ଦେଶ ବିଦେଶ

ହିନ୍ଦୁ ସାମ୍ବାଦିକାଙ୍କୁ ଘେରିଗଲେ ମୌଳବାଦୀ: ଭାରତ ସମର୍ଥକ ଦର୍ଶାଇ ଆକ୍ରମଣ ଉଦ୍ୟମ

ଢାକା: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଜାରି ରହିଥିବା ବେଳେ ଗତରାତିରେ ଉତ୍ତ୍ୟକ୍ତ ଜନତା ଜଣେ ମହିଳା ହିନ୍ଦୁ ସାମ୍ବାଦିକ ମୁନ୍ନି ଶାହଙ୍କୁ ଘେରାଉ କରିବା ଏବଂ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ କରି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ପୁଲିସ ଠିକ୍‌ ସମୟରେ ପହଞ୍ଚି ମୁନ୍ନିଙ୍କୁ ଉଦ୍ଧାର କରିଥିବାରୁ ସେ ରକ୍ଷା ପାଇଯାଇଛନ୍ତି। ମୁନ୍ନି ଶାହ ଜଣେ ଭାରତ ସମର୍ଥକ ଏବଂ ସେ ବାଂଲାଦେଶକୁ ଭାରତର ଏକ ଅଂଶ କରିବା ପାଇଁ କାମ କରୁଥିବା ଅଭିଯୋଗ କରି ଇସ୍‌ଲାମିକ କଠୋରପନ୍ଥୀମାନେ ତାଙ୍କୁ ଘେରିଯାଇଥିଲେ।

ଶ୍ରୀମତୀ ଶାହ ‘ଏହା ମଧ୍ୟ ମୋ ଦେଶ ଏବଂ ମୁଁ ଦେଶର ସ୍ବାର୍ଥ ପାଇଁ ହିଁ କାମ କରୁଛି’ ବୋଲି ବାରମ୍ବାର କହିବା ସତ୍ତ୍ବେ ଉଗ୍ର ଭିଡ଼ ତାଙ୍କୁ ଅନେକ ସମୟ ଧରି ଘେରାଉ କରି ରଖିଥିଲା। ବାଂଲାଦେଶ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଠାରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ସମୟରେ ଜଣେ ଛାତ୍ରଙ୍କ ମୃତ୍ୟୁ ମାମଲାରେ ସାମ୍ବାଦିକା ଶାହଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ପୁଲିସ କହିଛି, ଶ୍ରୀମତୀ ଶାହଙ୍କୁ ଢାକାର କାଉରାନ ବଜାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ବିରୋଧରେ ପୂର୍ବରୁ ରହିଥିବା ମାମଲା ପାଇଁ ତାଙ୍କୁ କୋର୍ଟରୁ ଜାମିନ ନେବାକୁ ହେବ ଏବଂ ସମନକୁ ଗ୍ରହଣ କରିବାକୁ ପଡ଼ିବ। ଏବେ ଭାଇରାଲ ହୋଇଥିବା ଏକ ଭିଡିଓରେ ମୁନ୍ନି ଶାହଙ୍କୁ ଭିଡ଼ ଘେରି ରହିଥିବା ଏବଂ ତାଙ୍କୁ ଦେଶ ବିରୋଧୀ ଦର୍ଶାଇ ବିଭିନ୍ନ ପ୍ରଶ୍ନ କରାଯାଉଥିବା ଦେଖିବାକୁ ମିଳିଛି। ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରି ହିଂସା ଓ ଅତ୍ୟାଚାର ବଢ଼ିଚାଲିଥିବା ବେଳେ ଏହି ଘଟଣା ନେଇ ବିଭିନ୍ନ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button