ମନୋରଞ୍ଜନ

ଖୋକା ଭାଇ ତୁମ ଜନ୍ମଦିନ ପାଇଁ, ଝୁରୁଛି ସାରା ଓଡ଼ିଆ ସାମ୍ରାଜ୍ୟ

ହେ ଫଗୁଣ ତୁମେ, ଗଲା ପରେ ପରେ ଅନେକ ଯାତନା ଏଠି…….. । ସତରେ ଯିଏ ତାଙ୍କ ଗୀତ ଥରେ ଶୁଣିଛି ତାଙ୍କର ଦିୱାନା ହୋଇ ଯାଇଛି । ଆଉ ତାଙ୍କର ଯିବା ପରେ ତାଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ସମସ୍ତେ । କିଏ କହେ ଖୋକା ଭାଇ ଭଳି କିଏ ହେବ ? ଆଉ କିଏ କହେ ସେ ଆହୁରି ଅନେକ ବର୍ଷ ବଞ୍ଚିବାର ଥିଲା । ହେଲେ ମଣିଷ ସିଏ ଦେବତା ନୁହନ୍ତି । ତେଣୁ ଏ ଧରାଧାମରୁ ଯିବାକୁ ହୁଏ । ତେଣୁ ଖୋକା ଭାଇ ଆମ ଠାରୁ ଦୂରେଇ ଗଲେ । କିନ୍ତୁ ତାଙ୍କ ସ୍ମୃତି ସବୁ ରହିଯାଇଛି ତାଙ୍କରି ଗୀତ ହୋଇ ।
କିଏ କହେ ସେ ଅନେଶତ ରାଣୀର ରାଜା ତ ଆଉ କିଏ କହେ ସେ ଜଣେ ପାଗଳ । ସେ କେବଳ ଜଣେ ବ୍ୟକ୍ତି ନୁହେଁ, ସେ ଓଡ଼ିଆ ସାମ୍ରାଜ୍ୟର ଏକ ଇତିହାସ । ଓଡ଼ିଆ ସଙ୍ଗୀତ ଇତିହାସର ମଉଡମଣି, ଓଡ଼ିଆ ସଙ୍ଗୀତର ପ୍ରତିଟି ଭାବ ଓ ଶୈଳୀକୁ ଘରେ ଘରେ ପରିଚିତ କରାଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ଅକ୍ଷୟ ମହାନ୍ତି ଯିଏ ଖୋକା ଭାଇ ନାଁରେ ପରିଚିତ । ଆଜି ତାଙ୍କର ଜନ୍ମଦିନ। ଅତି ପରିଚିତ ଅକ୍ଷୟ ଥିଲେ ଏକଧାରରେ ଜଣେ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ସ୍ୱର ସଂଯୋଜକ ଏବଂ ସାହିତ୍ୟିକ । ଓଡ଼ିଆ ଜନ ମାନସରେ ସେ ଅନେକ ନାଁ ଓ ଅନେକ ଭୂମିକାରେ ପରିଚିତ ଥିଲେ । କେବେ ଆର୍ଯ୍ୟ ଦାଶ ତ କେବେ ଅନେଶତ ରାଣୀର ରାଜା।

୧୯୩୬ ମସିହା ଅକ୍ଟୋବର ୧୨ ତାରିଖରେ ପିତା ବିଚିତ୍ରାନନ୍ଦ ମହାନ୍ତି ଏବଂ ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିବା ଅକ୍ଷୟ । ମାତ୍ର ୨୨ ବର୍ଷ ବୟସରେ ୧୯୫୬ ମସିହାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ତେବେ ସାତ ବର୍ଷ ପରେ ଅର୍ଥାତ୍ ୧୯୬୩ରେ ଚାକିରିରୁ ଇସ୍ତଫା ଦେଇ ଦେଲେ କେବଳ ସଙ୍ଗୀତ ସାଧନା ପାଇଁ । ୧୯୫୬ରେ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ୧୯୫୯ରେ ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଭାବେ ତାଙ୍କୁ ମିଳିଥିଲା ଅନେକ ସଫଳତା। କଟକ ଆକାଶବାଣୀର ସୁଗମ ସଙ୍ଗୀତ ଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ କରିଥିଲେ ଏକ୍ସପେରିମେଣ୍ଟ । ଏମିତି ଏକ୍ସପେରିମେଣ୍ଟ, ଯାହା ଆଗରୁ ଅନ୍ୟ ସଙ୍ଗୀତକାରମାନେ କେବେ ସାହସ କରି ନଥିଲେ। ତାଙ୍କ ସଙ୍ଗୀତରେ ଏମିତି ଯାଦୁ ଓ ନିଆରାପଣ ଥିଲା ଯେ, ବଲିଉଡର ବଡ଼ ବଡ଼ ସଙ୍ଗୀତକାର କହୁଥିଲେ, ଯଦି ଅକ୍ଷୟ ବମ୍ବେ ଯାଇଥା’ନ୍ତେ ଓଡ଼ିଶାର ନାଁକୁ ଆହୁରି ଝଲମଲ କରିଥା’ନ୍ତେ।

