ଆସନ୍ତାକାଲି ଠାରୁ ୫୦ଟଙ୍କାରୁ କମ ମୂଲ୍ୟରେ ଗ୍ରାହକ ଟମାଟୋ କ୍ରୟ କରିପାରିବେ – Utkal Mail
ନୂଆଦିଲ୍ଲୀ: ଟମାଟୋ ଦର ଆକାଶଛୁଆଁ ହେବାପରେ ଲୋକେ ଏହାକୁ ଖାଦ୍ୟରେ ବ୍ୟବହାର କରିବା ଛାଡ଼ି ଦେଇଛନ୍ତି। ତେବେ କେବେ ଏହାର ଦର କମିବ ସେନେଇ ଗ୍ରାହକ ଚାତକ ପକ୍ଷୀ ଭଳି ଜଗି ରହିଛନ୍ତି। ଚଳିତ ବର୍ଷ ଟମାଟୋର ମୂଲ୍ୟ କିଲୋଗ୍ରାମ ପ୍ରତି ୩୦୦ଟଙ୍କାରେ ପହଞ୍ଚିଥିଲା। ତେବେ କେନ୍ଦ୍ରସରକାର ଟମାଟୋ ଗ୍ରାହକଙ୍କୁ ଖୁସି ଖବର ଦେଇଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ଅଗଷ୍ଟ ୨୦ରୁ ଟମାଟୋ କିଲୋ ୪୦ ଟଙ୍କାରେ ମିଳିବ। କାରଣ ଏନସିସିଏଫ ଓ ନାଫେଡକୁ ମନ୍ତ୍ରଣାଳୟ ପକ୍ଷରୁ ପୁରୁଣା ଦାମରେ ଟମାଟୋ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଏବେ ସାଧାରଣ ବଜାରରେ ଟମାଟୋର ଦାମ ୫୦-୬୦ ଟଙ୍କା ରହିଛି। ମଣ୍ଡି ବିଶେଷଜ୍ଞ କହିଛନ୍ତି ଯଦି ବର୍ଷା ଜାରି ରହେ ତେବେ ପୁଣିଥରେ ଟମାଟୋ ଦର ବୃଦ୍ଧି ପାଇପାରେ। ଦିଲ୍ଲୀ ମଣ୍ଡିରେ ଏବେ ଟମାଟୋ କିଲୋପ୍ରତି ୬୦ ଟଙ୍କା ଦାମରେ ବିକ୍ରି କରାଯାଉଛି। ହେଲେ ନୋଏଡାରେ ଏବେବି ଟମାଟୋ କିଲୋପ୍ରତି ଦାମ ୮୦ ଟଙ୍କା ରହିଛି। ଧୀରେଧୀରେ ଏହି ଦର ହ୍ରାସ ପାଇବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ଗ୍ରାହକ ପୂର୍ବ ପରି ଶସ୍ତା ମୂଲ୍ୟରେ ଟମାଟୋ କିଣିବାକୁ ସକ୍ଷମ ହେବେ। କେବଳ ୪୦ଟଙ୍କା ମୂଲ୍ୟରେ ଟମାଟୋ ବିକ୍ରୟ କରିବାକୁ ସମବାୟ ସମିତିକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୪ ତାରିଖରୁ ଦିଲ୍ଲୀ-ଏନସିଆରରେ ଶସ୍ତାରେ ଟମାଟୋ ବିକ୍ରି ହେବା ଆରମ୍ଭ ହୋଇଥିଲା। ଜୁଲାଇ ୧୪ରୁ ଏଯାବତ ଏନସିସିଏଫ ଓ ନାଫେଡ ୧୫ଲକ୍ଷ କିଲୋ ଟମାଟୋ ଖୁଚୁରା ବଜାରେ ବିକ୍ରି କରିଥିବା ରିପୋର୍ଟ ରହିଛି।