ନୀତି

ପରଲୋକରେ ଜୟନ୍ତ: ନିସ୍ତବ୍ଧ ‘ଚନ୍ଦ୍ରଭାଗା’ – Utkal Mail


‘ଚନ୍ଦ୍ରଭାଗା’ ଛାଡ଼ି ସବୁ ଦିନ ପାଇଁ ଅସ୍ତଗଲେ ଜୟନ୍ତ। ମା, ମାଟି, ମାତୃଭାଷାର ମୋହରେ ଆଜନ୍ମ ବାନ୍ଧି ହୋଇ ରହିଥିବା ଜୟନ୍ତଙ୍କୁ ଆଉ ବାନ୍ଧି ରଖି ପାରିଲାନି ତାଙ୍କ ଜନ୍ମମାଟି କଟକ। ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ବି ରହିବାର ସବୁ ସୁବିଧାକୁ ତୁଚ୍ଛ କରି କଟକ ମାଟିକୁ ଛାଡି ନଥିବା ଜୟନ୍ତ ଆଜି ଜନ୍ମମାଟିରୁ ବିଦାୟ ନେଇଗଲେ ସବୁ ଦିନ ପାଇଁ। ୯୫ ବର୍ଷରେ ବି ଯୁବ ସୁଲଭ ଜୀବନ ଜୀଉଁଥିବା, ଗ୍ରୀଷ୍ମର ବସନ୍ତର ଆନନ୍ଦ ନେଉଥିବା, କ୍ଷୁଧାରେ ଆତ୍ମତୃପ୍ତିର ସନ୍ଧାନ ଖୋଜୁଥିବା ଅନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ତିରୋଧାନ କେବଳ ରାଜ୍ୟ ଅଥବା ଦେଶ ନୁହେଁ ବିଶ୍ବର ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ସାମ୍ବାଦିକତାରୁ ବୃତ୍ତିଗତ ଜୀବନ ଆରମ୍ଭ
୧୯୪୯ ମସିହାରେ ପାଟଣାରୁ ସ୍ନାତକୋତ୍ତର (ପଦାର୍ଥ ବିଜ୍ଞାନ) ପରୀକ୍ଷା ଦେଇ ଶ୍ରୀ ମହାପାତ୍ର କଟକ ଫେରିଥିଲେ। ଫଳ ପ୍ରକାଶ ପାଇ ନ ଥାଏ। ଜଣେ ବନ୍ଧୁଙ୍କ ପରାମର୍ଶରେ ହରେକୃ‌ଷ୍ଣ ମହତାବଙ୍କୁ ଦେଖା କରି ଦି ଇଷ୍ଟର୍ଣ୍ଣ ଟାଇମ୍‌ସରେ ସହସଂପାଦକ ଭାବେ ଯୋଗ ଦେଇଥିଲେ। ଭୈରବ ଚନ୍ଦ୍ର ମହାନ୍ତିଙ୍କ ଅଧୀନରେ ମାସିକ ୮୦ଟଙ୍କା ଦରମାରେ କାମ ଆରମ୍ଭ କରିଥିଲେ। ଦୁଇ ମାସ ପରେ କାମ କରିବା ଛୁଟିନେଇ ରେଭେନ୍‌ସା କଲେଜକୁ ବୁଲିବାକୁ ଯାଇଥିଲେ। ରସାୟନ ବିଜ୍ଞାନ ପ୍ରଫେସର ବଳଭଦ୍ର ପ୍ରସାଦ ତାଙ୍କୁ ତୁରନ୍ତ ପଦାର୍ଥବିଜ୍ଞାନ ବିଭାଗରେ ‌ଯୋଗଦେବାକୁ ପରାମର୍ଶ ଦେଇଥିଲେ। ପ୍ରଫେସର ପ୍ରସାଦଙ୍କ ପରାମର୍ଶରେ ‌ଜୟନ୍ତ ପ୍ରଜାତନ୍ତ୍ରରୁ ଇସ୍ତଫା ଦେଇ ପଦାର୍ଥ ବିଜ୍ଞାନ ଡେ‌ମନ୍‌ଷ୍ଟ୍ରେଟର ଭାବେ ମାସିକ ୧୨୫ଟଙ୍କାରେ ଚାକିରି କରିଥିଲେ। ପରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବେ ‌ସେ ରେଭେନ୍‌ସା, ବିଜେବି, ଏଫ୍‌ଏମ୍ କଲେଜରେ କାର୍ଯ୍ୟ କରିଥିଲେ।

