କ୍ରାଇମ

ଜଙ୍ଗଲରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ: ଝୁଲନ୍ତା ଶବ, କିନ୍ତୁ ହତ୍ୟା ସନ୍ଦେହ – Utkal Mail


ଋଣକୁ ନେଇ ଚାପରେ ଥିଲେ, ପାରିପାର୍ଶ୍ବିକ ସ୍ଥିତି ବଢ଼ାଉଛି ସନ୍ଦେହ

ଭୁବନେଶ୍ବର: ଜାମୁକୋଳି ନିକଟସ୍ଥ ଜଙ୍ଗଲରୁ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସେ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଅରୁଆବାଡ଼ ଅଞ୍ଚଳର ସନ୍ତୋଷ କୁମାର ଅଗସ୍ତି (୪୧)। ସେ ଏଠାରେ ଝାରପଡ଼ା ବୈରାଗୀ ଭିଲ୍ଲାରେ ଭଡ଼ାରେ ରହୁଥିଲେ। ଏନେଇ ଏୟାରଫିଲ୍ଡ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଇଛି।

ସୂଚନା ମୁତାବକ, ଆଜି, ଅର୍ଥାତ୍‌ ସୋମବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଜାମୁକୋଳି ଅଞ୍ଚଳର ଜଣେ ବ୍ୟକ୍ତି ପ୍ରାତଃଭ୍ରମଣରେ ଜଙ୍ଗଲକୁ ଯାଇଥିବା ବେଳେ ଏକ ଗଛଠାରୁ କିଛି ଦୂରରେ ଏକ ସ୍କୁଟି ଥିବା ଦେଖିଥିଲେ। ଏତେ ସକାଳୁ ଜଙ୍ଗଲ ଭିତରେ କିଏ ସ୍କୁଟି ରଖିଛି ଭାବି ସେଠାକୁ ଯାଇଥିଲେ। ହେଲେ କେହି ନଥିବାରୁ ଏପଟ ସେପଟ ଦେଖିଥିଲେ। ତଳେ ଜୋତା ପଡ଼ିଥିଲା। ସେ ଏତେତେଣେ ଚାହିଁବା ଭିତରେ ଜଣେ ବ୍ୟକ୍ତି ଏକ ରଶିରେ ଝୁଲି ଥିବା ଦେଖି ଚମକି ପଡ଼ିଥିଲେ। ସେଠାରୁ ଚାଲିଆସି ସେ ସ୍ଥାନୀୟଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ଖବରପାଇ ଏୟାରଫିଲ୍ଡ ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ପୁଲିସ ସେଠାରୁ ପାଇଥିବା ଦୁଇଟି ମୋବାଇଲ୍‌ରୁ ତାଙ୍କର ଠିକଣା ଠାବ କରିଥିଲା। ଏହାପରେ ପରିବାରଲୋକଙ୍କ ସହ ଯୋଗାଯୋଗ କରିଥିଲା। ସନ୍ତୋଷଙ୍କ ବଡ଼ ଭାଇ ସଞ୍ଜୟ ଅଗସ୍ତିଆ ସେଠାରେ ପହଞ୍ଚିବା ପରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଥିଲା। ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ତା’କୁ ଆତ୍ମହତ୍ୟାର ରୂପଦେବାକୁ ଚେଷ୍ଟା କରିଛି- ଏହି ରହସ୍ୟର ସମାଧାନ ବର୍ତ୍ତମାନ ପୁଲିସର ପ୍ରଥମ କାମ ହୋଇ ଯାଇଛି। ପୁଲସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟ ପଛର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୁଲିସ କହିଛି।

