ନୀତି

ଆକ୍ବାରିଅମ୍‌ରେ ସବୁଠୁ ବୟସ୍କ ମାଛ, ଅନୁମାନ କରନ୍ତୁ କେତେ ହୋଇଥିବ ବୟସ – Utkal Mail


କାଲିଫର୍ଣ୍ଣିଆର ସାନ୍ ଫ୍ରାନ୍‌ସିସ୍କୋ ସ୍ଥିତ ଷ୍ଟେନ୍‌ହାର୍ଟ ଆକ୍ବାରିଅମ୍‌ରେ ଥିବା ଏକ ମାଛ ସମ୍ପ୍ରତି ମନୁଷ୍ୟ ହେପାଜତରେ ଥିବା ବିଶ୍ବର ସବୁଠୁ ବୟସ୍କ ମାଛର ମାନ୍ୟତା ବହନ କରୁଛି। ‘ମେଥୁସେଲା’ ନାମକ ଏହି ଲଙ୍ଗ୍‌ଫିସ୍‌ ପ୍ରଜାତିର ମଧୁରଜଳ ମାଛଟିର ବୟସ ୯୨ରୁ ୧୦୧ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଏ। ୧୯୩୮ ମସିହାରେ ଅଷ୍ଟ୍ରେଲିଆର ଏକ ମାଛଧରା ଡଙ୍ଗା ଦ୍ବାରା ଅନ୍ୟ ୨୩୦ ପ୍ରକାର ମାଛ ସହ ମେଥୁସେଲା ଧରାହୋଇ ଆମେରିକା ମାଟିରେ ପଦାର୍ପଣ କରିଥିଲା। ତାହା ସହିତ ଆସିଥିବା ଅନ୍ୟ ମାଛଗୁଡ଼ିକର ମୃତ୍ୟୁ ଘଟିଥିବା ବେଳେ ଏହା ଏ ପର୍ଯ୍ୟନ୍ତ ବଞ୍ଚି ରହିଛି। ଉଲ୍ଲେଖଯୋଗ୍ୟ, ଲଙ୍ଗଫିସ ହେଉଛି ପୃଥିବାର ସବୁଠାରୁ ଆକର୍ଷଣୀୟ ମାଛ ପ୍ରଜାତିମାନଙ୍କ ଭିତରେ ଅନ୍ୟତମ।

ତେବେ ତାହାର ବୟସ ନିରୂପଣ କରିବା କଷ୍ଟକର ବ୍ୟାପାର। ବୈଜ୍ଞାନିକମାନେ ସାଧାରଣତଃ କୌଣସି ମାଛର ମୃତ୍ୟୁ ପରେ ତାହାର କାନହାଡ଼କୁ ଗଛର ଗଣ୍ଡି ପରି ଅଧ୍ୟୟନ କରି ତାହାର ବୟସ ନିରୂପଣ କରିଥା’ନ୍ତି। ମାତ୍ର ଲଙ୍ଗଫିସ୍‌ର କାନହାଡ଼ ଭିନ୍ନ ପ୍ରକାରର ଯାହା ସାଲମନ୍‌ ଓ କଡ୍‌ ମାଛ ଅପେକ୍ଷା ମଣିଷ ଓ ଗାଈର ନିକଟତର। ପାଣି ବାହାରକୁ ଆସିଲେ କି ରହୁଥିବା ପାଣିର ସଂରଚନା ବଦଳିଲେ ସେମାନେ ଗୋଟିଏ ଫୁସ୍‌ଫୁସ୍‌ ସାହାଯ୍ୟରେ ଶ୍ବାସକ୍ରିୟା କରିଥା’ନ୍ତି। ସେମାନଙ୍କର ଆଉ ଏକ ବୈଶିଷ୍ଟ୍ୟ ହେଲା, ଜଣାଶୁଣା ସବୁ ପ୍ରାଣୀଙ୍କ ମଧ୍ୟରେ ସେମାନଙ୍କର ସର୍ବାଧିକ ଜିନୋମ୍‌ ରହିଛି ଯାହା ମନୁଷ୍ୟର ପ୍ରାୟ ଚଉଦ ଗୁଣ ଅଧିକ ହେବ। ମେଥୁସେଲାର ବୟସାଧିକ୍ୟ ସତ୍ତ୍ବେ ତାହାଠାରେ ସ୍ନାୟୁଗତ ପରିବର୍ତ୍ତନ କି ଓଜନହ୍ରାସ କି ଧୂମାଳ ଆଖି କି କାତିର ରଙ୍ଗ ଗାଢ଼ ହେବା ପରି କୌଣସି ପ୍ରକାର ବାର୍ଦ୍ଧକ୍ୟ ଲକ୍ଷଣ ଦେଖାଯାଇନାହିଁ ବୋଲି ଆକ୍ବାରିଅମ୍‌ କର୍ତ୍ତୃପକ୍ଷ କହିଛନ୍ତି। ସୁତରାଂ ତାହା ଆହୁରି ଅନେକ ଦିନ ବଞ୍ଚି ରହିବ ବୋଲି ଆଶା କରାଯାଏ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button