କାଠଯୋଡ଼ି କୂଳରେ କଟିଥିଲା ପିଲାଦିନ
କବି ଜୟନ୍ତ ମହାପାତ୍ରଙ୍କ ବାପା ଲେମୁଏଲ ମହାପାତ୍ର ଥିଲେ ରେଭେନ୍‌ସା କାଠଯୋଡ଼ି ହଷ୍ଟେଲର ସୁପରିନ୍‌ଟେଣ୍ଡେଣ୍ଟ। ବାପାଙ୍କ କ୍ବାର୍ଟରକୁ ଲାଗି ରହିଥିଲା ନଣ୍ଡା ଦେଉଳ। କାଠଯୋଡି ନଦୀକୂଳରେ କଟିଥିଲା ତାଙ୍କ ପିଲାଦିନ।‌ ହଷ୍ଟେଲର ତତ୍କାଳୀନ ଅନ୍ତେବାସୀ ଶ୍ରୀରାମ ଦାଶ ଓ ଗୋକୁଳାନନ୍ଦ କାନୁନଗୋଙ୍କ ସଂପର୍କରେ ଆସିଥିଲେ ସେ। ବାପାଙ୍କର ସ୍କୁଲ ଇନ୍ସପେକ୍ଟର ଭାବେ ଗଞ୍ଜାମ, ଗୁଣୁପର ଯିବା ବେଳେ ଜୟନ୍ତଙ୍କ ପାଠପଢ଼ା ମଧ୍ୟ ସେହିସବୁ ସ୍ଥାନରେ ହୋଇଥିଲା।
କଟକ ଥିଲା ‘ହୃଦୟର ବର୍ଣ୍ଣବୋଧ’
କଟକର ପର୍ବପର୍ବାଣୀ, ଉତ୍ସବ, ଖାଦ୍ୟପେୟ, ପରିବେଶ ଜୟନ୍ତଙ୍କ ପାଇଁ ଥିବା ସବୁ କିଛି। କଟକର ବାଲିଯାତ୍ରା, ଦୁର୍ଗାପୂଜା, ବାଲିଯାତ୍ରାରେ ମିଳୁଥିବା ଠୁଙ୍କାପୁରୀ, ରଘୁ ଦହିବରା ଶେଷ ସମୟ ଯାଏ ବି ତାଙ୍କର ପ୍ରିୟ ଥିଲା। ସେ ଯେଉଁ ଆଡେ ଗଲେ ବି କଟକକୁ କେବେ ଭୁଲି ନଥିଲେ। ସେ କୁହନ୍ତି, କଟକ ହେଉଛି ତାଙ୍କ ହୃଦୟର ବର୍ଣ୍ଣ ବୋଧ।
କଲେଜରେ ଇଂରାଜୀ‌ରେ ରଖିଥିଲେ ୨୩ ନମ୍ବର
କବି ଜୟନ୍ତ ମହାପାତ୍ର ଇଂରାଜୀରେ ଦୁର୍ବଳ ଥିଲେ। କଲେଜରେ ପଢ଼ିବା ବେଳେ ଇଂରାଜୀ‌ରେ ୨୩ ନମ୍ବର ରଖି ଫେଲ ହୋଇଥିଲେ। ଏଥ ପାଇଁ ପଦାର୍ଥ ବିଜ୍ଞାନ ପ୍ରଫେସର କେ.ଏସ୍.ଆର୍‌ ମୂର୍ତ୍ତି ତାଙ୍କୁ ଇଂରାଜୀ ଉପନ୍ୟାସ ପଢ଼ିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ତାଙ୍କର ଇଂରାଜୀରେ ଦକ୍ଷତା ବଢ଼ିବା ସହିତ ଇଂରାଜୀ ସାହିତ୍ୟ ପ୍ରତି ଭଲ ପାଇବା ସ‌ୃ‌ଷ୍ଟି ହୋଇଥିଲା। ଏବଂ ତାଙ୍କ ରଚିତ ଇଂରାଜୀ ପୁସ୍ତକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ପାଠ୍ୟପୁସ୍ତକ ଭାବେ ସ୍ଥାନ ପାଇଥିଲା।