ଅକ୍ଷୟ ମହାନ୍ତିଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ। ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ। ସେଥିପାଇଁ କଟକର ବଦମାସ୍ ଟୋକାଙ୍କଠାରୁ ଘର କଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣଉ ଥିଲେ ତାଙ୍କ ଗୀତ। ଖୋକା ଭାଇ ଥିଲା ବେଳେ ଯେତିକି, ସେ ଗଲା ପରେ ତା’ଠୁ ବେଶି । ସେ ଗାଇଥିବା ଲୋକପ୍ରିୟ ଗୀତଗୁଡିକ ମଧ୍ୟରେ ପୂଣ୍ୟର ନଦୀ ତୀରେ, ଉଡି ଉଡି ଉଡି ଯାଆରେ ଗୁଡ଼ି, ଢେଉ ଢେଉକା ପାହାଡ଼ ତଳେ, ନଦୀ ଫେରେ ସାଗରକୁ, ଦୁନିଆଁ ଜାଣେ ତ ସାଗର ବୁକୁରେ, କିଛି ଲୁହ ପୋଛା ହୁଏ, ନିଶି ବିଜନେ ଭାବେ ମନେ ଅନ୍ୟତମ। ତେବେ ତାଙ୍କର ମନଛୁଆଁ ସୁପରହିଯ୍ ଗୀତ ସବୁର ତାଲିକା ଦେଲେ ଲେଖା ଆହୁରି ଲମ୍ବିଯିବ । ରୋମାଣ୍ଟିକରୁ ଭଜନ ଯାଏ, ଦୁଃଖଭରା ଗୀତରୁ ମଜାଳିଆ ଗୀତ ଯାଏ ସୁବଥିରେ ସେ ମାହିର ଥିଲେ ।
କେବଳ ଯେ ୯୨ଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖି ଥିଲେ ତାହା ନୁହେଁ, ସେ ଆଧୁନିକ, ଚମ୍ପୁ, ଓଡିଶୀ, ଲଘୁ ସଙ୍ଗୀତ ଓ ଗଜଲ ଭଳି ୧୫ ହଜାରରୁ ଅଧିକ ଗୀତ ରଚନା କରିଛନ୍ତି। ସ୍ମୃତି ତୁମେ ଶ୍ରାବଣ ରାତି, ହେ ଫଗୁଣ ତୁମେ, ପୁଣ୍ୟର ନଦୀ ତୀରେ, ଯାଆରେ ଭାସି ଭାସି ଯାଆ, ନଦୀର ନାମ ଅଳସୀ କନ୍ୟା ଭଳି ଅନେକ ଆଧୁନିକ ଗୀତ ଗାଇଥିବା ଅକ୍ଷୟ ଓଡ଼ିଆ ଆଧୁନିକ ସଂଗୀତରେ ଆରମ୍ଭ କରିଥିଲେ ନୂଆ ଯୁଗ।

ସେ କଣ ଥିଲେ ହୁଏତ ଗୋଟିଏ ଶବ୍ଦ କି ଗୋଟିଏ ବାକ୍ୟରେ କହିବା ସହଜ ନୁହେଁ । କହୁ କହୁ ଲେଖି ପକାଉ ଥିଲେ ଗୀତ। ସବୁ କଥାରେ ତାଙ୍କୁ ଗୀତ ଦିଶୁଥିଲା । ନିଜେ ଲେଖିଥିବା ଗୀତକୁ ସେ ଯେଭଳି ମନ ଦେଇ ସଙ୍ଗୀତ ସୃଷ୍ଟି କରୁଥିଲେ, ଅନ୍ୟ ଗୀତିକାରମାନଙ୍କ ଲେଖାକୁ ମଧ୍ୟ ସେଭଳି ଜୀବନ ଦେଉଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ କେନ୍ୟୁଜ ଓଡ଼ିଶା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button