ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର

ଭାପୁର,୨୬/୧୦: ଘର ଭିତରେ ବାଣ ତିଆରି କରୁଥିବା ବେଳେ ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ହୋଇଥିବା ବ୍ୟକ୍ତି ଗୋଳାପୋଖରୀ ପଞ୍ଚାୟତ ତରବାଲୋ ଗ୍ରାମର ଆନନ୍ଦ ଦଳେଇଙ୍କ ପୁଅ ଧନେଶ୍ଵର ଦଳେଇ ବୋଲି ଜଣାପଡ଼ିଛି । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗୋଳାପୋଖରୀ ପଞ୍ଚାୟତ ତରବାଲୋ ଗ୍ରାମର ଆନନ୍ଦ ଦଳେଇଙ୍କ ପୁଅ ଧନେଶ୍ଵର ଦଳେଇ ବାଣ ତିଆରି କରି ବିକ୍ରି କରିଥାନ୍ତି । ଆଗକୁ ଦୀପାବଳୀ ପର୍ବକୁ ଦୃଷ୍ଟିରେ ରଖି ଘର ଭିତରେ ବାଣ ତିଆରି କରୁଥିଲେ। ସକାଳେ ବାଣ ଭିଡୁଥିବା ବେଳେ ବାଣ ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ଧନେଶ୍ଵର ଦଳେଇଙ୍କ ହାତ, ଗୋଡ, ଦେହର ୬୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଘର ଭାଙ୍ଗି ଯାଇଛି। ଏହା ଦେଖି ତାଙ୍କ ପରିବାର ଲୋକେ ତୁରନ୍ତ ଧନେଶ୍ଵରଙ୍କୁ ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡକ୍ଟର ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି ।