାସଭବନରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ସୂତ୍ରରୁ ପ୍ରକାଶ ଯେ ନିଆଁ ଲାଗିଥିବା ସ୍ଥାନର ଯାଞ୍ଚ ଆରମ୍ଭ ହୋଇଛି ଏବଂ ଯେଉଁ ଷ୍ଟୋର୍ରୁମ୍ରୁ ଟଙ୍କା ଠାବ ହୋଇଥିଲା ତାହାକୁ ସିଲ୍ କରାଯାଇଛି।
ତଦନ୍ତକାରୀ ଦଳ ବିଚାରପତିଙ୍କ ବାସଭବନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରିବେ ବୋଲି ଜଣାପଡ଼ିଛି। ଗତ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନ ବିଚାରପତି ଅଭିଯୋଗର ଆଭ୍ୟନ୍ତରୀଣ ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରିଥିଲେ। ଏହି ଘଟଣାରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିକେ ଉପାଧ୍ୟାୟଙ୍କ ତଦନ୍ତ ରିପୋର୍ଟ ମଧ୍ୟ ସୁପ୍ରିମ୍କୋର୍ଟ ୱେବ୍ସାଇଟ୍ରେ ଅପଲୋଡ କରାଯାଇଛି। ଏହି ତଦନ୍ତ ରିପୋର୍ଟ ସହିତ ନଗଦ ଟଙ୍କାର ଫଟୋ ଓ ଭିଡିଓ ମଧ୍ୟ ସାର୍ବଜନୀନ ହୋଇଛି। ଅନ୍ୟପକ୍ଷରେ ଜଷ୍ଟିସ ବର୍ମା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ କେବେ ବି ଷ୍ଟୋର୍ରୁମରେ ନଗଦ ଟଙ୍କା ରଖିନଥିଲେ।
ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରୁ ଅର୍ଦ୍ଧଦଗ୍ଧ ଟଙ୍କା ଜବତ ମାମଲାରେ ଦିଲ୍ଲୀ ପୁଲିସକୁ ଏଫ୍ଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ହୋଇଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ ଆଜି ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ଏହି ମାମଲାର ତଦନ୍ତ ଗତକାଲିଠାରୁ ଆରମ୍ଭ କରିଛନ୍ତି । ତିନି ଜଣ ବିଚାରପତି ଗତକାଲି ଅପରାହ୍ନରେ ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ସେଠାରେ ସେମାନେ ପ୍ରାୟ ୪୫ ମିନିଟ୍ ରହିଥିଲେ। ଆଜି ହଠାତ୍ ପୁଲିସ ସକ୍ରିୟ ହେବା ପରେ ଏହି ମାମଲାରେ ନୂଆ ମୋଡ଼ ଆସିଛି।