ଦେଶ ବିଦେଶ

ସୁଭାଷିତ: ବୃଦ୍ଧା ବର୍ଷାର ଶୁଭ୍ରକେଶ, କାଶତଣ୍ଡୀ

ସେଜରତୀ ବରଷାର ଧବଳ ଜଟାକାଶ କୁସୁମେ ଶୁକ୍ଳ ତଟିନୀ-ପଠା।
-ରାଧାନାଥ ରାୟ, ତୁଳସୀ ସ୍ତବକ
ସେପ୍ଟେମ୍ବର ୨୮ ତାରିଖ କବିବର ରାଧାନାଥ ରାୟଙ୍କର ପୁଣ୍ୟ ଜନ୍ମଦିନ। ୧୮୪୮ ମସିହା, ସେପ୍ଟେମ୍ବର ୨୮ ତାରିଖ, ଆଶ୍ୱିନ ୧୫ ଦିନ ସେ ବାଲେଶ୍ୱର ଜିଲାର ସୋରୋ ଅନ୍ତର୍ଗତ କେଦାରପୁରରେ ଜନ୍ମଗ୍ରହଣ କରିଥିଲେ। ନିଜସ୍ୱ କବିପ୍ରତିଭା ଓ ସାଧନା ବଳରେ ସେ ଯୁଗସ୍ରଷ୍ଟା ହୋଇପାରିଥିଲେ।

ତାଙ୍କୁ ଓଡ଼ିଆ କାବ୍ୟ ସାହିତ୍ୟରେ ଆଧୁନିକତାର ସ୍ରଷ୍ଟା ଆଖ୍ୟା ଦିଆଯାଏ।
‘ତୁଳସୀସ୍ତବକ’ (୧୮୯୪) ରାଧାନାଥଙ୍କର ଏକ କ୍ଷୁଦ୍ର ଓ ରସୋତ୍ତୀର୍ଣ୍ଣ କୃତି। ‘ରାମାୟଣ’ ଆଧାରିତ ଗୋସ୍ୱାମୀ ତୁଳସୀ ଦାସଙ୍କ ‘ରାମଚରିତ ମାନସ’ର ଅନୁସରଣରେ ଏହା ରଚିତ। ‘ରାମଚରିତ ମାନସ’ର ‘କିସ୍କିନ୍ଧ୍ୟାକାଣ୍ଡ’ରେ ଯେଉଁ ଋତୁବର୍ଣ୍ଣନା ରହିଛି; ତାହାର ଅନୁସରଣରେ ସେ ‘ବର୍ଷା’ ଓ ‘ଶରତ’ ଦୁଇଟି ଋତୁକୁ ନେଇ ଏହି ଅନୁସର୍ଜନା କରିଛନ୍ତି।
ଋତୁଚକ୍ରର ଆବର୍ତ୍ତନରେ ବର୍ଷା ପରେ ଆସେ ଶରତ ଋତୁ। ଶରତଋତୁ ବେଳକୁ ବର୍ଷାଋତୁ ସରି ସରି ଆସିଥାଏ। ଏହି ଋତୁର ଆଗମନରେ ନଈପଠା କାଶଫୁଲ (କାଶତଣ୍ଡୀ)ରେ ମଣ୍ଡି ହୋଇଯାଏ। ନଈପଠା ଧାରଣ କରେ ଧବଳବର୍ଣ୍ଣ। ଏହାକୁ ଦେଖି, ବନବାସ କାଳରେ ସେଠାରେ ନିବାସ କରିଥିବା ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ କହିଛନ୍ତି- ଦେଖ ଲକ୍ଷ୍ମଣ! କାଶଫୁଲରେ ନଈପଠା ଶୁଭ୍ର ହୋଇଯାଇଛି। ମନେହେଉଛି- ବରଷା ଯେପରି ଜରତୀ (ବୃଦ୍ଧା) ହୋଇଯାଇଛି। ଏହା ଯେପରି ସେହି ବୃଦ୍ଧା ବର୍ଷାର ଧବଳ କେଶ। ତୁଳସୀ ଦାସ ତଥା ରାଧାନାଥଙ୍କ ବର୍ଣ୍ଣନାରେ ବର୍ଷା ଓ ଶରତ ଋତୁର ଏହି ମିଳିତ ରୂପ ଅଭିନବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button