ଆଜି ପାକିସ୍ତାନ -ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍, ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଛି ଭାରତର ସେମି ସମ୍ଭାବନା

ମହିଳା ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟ ଜନକ ପରାଜୟ । ସେମିଫାଇନାଲରେ ଅଷ୍ଟ୍ରେଲିଆ । ଶାରଜା କ୍ରିକେଟ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାରତକୁ ୯ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଭାରତର ସେମିଫାଇନାଲ ଯିବାର ଆଶା କଠିନ ହୋଇଛି। ଆଜି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ଭାରତର ସେମି ଏଣ୍ଟ୍ରି ସମ୍ଭାବନା ନିର୍ଭର କରୁଛି।
ଗତକାଲି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୧୫୧ ରନ କରିଥିଲା । ଜବାବରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ କୋର ଲଢ଼େଇ କରିଥିଲେ ହେଁ ଦଳକୁ ମ୍ୟାଚ ଜିତାଇ ପାରି ନଥିଲେ। ଶେଷ ଯାଏ ୪୭ ବଲରେ ୫୪ ରନ କରିଥିଲେ ହେଁ ଭାରତ ୯ ରନରେ ମ୍ୟାଚ୍ ହାରି ଯାଇଛି। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୨ ରନ କରିପାରିଛି।
ଭାରତକୁ ସେମି ଫାଇନାଲ ଆଶା ପୂରଣ କରିବା ପାଇଁ ଆଜି ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡ଼ିବ। ଯଦି ପାକିସ୍ତାନ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଏ। ତା’ହେଲେ ରନ ରେଟ ଆଧାରରେ ଭାରତ ସେମି ଫାଇନାଲକୁ ଯିବାର ସମ୍ଭାବନା ସୃଷ୍ଟି ହେବ। ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ପ୍ରବେଶ କରିଛି।