ନୂଆଖାଇ ପାଇଁ ଚଳଚଞ୍ଚଳ ମା’ ସମଲେଶ୍ୱରୀଙ୍କ ପୀଠ, ଲାଗି ହେଲା ନୂଆ ସିନ୍ଦୁର

ନୂଆଖାଇ ପାଇଁ ଚଳଚଞ୍ଚଳ ମା’ ସମଲେଶ୍ୱରୀଙ୍କ ପୀଠ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୂଆଖାଇକୁ ବ୍ୟବସ୍ଥିତ ଢଙ୍ଗରେ କିପରି ପାଳନ କରାଯିବ ସେନେଇ ସମସ୍ତ ପ୍ରକାର ଭକ୍ତମାନଙ୍କ ପାଇଁ ସୁବିଧା କରାଯାଇଛି । ଏଥିପାଇଁ ଆଜି ମା’ଙ୍କ ପୂଜକମାନେ ମାଁ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ୧୧୫ ଦେବାଦେବୀଙ୍କୁ ସିନ୍ଦୁର ଲାଗି କରାଇଛନ୍ତି । ଏହି ସିନ୍ଦୁର ସ୍ୱତନ୍ତ୍ର ଭାବେ ମା’ଙ୍କ ପାଇଁ ଆସିଥାଏ ।
ସେହିପରି ମା’ଙ୍କ ଗମ୍ଭୀରା ଭୋରରୁ ପୂଜକମାନେ ସଫା କରିଛନ୍ତି । ମଧ୍ୟାହ୍ନ ଭୋଗ ଲାଗିବା ପରେ ମା’ଙ୍କର ଆଭୂଷଣ ଖୋଲାଯାଇ ସଫା କରାଇଛନ୍ତି ଟ୍ରଷ୍ଟ ବୋର୍ଡ । ଆସନ୍ତା ୨୮ ତାରିଖ ମା’ଙ୍କୁ ନୂଆ ବେଶ କରାଯିବ । ମା’ଙ୍କ ପାଇଁ ନୂତନ ସମ୍ବଲପୁରୀ ପାଟ ଶାଢ଼ୀ, ଚୁଡ଼ି, ଗହଣା, ମନ୍ଦାର ମାଳ ଆଦିରେ ନୂତନ ବେଶ ହେଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।
ଆସନ୍ତା ୨୮ ତାରିଖ ସକାଳ ୧୦.୩୩ ମିନିଟରୁ ୧୦.୫୫ ମିନିଟ ମଧ୍ୟରେ ନବାର୍ଣ୍ଣ ଲାଗି ହେବ । ଏଥିପାଇଁ ମନ୍ଦିରରେ ସକାଳ ୬ ଟାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିବ । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବ । ନୂଆଖାଇ ପାଇଁ ସମୟ ବହୁତ କମ୍ ରହିଛି ହାତରେ । ଏଥିପାଇଁ ମାଁ ସମଲେଶ୍ୱରୀ ମନ୍ଦିର ଠାରୁ ଆରମ୍ଭ କରି ସବୁଆଡେ ଚାଲିଛି ଜୋରଦାର ପ୍ରସ୍ତୁତି ।