ଋଣକୁ ନେଇ ଚାପରେ ଥିଲେ
ତଦନ୍ତ ବେଳେ ଜଣା ପଡ଼ିଛି ଯେ ସନ୍ତୋଷ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଥିବାବେଳେ ପତ୍ନୀଙ୍କ ସହ ଝାରପଡ଼ା ବୈରାଗୀ ଭିଲ୍ଲାରେ ରହୁଥିଲେ। ତେବେ ସେ ୧୦.୫ ଲକ୍ଷର ଏକ ବ୍ୟାଙ୍କ ଲୋନ ସାଙ୍ଗକୁ କାର୍‌ ଋଣ ନେଇ ଚାପରେ ଥିଲେ। ଏମିତିକି କିଛିମାସ ତଳେ ଚାକିରିରୁ ଇସ୍ତଫା ଦେଇଥିଲେ। ମାନସିକ ଚାପରେ ରହୁଥିବା ସନ୍ତୋଷ ରବିବାର ଦିନ ପାଖାପାଖି ୧୨ଟା ସମୟରେ ଘରୁ ସ୍କୁଟି ଧରି ବାହାରକୁ ଆସିଥିଲେ। ହେଲେ ଆଉ ଫେରିନଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପତ୍ନୀଙ୍କ ଠାରୁ ଆରମ୍ଭ କରି ଭାଇ, ସମ୍ପର୍କୀୟ, ସାଙ୍ଗ ଯେତେ ଫୋନ୍‌ କରିଥିଲେ ମଧ୍ୟ ସେ କାହାରି ଫୋନ୍‌ ଉଠାଇନଥିଲେ। ଫୋନ୍‌ ନଉଠାଇବା, ଘରକୁ ନଫେରିବା ପରିବାର ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା। ସେମାନେ ଯେତେ ଖୋଜାଖୋଜି କରିଥିଲେ ବି ତାଙ୍କର ଖୋଜଖବର ମିଳିନଥିଲା। ତେଣୁ ଏନେଇ ପରିବାରଲୋକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

ପାରିପାର୍ଶ୍ବିକ ସ୍ଥିତି ବଢ଼ାଉଛି ସନ୍ଦେହ
ରବିବାର ଦିନ ୧୨ଟାରେ ଘରୁ ବାହାରକୁ ଆସିଥିବା ସନ୍ତୋଷଙ୍କର ମୃତଦେହ ୧୮ ଘଣ୍ଟା ପରେ ମିଳିବା ଘଟଣାକୁ ପରିବାର‌ ଲୋକ ସହଜରେ ଗ୍ରହଣ କରିପାରି ନାହାନ୍ତି। ପୁଣି ପାରିପାର୍ଶ୍ବିକ ସ୍ଥିତି ସନ୍ଦେହକୁ ଆହୁରି ବଢ଼ାଇଛି। କାରଣ ତାଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ପାଟି, କାନ ଓ ନାକରୁ ରକ୍ତ ସ୍ରାବ ହୋଇଛି। ସେହିପରି ସ୍କୁଟି ଗୋଟିଏ ସ୍ଥାନରେ ପଡ଼ିଥିବା ବେଳେ ଜୋତା ଅନ୍ୟସ୍ଥାନରେ ପଡ଼ିଛି। ମୋବାଇଲ୍‌ ସ୍କୁଟି ନିକଟରେ ରହିଛି। ସେ ଯଦି ଆତ୍ମହତ୍ୟା କରିଛନ୍ତି, ତେବେ କିଭଳି ତାଙ୍କ ଶରୀରରେ କ୍ଷତ ସୃଷ୍ଟି ହେଲା? ରକ୍ତ ସ୍ରାବ ମାଡ଼ ଚାପରେ ‌ହୋଇଛି ନା ଅନ୍ୟ କୌଣସି କାରଣ ରହିଛି? ଏହାଛଡ଼ା ଘର ଠାରୁ ଏତେ ଦୂରକୁ ଆସି ଆତ୍ମହତ୍ୟା କରିବାର କାରଣ କ’ଣ ହୋଇପାରେ? ତାହା ପୁଣି ଜଙ୍ଗଲ ଭିତରେ! ଏ ସମସ୍ତ ଦିଗକୁ ଦେଖିଲେ ଘଟଣା ରହସ୍ୟଜନକ ଲାଗୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button