ଓଡିଶା

ବିକାଶ ନାଁରେ ୨ କୋଟିରୁ ଅଧିକ ଦୁର୍ନୀତି: ମନ୍ତ୍ରୀଙ୍କ ଅନୁଧ୍ୟାନ ପରେ ତଦନ୍ତ ନିର୍ଦ୍ଦେଶ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଢୁଙ୍କାପଡ଼ା ପଞ୍ଚାୟତରେ ବିଭିନ୍ନ ଯୋଜନାରେ ବିକାଶ ନାଁରେ ୨ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ଆସିବା ପରେ ହଟଚମଟ ସୃଷ୍ଟି ହୋଇଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଭିଯୋଗ ପାଇବା ପରେ ସେ ନିଜେ ବିଭାଗୀୟ ଅଧିକାରୀମାନଙ୍କ ସହ ଗ୍ରାଉଣ୍ଡ୍‌ ଜିରୋରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରୀ ଉପରେ ମନ୍ତ୍ରୀ ତଥ୍ୟ ସଂଗ୍ରହ କରିବା ସହ ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଟିକିନିଖି ଆଲୋଚନା କରିଥିଲେ। ପରେ ଏନେଇ ଜିଲ୍ଲାପାଳ ଦିବ‌୍ୟଜ୍ୟୋତି ପରିଡ଼ାଙ୍କୁ ‌ସେ ଅବଗତ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲାପାଳ ବି ସମସ୍ତ ଅଭିଯୋଗ ସଂକ୍ରାନ୍ତରେ ପଞ୍ଚାୟତିରାଜ ବିଭାଗକୁ ଏନେଇ ଚିଠି କରିଛନ୍ତି। ଫଳରେ ଦୁର୍ନୀତିର ମୁଖା ଖୋଲାଯିବା ଭୟରେ କିଛି ଅଧିକାରୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯାଇଛି।

କୁସୁମୀ କେନାଲର ପୁନରୁଦ୍ଧାର ନାମରେ ମିଥ୍ୟା ବିଲ୍ ହୋଇଛି। ସେହିପରି ଢୁଙ୍କାପଡ଼ା ଶିବମନ୍ଦିର ନିକଟରେ ଥିବା ଗୋଟିଏ ପଡ଼ିଆକୁ ସୌନ୍ଦର୍ଯ୍ୟୀକରଣ ପାର୍କ ଏବଂ ସେହି ପାର୍କକୁ ପିଲାଙ୍କ ଖେଳପଡ଼ିଆ କହି ଦୁଇଟି ପ୍ରକଳ୍ପ ନାଁରେ ଭିନ୍ନ ଭିନ୍ନ ମିଥ୍ୟା ବିଲ୍ କରାଯାଇଛି। ନିକଟରେ ଥିବା ପାହାଡ଼ ପାଦଦେଶରେ ଟ୍ରେଞ୍ଚ୍ ଖୋଳାଯାଇଥିବା ସରକାରୀ କାଗଜପତ୍ରରେ ଦର୍ଶାଯାଇଛି। କିନ୍ତୁ ବାସ୍ତବରେ କୌଣସି ଟ୍ରେଞ୍ଚ୍ ଖୋଳାଯାଇ ନଥିବା ଅଭିଯୋଗ ହୋଇଛି।

ମାଟିଗାଡ଼ିଆ ପାହାଡ଼ରୁ ୭ ଲକ୍ଷ ୩୮ ହଜାର ୭୮୬ ଟଙ୍କା, ଧୋବାସାହି ପାହାଡ଼ରୁ ୭ ଲକ୍ଷ ୪ ହଜାର ୧୪୬ ଟଙ୍କା, ଜଗା ପାହାଡ଼ରୁ ୮ ଲକ୍ଷ ୦୨ହଜାର ୫୯୯ ଟଙ୍କା , ବୋଡ଼ା ପାହାଡ଼ରୁ ୩ ଲକ୍ଷ ୫୮ ହଜାର ୮୧୮ ଟଙ୍କା , ସନ୍ଧିପାହାଡ଼ କଣିଆପଲ୍ଲୀରୁ ୭ ଲକ୍ଷ ୪୯ ହଜାର ୮୬୮ ଟଙ୍କା, ହରଗୌରୀ ପାହାଡ଼ରୁ ୧ ଲକ୍ଷ ୪୨ ହଜାର ୬୭୮ ଟଙ୍କା, ଢୋଲିଆତୋଟା ପାହାଡ଼ରୁ ୭ ଲକ୍ଷ ୨୦ ହଜାର ୪୦୨ ଟଙ୍କା, ଆମ୍ବପୁଆ ପାହାଡ଼ରୁ ୭ ଲକ୍ଷ ୨୦ ହଜାର ୪୪୮ ଟଙ୍କା ଓ ସାନମୁଣ୍ଡିଆ ପାହାଡ଼ରୁ ୨ ଲକ୍ଷ ୩୨ ହଜାର ୦୨୩ ଟଙ୍କା କୌଣସି ଟ୍ରେଞ୍ଚ୍ ନଖୋଳି ମିଥ୍ୟା ବିଲ୍ କରାଯାଇଛି। ଏହାସହ ଆରଡି ରୋଡ୍‌ଠାରୁ ସିଂହାସନୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନାମରେ ୮୩ ହଜାର ୮୯୮ ଟଙ୍କା, ପାଣିଟାଙ୍କି ଠାରୁ ପାହାଡ଼ ରାସ୍ତା ନିର୍ମାଣ ନାଁରେ ୩ ଲକ୍ଷ ୯୫ ହଜାର ୪୧୮ ଟଙ୍କା ଓ ସାନ୍ଦୀ ପାହାଡ଼ ଠାରୁ ହଜ ରୋଡ୍ ନିମନ୍ତେ ୬ ଲକ୍ଷ ୨୩ ହଜାର ୮୩୨ ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ହରିଲୁଟ୍ କରାଯାଇଛି। ଗତବର୍ଷ ଜୁଲାଇ ୨୫ ତାରିଖରେ ଲୋକାୟୁକ୍ତ ଟିମ୍ ଆସି ଏହାର ତଦନ୍ତ କରିଥିଲେ ହେଁ, କୌଣସି ସୁଫଳ ମିଳୁନି। ଫଳରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଗତକାଲି ପୋଲସରା ବିଡିଓ କୁରେଶ ଚନ୍ଦ୍ର ଜାନି, ସହକାରୀ ଯନ୍ତ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ପଞ୍ଚାୟତର ଜେଇମାନଙ୍କୁ ସାଙ୍ଗରେ ନେଇ ଢୁଙ୍କାପଡ଼ା ପଞ୍ଚାୟତରେ ପହଞ୍ଚି ବିଭିନ୍ନ ଅଭିଯୋଗର ଅନୁଧ୍ୟାନ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button