ଓଡିଶା

ମହାପ୍ରଭୁଙ୍କ ନୀତିକାନ୍ତିର ସିଧା ପ୍ରସାରଣ ଉପରେ କଟକଣା

ପୁରୀ : ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତିର ସିଧା ପ୍ରସାରଣ ଉପରେ ଲାଗିବ କଟକଣା। ସେଥିରେ ବ୍ୟବସାୟୀକରଣ ଏବଂ ଅପପ୍ରଚାରକୁ ରୋକିବା ପାଇଁ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ବାର ସମ୍ମୁଖରେ କେତେକ ଘରୋଇ ଟିଭି ଚାନେଲ ପ୍ରତ୍ୟେକ ଦିନ ଠାକୁରଙ୍କ ନୀତିକାନ୍ତିର ପ୍ରସାରଣ କରୁଛନ୍ତି। ଏଥିଯୋଗୁ ସେଠାରେ ଲୋକଙ୍କ ଅଯଥା ଭିଡ଼ ହେବାସହ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଗୁରୁବାର ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ତେଣୁ ଏଭଳି ଅନଧିକାର କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ ନିର୍ଦେଶ ଦେଇଛନ୍ତି। ଜିଲାପାଳ ତଥା ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ମହାପ୍ରଭୁଙ୍କ ନୀତିର ପ୍ରସାରଣ ନାଁରେ କେତେକ ଟିଭି ଚ୍ୟାନେଲ ବେପାର କରିବା ସହ ଅପପ୍ରଚାର କରୁଥିବା ସେ କହିଛନ୍ତି। ଶ୍ରୀ ପତିତପାବନଙ୍କ ନୀତିର ସିଧାପ୍ରସାରଣ ନିମନ୍ତେ କିଛି ଟିଭି ଚ୍ୟାନେଲ୍ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି।

କେତେକ ଚ୍ୟାନେଲ୍ ପ୍ରତିଦିନ ସିଂହଦ୍ଵାର ଅରୁଣ ସ୍ତମ୍ଭ ନିକଟରେ କ୍ୟାମେରା ୟୁନିଟ୍ ସ୍ଥାପନା କରି ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରୁଛନ୍ତି। ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିଗୋଚର ହୋଇଛି। ସକାଳ ଦ୍ବାରଫିଟା ଏବଂ ପତିତପାବନଙ୍କ ଆଳତି ଠାରୁ ଆରମ୍ଭ କରି ଅପରାହ୍ଣ ଧ୍ବଜା ବନ୍ଧାର ସିଧା ପ୍ରସାରଣ କରାଯାଉଛି। ବହୁ ସଂଖ୍ୟକ ଭକ୍ତ ସିଧାପ୍ରସାରଣରେ ଭାଗ ନେବା ସହ ସେଠାରେ ଛିଡ଼ା ହୋଇ ରହୁଛନ୍ତି।

ଏଥିଯୋଗୁ ସେଠାରେ ଅନେକ ସମୟରେ ଭିଡ ହେବାସହ ଭକ୍ତ ଓ ସେବାୟତଙ୍କ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେଉଛି। ଛୁଟିଦିନ ଗୁଡିକରେ ଏହି ସମସ୍ୟା ଆହୁରି ଜଟିଳ ହେଉଛି। ସିଧା ପ୍ରସାରଣରେ ମଧ୍ୟ ଅନେକ ସମୟରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତର ଭାବେ ଗ୍ରହଣ କରିଛି।

ମହାପ୍ରଭୁଙ୍କ ମହିମାର ପ୍ରଚାର ପ୍ରସାର କରିବା ପରିବର୍ତ୍ତେ ଅପପ୍ରଚାର କରୁଛନ୍ତି। ତେଣୁ ଏହାକୁ ବନ୍ଦ କରିବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଏହାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଜିଲାପାଳ ତଥା ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତିକାନ୍ତିର ସିଧା ପ୍ରସାରଣ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ ପାଢ଼ୀ କହିଛନ୍ତି। ସେପର୍ଯ୍ୟନ୍ତ ସିଂହଦ୍ଵାର ସମ୍ମୁଖରେ ଅନଧିକାର ଭାବେ ସିଧା ପ୍ରସାରଣ ବନ୍ଦ ପାଇଁ ସେ ନିର୍ଦେଶ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button