କାଟୁଥିଲେ ନିସଙ୍ଗ ଜୀବନ
କଟକର ତିନିକୋଣିଆ ବଗିଚାସ୍ଥିତ ତାଙ୍କ ବାସଭବନର ନାମ ଥିଲା ‘ଚନ୍ଦ୍ରଭାଗା’। ଜୟନ୍ତ ମହାପାତ୍ରଙ୍କ ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କର ୨୦୦୮ରେ ପରଲୋକ ଘଟିଥିଲା। ସିଙ୍ଗାପୁରରେ ରହୁଥିବା ପୁଅ ମୋହନ ମହାପାତ୍ରଙ୍କର ମୃତ୍ୟୁ ଘଟିଥିଲା ୨୦୧୭ରେ। ପାରିବାରିକ ଦୃଷ୍ଟିକୋଣରୁ ଜୀବନରେ ଏକ ପ୍ରକାର ନିସଙ୍ଗ ହୋଇ ଯାଇଥିଲେ ବି ସେ ଜୀବନ ଜୀଉଁ ଥିଲେ ତାଙ୍କର ପ୍ରଶଂସକ, ଶୁଭେଚ୍ଛୁ ମାନଙ୍କ ଗହଣରେ। ଯୁବକ ମାନଙ୍କ ଗହଣରେ ସାହିତ୍ୟ ଚର୍ଚ୍ଚା କରୁଥିଲେ। ସମୟ ପାଇଲେ ସାହିତ୍ୟ ପ୍ରେମୀଙ୍କ ଗହଣରେ ସମୟ ବିତାଇ ଆଳାପ ଆଲୋଚନା କରିବାକୁ ବି କେବେ ଭୁଲୁ ନଥିଲେ। ସବୁ ବେଳେ ଯୁବ ସୁଲଭ ଚଞ୍ଚଳତା, ବିନ୍ଦାସ ଆଚରଣ ତାଙ୍କ ବ୍ୟକ୍ତିତ୍ବର ଅନ୍ୟତମ ଦିଗ ରହିଥିଲା।
ପ୍ରକୃତି ଓ ପରିବେଶପ୍ରେମୀ
ନିଜ ଜନ୍ମମାଟିର ମୋହ ସବୁ ବେଳେ ବାନ୍ଧି ରଖିଥିଲା ଜୟନ୍ତଙ୍କୁ। ସାହିତ୍ୟ ସହିତ ପ୍ରକୃତି ଓ ପରିବେଶକୁ ବି ସେ ପ୍ରଚଣ୍ଡ ଭାବେ ଭଲ ପାଉଥିଲେ। ସେ କେବେ ଏୟାର କଣ୍ଡିସନ ବ୍ୟବହାର କରୁ ନଥିଲେ। ଗଛ ଲଗାଇବା, ତା’ର ଯତ୍ନ ନେବା, ପରିବେଶ ସଚେତନତା ସୃଷ୍ଟି କରିବା ଭଳି କାର୍ଯ୍ୟରେ ସେ ନିଜକୁ ସବୁ ବେଳେ ନିୟୋଜିତ କରୁଥିଲେ।


କ​ରୋନା ହାର୍ ମାନିଥିଲା
କୋଭିଡ୍ ମହାମାରୀ ସମୟରେ​ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ୯୦ ଅତିକ୍ରାନ୍ତ ହୋଇଥିବାରୁ ଶୁଭେଚ୍ଛୁ ମାନଙ୍କର ଚିନ୍ତା ବଢିଥିଲା। କିନ୍ତୁ ବିନ୍ଦାସ ଜୟନ୍ତ ଏଥିପ୍ରତି ସଂପୂର୍ଣ୍ଣ ବେଫିକର ଥିଲେ। ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା। କିନ୍ତୁ କୋଭିଡ ନାଁରେ ଯେତେବେଳେ ସାରା ବିଶ୍ବ ଥରହର ହେଉଥି​ଲା, ସେତେବେଳେ ଜୟନ୍ତଙ୍କ ସଂପୂର୍ଣ୍ଣ ବେଫିକର ମନୋଭାବ ଦେଖି ଡାକ୍ତରମାନେ ବି ଚକିତ ହୋଇଯାଇଥିଲେ। ଜୟନ୍ତଙ୍କ ମନୋବଳ ନିକଟରେ କରୋନା ହାର ମାନିଥିଲା। ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ସ୍ବାଭାବିକ ଜୀବନ ଯାପନ କରିଥିଲେ।
ଫେରାଇ ଦେଇଥିଲେ ‘ପଦ୍ମଶ୍ରୀ’
ଦେଶରେ ବଢୁଥିବା ଅସହିଷ୍ଣୁତାର ପ୍ରତିବାଦରେ କବି ଜୟନ୍ତ ମହାପାତ୍ର ‘ପଦ୍ମଶ୍ରୀ’ ସମ୍ମାନ ଫେରାଇ ଦେଇଥିଲେ। ତାଙ୍କ ନାମ ସହିତ କେହି ‘ପଦ୍ମଶ୍ରୀ’ ନ ଲେଖିବାକୁ ବି ସେ ସମସ୍ତଙ୍କୁ ଅନୁରୋଧ କରୁଥିଲେ। ସେତେବେଳେ ଦେଶର ବିଶିଷ୍ଟ ସାହିତ୍ୟିକ ମାନେ ସମ୍ମାନ ଫେରାଉଥି​ବା ବେଳେ ‘ପଦ୍ମ’ ସମ୍ମାନ ଫେରାଇବାରେ କିନ୍ତୁ ଜୟନ୍ତ ମହାପାତ୍ର ଥିଲେ ପ୍ରଥମ ତଥା ​ଏକମାତ୍ର ଓଡ଼ିଆ ସାହିତ୍ୟିକ।




Related Articles

Leave a Reply

Your email address will not be published. Required fields are marked *

Back to top button