ଦେଶ ବିଦେଶ

ଟ୍ୱିଟରକୁ ଟକ୍କର ଦେବା ପାଇଁ ମେଟା ଆଣିବ ନୂଆ ଆପ୍

ନୂଆଦିଲ୍ଲୀ: ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ୍ କମ୍ପାନୀ ‘ମେଟା’ ଏକ ନୂଆ ସୋସିଆଲ୍ ନେଟୱାର୍କ ଆପ୍ ଉପରେ କାମ କରୁଥିବା ଜଣାପଡିଛି ।

ମେଟାର ଏହି ନୂଆ ଆପ୍ ମାଇକ୍ରୋବ୍ଲଗିଂ ସାଇଟ୍ ‘ଟ୍ୱିଟର’ ଓ ‘ଏମଷ୍ଟାଡନ୍’କୁ ଟକ୍କର ଦେବ ବୋଲି କୁହାଯାଉଛି। ‘ଏମଷ୍ଟାଡନ୍’ ମଧ୍ୟ ଟ୍ୱିଟର ପରି ଏକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ, ଯାହା ୨୦୧୬ରେ ଆରମ୍ଭ ହୋଇଥିଲା |

ଟ୍ୱିଟର ପରି ଏକ ଆପ୍ ସାମ୍ପ୍ରତିକ ପରିବେଶରେ ମେଟା ପାଇଁ ଲାଭଦାୟକ ହେବ ବୋଲି ମନେ କରାଯାଉଛି। କାରଣ ଗତ ବର୍ଷ ଏଲୋନ୍ ମସ୍କ ଟ୍ୱିଟରର ମାଲିକ ହେବା ପରଠାରୁ ଏହି ପ୍ଲାଟଫର୍ମକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ବହୁ କର୍ମଚାରୀ ବିଦା ହୋଇଥିବା ବେଳେ ଟ୍ବିଟର ମଧ୍ୟ ଅଧିକାଂଶ ସମୟ ଅଚଳ ହେଇପଡୁଛି ।

ବିଜ୍ଞାପନଦାତାଙ୍କୁ ଆକୃଷ୍ଟ କରିବାକୁ ଟ୍ୱିଟର ସମ୍ପ୍ରତି ସଂଘର୍ଷ କରୁଛି। ସସପେଣ୍ଡ୍ ହୋଇଥିବା ଆକାଉଣ୍ଟଗୁଡିକ ପୁନଃ ସକ୍ରିୟ କରିବାକୁ ଟ୍ୱିଟରର ନିଷ୍ପତ୍ତି ପରେ ଅନେକ କମ୍ପାନୀ ଏହି ମାଇକ୍ରୋବ୍ଲଗିଂ ସାଇଟରୁ ଓହରି ଯାଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ମେଟା’ର ନୂଆ ଆପ୍ ନାମ ବର୍ତ୍ତମାନ ପାଇଁ P92 ରଖାଯାଇଛି । ଏହି ଆପକୁ ୟୁଜରମାନେ କେବଳ ସେମାନଙ୍କ ଇନଷ୍ଟାଗ୍ରାମ ଆଇଡି ସହ ବ୍ୟବହାର କରିପାରିବେ |

ଏହି ଆପ୍ ଡିସେଣ୍ଟ୍ରାଲାଇଜଡ୍ ହେବ ଅର୍ଥାତ୍ ଏହାକୁ ଚଳାଇବା ଅଧିକାର କେବଳ ଜଣେ ବ୍ୟକ୍ତିଙ୍କ ହାତରେ ରହିବ ନାହିଁ । ଏହାଛଡ଼ା ଏହାକୁ କିଣିବା ଏବଂ ବିକ୍ରି କରିବା ଅଧିକାର ମଧ୍ୟ କେବଳ ଜଣେ ବ୍ୟକ୍ତି ବା ସଂସ୍ଥା ପାଖରେ ରହିବ ନାହିଁ।

ମେଟାର ଏହି ନୂଆ ଯୋଜନା ଏପରି ଏକ ସମୟରେ ଘୋଷଣା ହୋଇଛି ଯେତେବେଳେ ଫେସବୁକ ଏହାର ୟୁଜର ବେସ୍ ବଜାୟ ରଖିବା ପାଇଁ ସଂଘର୍ଷ କରୁଛି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button