ନୀତି

ମାର୍ବଲ୍‌ ତକିଆ! ଦେଖିଲେ ଲାଗେ ପଥର ନୁହେଁ, କପଡ଼ା ଓ ତୁଳାର ତକିଆ – Utkal Mail


ନରୱେର ଭାସ୍କର୍ଯ୍ୟଶିଳ୍ପୀ ହାକନ୍‌ ଆଣ୍ଟନ୍‌ ଫାଗେରାସଙ୍କ ଏକ ଅଭିନବ କଳାକୃତି ଚର୍ଚାର ବିଷୟ ପାଲଟିଛି। ତକିଆ ଭଳି ଦିଶୁଥିବା ଏହି ଭାସ୍କର୍ଯ୍ୟଟି ମାର୍ବଲ୍‌ରେ ନିର୍ମିତ। ସେ ଏହାକୁ ଏତେ ସୂକ୍ଷ୍ମ ଭାବରେ ତିଆରି କରିଛନ୍ତି ଯେ, ଯେ କେହି ଦେଖିଲେ ଏହା କୌଣସି କଠିନ ପଥର ନୁହେଁ ବରଂ ଅତି କୋମଳ ତୁଳାରେ ତିଆରି ହୋଇଛି ବୋଲି ଭାବିବେ। ହାକନ୍‌ଙ୍କର ବିଶେଷତ୍ବ ହେଲା, ସେ ଚମତ୍କାର ଭାବରେ ମାର୍ବଲ୍‌କୁ ବ୍ୟବହାର କରି ଏପରି ନିଖୁଣ ଭାସ୍କର୍ଯ୍ୟ ସବୁ ନିର୍ମାଣ କରିଥା’ନ୍ତି, ଯାହା ସଂପୃକ୍ତ ସାମଗ୍ରୀର ବିଶେଷ ବାହ୍ୟଗୁଣକୁ ସଂପୂର୍ଣ୍ଣ ବହନ କରିଥାଏ। ତାହା କୌଣସି ବକ୍ରରେଖା ହେଉ କି, କପଡ଼ାର ଭାଙ୍ଗ ହେଉ କିମ୍ବା ଲମ୍ବା କେଶରାଶିର ତରଙ୍ଗାୟିତ ବେଣୀ ହେଉ, ତାଙ୍କର ସବୁ ଭାସ୍କର୍ଯ୍ୟ ଜୀବନ୍ତ ତଥା ମୌଳିକ ମନେ ହୋଇଥାଏ।

ଉଲ୍ଲେଖଯୋଗ୍ୟ, ପ୍ରଥମେ ଜଣେ ରୂପକ ଚିତ୍ରଶିଳ୍ପୀ ଭାବେ ପେସାଦାର ଜୀବନ ଆରମ୍ଭ କରିଥିବା ହାକନ୍‌ ପରେ ଭାସ୍କର୍ଯ୍ୟ ନିର୍ମାଣ ପ୍ରତି ଆକୃଷ୍ଟ ହୋଇଥିଲେ। ମାର୍ବଲ୍‌ର ଭଙ୍ଗୁରଶୀଳତା ଓ କଠିନତା ଖୋଦେଇ ପାଇଁ ଶ୍ରେଷ୍ଠ ବୋଲି ଅନୁଭବ କରି ସେ ତାଙ୍କର ଭାସ୍କର୍ଯ୍ୟ ସବୁକୁ ମାର୍ବଲରେ ଗଢ଼ିବା ଆରମ୍ଭ କରିଥିଲେ। ସାଧାରଣ ହାତୁଡ଼ି ଓ ଅନ୍ୟାନ୍ୟ ଖୋଦେଇ ଉପକରଣ ସାହାଯ୍ୟରେ ହାକନ୍‌ ଏହି ଧଳା ତକିଆଟିକୁ ଏପରି ଗଢ଼ିଛନ୍ତି ଯେ ତାହାର ଭାଙ୍ଗଗୁଡ଼ିକ ଅବିକଳ ତଥା ବାସ୍ତବ ଜଣାପଡୁଛି। ତେବେ ତକିଆ ପରି ଏକ ଅନାଲୋଚିତ ବସ୍ତୁର ଭାସ୍କର୍ଯ୍ୟ ଗଢ଼ିବା ପଛରେ ହାକନ୍‌ଙ୍କର ମତ ହେଲା, ‘ଅନେକଙ୍କ ମନରେ ଏଭଳି ପରିକଳ୍ପନା ହାସ୍ୟାସ୍ପଦ ମନେ ହୋଇପାରେ। ମାତ୍ର ତାହାକୁ ମୁଁ ଜୀବନର ଏକ ସୁନ୍ଦର ସଂକେତ ଭାବେ ମନେକରେ। ଶଯ୍ୟାରେ ହିଁ ଜୀବନର ଆରମ୍ଭ ଏବଂ ଶେଷ ଘଟିଥାଏ ଏବଂ ଜୀବନର ଅନେକ ସୁନ୍ଦରତମ ଓ କଠିନ ମୁହୂର୍ତ୍ତ ଏହି ଶଯ୍ୟାରେ କଟିଥାଏ। ଆଉ ଏହି ତକିଆ ହେଉଛି ସେସବୁର ମୂକସାକ୍ଷୀ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button