ବ୍ୟବସାୟ

ଫୋର୍ବସ ଧନୀ ତାଲିକା: ଶୀର୍ଷରେ ବର୍ନାର୍ଡ଼ ଅରନଲ୍ଟ – Utkal Mail


ନୂଆଦିଲ୍ଲୀ: ଫୋର୍ବ ପକ୍ଷରୁ ଚଳିତବର୍ଷ ୨୦୨୩ ପାଇଁ ବିଶ୍ବର ଧନୀ ତାଲିକା ପ୍ରକାଶ କରାଯାଇଛି। ଚଳିତବର୍ଷ ଧନୀ ତାଲିକାର ଶୀର୍ଷରେ ଫ୍ରାନ୍ସ କମ୍ପାନି ଏଲଭିଏମ୍‌ଏଚ୍‌ (ଲୁଇ ଭୁଟୋ ମୋ‌ଏଟ ହେନେସିର ସିଇଓ ବର୍ନାର୍ଡ଼ ଅରନଲ୍ଟ ରହିଛନ୍ତି। ଗତବର୍ଷ ତାଲିକାର ଶୀର୍ଷରେ ଆମେରିକୀୟ ଉଦ୍ୟୋଗୀ ତଥା ଟେସଲାର ପ୍ରତିଷ୍ଠାତା ଏଲନ ମସ୍କ ଥିଲେ। କିନ୍ତୁ ଚଳିତବର୍ଷ ସେ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି। ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଭାରତର ଶୀର୍ଷ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏହି ତାଲିକାର ନବମ ସ୍ଥାନରେ ରହିଛନ୍ତି। ଫୋର୍ବସ ଅନୁଯାୟୀ, ଅରନଲ୍ଟଙ୍କ ନିଟ୍ ସଂପତ୍ତି ୨୧୧ ବିଲିଅନ ଡଲାର (ପ୍ରାୟ ୧୭.୫୩ ଲକ୍ଷ କୋଟି ଟଙ୍କା) ରହିଛି। ସେହିଭଳି ଏଲନ ମସ୍କଙ୍କ ନିଟ୍ ସଂପତ୍ତି ୧୮୦ ବିଲିଅନ ଡଲାର (ପ୍ରାୟ ୧୪.୯୬ ଲକ୍ଷ କୋଟି ଟଙ୍କା) ରହିଛି। ଜେଫ ବେଜୋସଙ୍କ ସଂପତ୍ତି ୯.୪୭ ଲକ୍ଷ କୋଟି ରହିଛି। ମୁକେଶ ଅମ୍ବାନିଙ୍କ ସଂପତ୍ତି ୮୩.୪ ବିଲିଅନ ଡଲାର (ପ୍ରାୟ ୬.୯୩ ଲକ୍ଷ କୋଟି)ବୋଲି ଆକଳନ କରାଯାଇଛି। ତେବେ ଆଦାନି ଗ୍ରୁପ ମୁଖ୍ୟ ଗୌତମ ଆଦାନିଙ୍କ ସଂପତ୍ତି ୪୭.୨ ବିଲିଅନ ଡଲାର (୩.୯୨ ଲକ୍ଷ କୋଟି ଟଙ୍କା) ଥିବାବେଳେ ଧନୀ ତାଲିକାରେ ସେ ୨୪ତମ ସ୍ଥାନରେ ରହିଛନ୍ତି। ଏଥିସହିତ ଶିବ ନାଦର, ସାଇରସ ପୁନାୱାଲା, ଲକ୍ଷ୍ମୀ ମିତ୍ତଲ, ସାବିତ୍ରୀ ଜିନ୍ଦଲ, ଦିଲୀପ ସାଂଘଭି, ରାଧାକୃଷ୍ଠ ଦମାନି ମଧ୍ୟ ଫୋର୍ବସ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି।

