ଓଡିଶା

ଫାଶରେ କଲରାପତରିଆ ଶିକାର: ବନ୍ଧାହେଲେ ଶିକାରୀ ସମେତ ୩

ଭୁବନେଶ୍ବର: ଫାଶ ବସାଇ କଲରାପତରିଆ ଶିକାର କରିଥିଲେ। ଚମଡ଼ାକୁ ୫ ଲକ୍ଷ ଟଙ୍କାରେ ବିକିବାକୁ ଡିଲ୍ କରିଥିଲେ। କିନ୍ତୁ ବନ ବିଭାଗ ଶିକାରୀ ଓ ବେପାରୀଙ୍କ ଯୋଜନାକୁ ଭଣ୍ଡୁର କରିଦେଲା। ଗ୍ରାହକ ବେଶରେ କାରବାର କରିବାକୁ ଯାଇ ଏହି ରୢାକେଟ୍କୁ ବାନ୍ଧିଛି ଭୁବନେଶ୍ବର ବନ ବିଭାଗ। ଆଜି କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ବଦଲା ଗାଁର ବାଘ ଶିକାରୀ ଅମିତ ମଲ୍ଲିକ, ସେହି ଗଁାର ତା’ର ସହଯୋଗୀ କବିରାଜ ସ୍ବାଇଁ ଓ ବାଘ ଚମଡ଼ା କାରବାର ମଧ୍ୟସ୍ଥି ଭୁବନେଶ୍ବରର ପ୍ରବୀଣ ପ୍ରଧାନ।

ସେମାନଙ୍କଠାରୁ ଏକ କଲରାପତରିଆ ବାଘର ଚମଡ଼ା ଜବତ କରାଯାଇଛି। ପୂର୍ବରୁ ଏହି ମାମଲାରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ କାରବାରର ମିଡିଲ୍ମ୍ୟାନ୍ ବିଭୂତି ଭୂଷଣ ନାୟକ, ପୁପୁ ସାହୁ, ସନ୍ତୋଷ ସାହୁ ଓ ସନତ୍ ଉର୍ମା। ପପୁ ସାହୁ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ଜଣେ ଯବାନ ବୋଲି ଜଣାପଡ଼ିଛି।

ବନ୍ଧାହେଲେ ଶିକାରୀ ସମେତ ୩
୫ ଲକ୍ଷରେ ବିକିଥା’ନ୍ତେ
ପୂର୍ବରୁ ଗିରଫ ହୋଇଥିଲେ ୪

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ନଗର ବନଖଣ୍ଡ ଡିଏଫ୍ଓ ଅଜିତ ଶତପଥୀ ସୂଚନା ଦେଇଛନ୍ତି ଯେ ୨୮ ତାରିଖ ଦିନ ପାତ୍ରପଡ଼ା ତମାଣ୍ଡୋ କାଶୀପୁର ନିକଟରେ କଲରାପତରିଆ ବାଘ ଚମଡ଼ା ଥିବା ନେଇ ଖବର ମିଳିଥିଲା। ସ୍ଥାନୀୟ ଅଞ୍ଚଳର ବିଭୂତି ନିକଟରେ ଏହି ବାଘ ଚମଡ଼ା ରହିଛି ଏବଂ ଏକ ରୢାକେଟ୍ ଏହାକୁ ବିକିବାକୁ ଯୋଜନା ଚଳାଇଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଥିଲା। ଖବର ପକ୍କା ବୋଲି ଜାଣିବା ପରେ ଏହି ରୢାକେଟ୍କୁ ଧରିବାକୁ ବନ ବିଭାଗ ଅପରେସନ୍ ଆରମ୍ଭ କରିଥିଲା। ଜଣେ ଅଧିକାରୀ ବିଭୂତି ନିକଟରେ ପହଞ୍ଚି ବାଘ ଚମଡ଼ା କିଣିବେ ବୋଲି ମୂଲଚାଲ କରିଥିଲେ। ୨୫ ଲକ୍ଷ ଟଙ୍କାରୁ ଦର କମିକମି ୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଧୂର୍ତ୍ତ ବିଭୂତି ଛଦ୍ମବେଶରେ ଥିବା ବନ ବିଭାଗର ଅଧିକାରୀଙ୍କଠାରୁ ଅଗ୍ରିମ ଆକାରରେ ୨ ଲକ୍ଷ ଟଙ୍କା ନେବା ପରେ ଯାଇ ବାଘ ଚମଡ଼ା ଦେଖାଇଥିଲା। ଠିକ୍ ସେତିକିବେଳେ ପ୍ରସ୍ତୁତ ହୋଇ ରହିଥିବା ବନ ବିଭାଗ ଟିମ୍ ତାକୁ କାବୁ କରିଥିଲା। ବିଭୂତିଠାରୁ ସୂଚନା ପାଇ ତୁରନ୍ତ ଟିମ୍ ଅନ୍ୟ ତିନିଜଣ ପପୁ, ସନ୍ତୋଷ ଓ ସନତକୁ ପାତ୍ରପଡ଼ା ଅଞ୍ଚଳରୁ ଉଠାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଶିକାରୀକୁ ବାନ୍ଧିବାକୁ ସ୍ବତନ୍ତ୍ର ଅଭିଯାନ। ଗତକାଲି ରାତିରେ ବନ ବିଭାଗ ଟିମ୍ ବୌଦ୍ଧ ଯାଇ ଶିକାରୀ ଅମିତ, ତା ସହଯୋଗୀ କବିରାଜ ଓ ପାତ୍ରପଡ଼ାରେ ଚମଡ଼ା ପହଞ୍ଚାଇଥିବା ମଧ୍ୟସ୍ଥି ପ୍ରବୀଣକୁ ଗିରଫ କରିଥିଲା।

ଶିକାରୀ ଅମିତ ସଫେଇ ଦେବାକୁ ଯାଇ କହିଥିଲା କି ଫସଲ ନଷ୍ଟ କରୁଥିବା ମାଙ୍କଡ଼ ଧରିବାକୁ ସେ ଫାଶ ବସାଇଥିଲା। କିନ୍ତୁ ସକାଳୁ କଲରାପତରିଆ ପଡ଼ିଥିବା ଦେଖି ତା’ର ଲୋଭ ବଢ଼ିଥିଲା। ସେ କବିରାଜ ସହ ମିଶି ବାଘକୁ ମାରିବା ପରେ ତା’ ଦେହରୁ ଚମଡ଼ା ବାହାର କରି ସାଇତି ରଖିଥିଲା। ବାଘ ଚମଡ଼ା ବିକିଲେ ବହୁ ଅର୍ଥ ମିଳୁଥିବାରୁ ସେ ପ୍ରବୀଣକୁ ଜଣାଇଥିଲା। ମାତ୍ର ବନ ବିଭାଗ ଅମିତର ଏହି କଥାକୁ ବିଶ୍ବାସ କରିନାହିଁ। ଫାଶ ବସାଇ ବାଘ ଧରିବାରେ ଅମିତ ବେଶ୍ ଧୁରନ୍ଧର ବୋଲି ଜଣାପଡ଼ିଛି। ଏମିତିକି ଏହା ଏକ ବଡ଼ ରୢାକେଟ୍ ଏବଂ ପୂର୍ବରୁ ସେମାନେ ଅନେକଥର ଏହି ବେପାର କରିଥିବା ସନ୍ଦେହ କରାଯାଉଛି। ତେଣୁ ଏନେଇ ଅଧିକ ଖୋଳତାଡ଼ ଚାଲିଛି ବୋଲି କୁହାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button