ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଲ୍ ଗଲେ କଳଙ୍କିତ ଗୁରୁ – Utkal Mail
ସମ୍ବଲପୁର: ଶେଷରେ ଯୌନ ନିର୍ଯାତନା ମାମଲାରେ ଜେଲ ଯାଇଛନ୍ତି କଳଙ୍କିତ ଗୁରୁ। ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ଇଂରାଜୀ ଶିକ୍ଷକ ଅରୁଣ ଯୋଷୀ(୫୪)ଙ୍କୁ ବରେଇପାଲି ଥାନା ପୁଲିସ କୋର୍ଟଚାଲାଣ କରିଛି। ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଗିରଫ କରିଥିଲା। ତଦନ୍ତରେ ପ୍ରାଥମିକ ପ୍ରମାଣ ପାଇବା ପରେ ପୁଲିସ କୋର୍ଟଚାଲାଣ କରିଛି। ଇଂରାଜୀ ଶିକ୍ଷକଙ୍କ ନାଁରେ ପୋସ୍କୋ ଆକ୍ଟ ସହ ସଂଗୀନ ଦଫାରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ମଙ୍ଗଳବାର ଇଂରାଜୀ ଶିକ୍ଷକ ଅରୁଣ ଯୋଷୀ ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଶ୍ରେଣୀ କୋଠରୀକୁ ଡାକି ଯୌନ ନିର୍ଯାତନା ଦେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ରେ ବାର୍ଷିକ ଉତ୍ସବରେ ଇଂରାଜୀ ଶିକ୍ଷକ ଅରୁଣ କୁମାର ଯୋଷୀ କିଛି ଛାତ୍ରୀଙ୍କୁ ଉପସ୍ଥାପନା(ଆଙ୍କରିଂ) ଶିଖେଇବା ଲାଗି ଡାକିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଶରୀରର ଆପତ୍ତିଜନକ ସ୍ଥାନରେ ହସ୍ତଚାଳନା କରିଥିଲେ। ଏନେଇ ଛାତ୍ରୀଜଣଙ୍କ ପ୍ରଥମେ ଶ୍ରେଣୀ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ମାତ୍ର ସେ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ପରେ ନିଜର ପିତାମାତାଙ୍କୁ କହିଥିଲେ। ଏହାପରେ ଅଭିଭାବକମାନଙ୍କ ସହ ମିଶି ଘଟଣା ସଂପର୍କରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏହାପରେ ଅଧ୍ୟକ୍ଷଙ୍କ ଲିଖିତ ଅଭିଯୋଗ ଆଧାରରେ ବରେଇପାଲି ଥାନା ପୁଲିସ ଇଂରାଜୀ ଶିକ୍ଷକ ଅରୁଣ କୁମାର ଯୋଷୀଙ୍କୁ ଉଠାଇଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲା।
ଏ ନେଇ ପୀଡ଼ିତା ଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଅଧ୍ୟକ୍ଷ ବରେଇପାଲି ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଥିଲା। ପୁଲିସ ଅଭିଯୁକ୍ତ ଶିକ୍ଷକ ଅରୁଣଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ପୁଲିସ ଗତକାଲି କୋର୍ଟଚାଲାଣ କରିଥିବା ଜଣାଯାଇଛି।