ତେବେ ଫୋର୍ବସର ବିଶ୍ବ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ଓରାକଲର ସହ ପ୍ରତିଷ୍ଠାତା ଲ୍ୟାରି ଏଲିସନ ଅଛନ୍ତି। ତାଙ୍କର ନିଟ୍ ସଂପତ୍ତି ୮.୮୯ ବିଲିଅନ ଡଲାର ରହିଛି। ତାଙ୍କ ପଛକୁ ବର୍କସାୟର ହାଥୱେର ୱାରେନ ବଫେ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କର ନିଟ୍ ସଂପତ୍ତି ୮.୮୧ ବିଲିଅନ ଡଲାର ରହିଛି। ୮.୬୪ ବିଲିଅନ ଡଲାର ସଂପତ୍ତି ସହିତ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିଭଳି ୭.୮୫ ବିଲିଅନ ଡଲାର ସଂପତ୍ତି ସହିତ ବ୍ଲୁମବର୍ଗ ଏଲ୍‌ପିର ମାଇକେଲ ବ୍ଲୁମବର୍ଗ ସପ୍ତମ, ମେକ୍ସିକୋର ଟେଲିକମ ଉଦ୍ୟୋଗୀ କାର୍ଲୋସ ସ୍ଲିମ ୭.୭୩ ବିଲିଅନ ଡଲାର ସଂପତ୍ତି ସହ ଅଷ୍ଟମ, ମୁକେଶ ଅମ୍ବାନି ୬.୯୩ ବିଲିଅନ ଡଲାର ସଂପତ୍ତି ସହ ନବମ ଏବଂ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ଷ୍ଟିଭ ବାଲମର ୬.୭୦ ବିଲିଅନ ଡଲାର ସଂପତ୍ତି ସହିତ ଦଶମ ସ୍ଥାନରେ ରହିଛନ୍ତି।

ଗତବର୍ଷ ତୁଳନାରେ ଚଳିତବର୍ଷ ବିଶ୍ବରେ ବିଲିୟନେୟାରଙ୍କ ସଂଖ୍ୟା ହ୍ରାସ ପାଇଛି। ୨୦୨୨ରେ ବିଶ୍ବରେ ୨୬୬୮ ଜଣ ବିଲିୟନେୟାର ଥିଲେ। ଚଳିତବର୍ଷ ଏମାନଙ୍କ ସଂଖ୍ୟା ୨୬୪୦ ରହିଛି। ଏମାନଙ୍କର ମୋଟ ନିଟ୍ ସଂପତ୍ତି ୧୨.୨ ଟ୍ରିଲିଅନ ଡଲାର ରହିଛି ଯାହାକି ୨୦୨୨ରେ ୧୨.୭ ଟ୍ରିଲିଅନ ଡଲାର ରହିଥିଲା।
ଧନୀ ତାଲିକା ରୢାଙ୍କିଂରେ ଚଳିତବର୍ଷ ୧୫୦ ନୂଆ ଚେହେରା ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଫେସନ ଡିଜାଇନର ଟମ୍ ଫୋର୍ଡ ଏବଂ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ରହିଛନ୍ତି। ଧନୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୧୩ ପ୍ରତିଶତ ରହିଛି, ଯାହାକି ୨୦୨୨ରେ ୧୨ ପ୍ରତିଶତ ରହିଥିଲା। ଆମେରିକାରେ ସବୁଠୁ ଅଧିକ ୭୩୬ ଜଣ ବିଲିୟନେୟାର ଥିବାବେଳେ ଚୀନରେ ୫୬୨ ଜଣ ବିଲିୟନେୟାର ଅଛନ୍ତି। ଏହି ତାଲିକା ପାଇଁ ୨୦୨୩ ମାର୍ଚ୍ଚର ଷ୍ଟକ ମୂଲ୍ୟ ଓ ମୁଦ୍ରାର ବିନିମୟ ମୂଲ୍ୟ ବିଚାରକୁ ନିଆଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button