ଆରଡ଼ି ଆଖଣ୍ଡଳମଣି ପୀଠରେ ଶିବ ବିବାହ ପାଇଁ ଶୁଭ ଲଗ୍ନ ଧରା କାର୍ଯ୍ୟ ଶେଷ

ଦେବ ଦେବ ମହାଦେବ ସାଜିବେ ବର, ମାତା ପାର୍ବତୀ ସାଜିବେ କନିଆ । ଆସନ୍ତା ୩୧ତାରିଖରେ ସମ୍ପୂର୍ଣ୍ଣ ବୈଦିକ ରୀତି ନୀତି ଅନୁସାରେ ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଅନୁଷ୍ଠିତ ହେବ ଶିବ ବିବାହ । ତେବେ ଏହି ବିବାହ ପାଇଁ ଶୁଭ ଲଗ୍ନ ଧରା କାର୍ଯ୍ୟ ଶେଷ ହୋଇଛି ।
ସୋମବାର ଅପରାହ୍ନରେ ବର କର୍ତ୍ତା ଆଲୋକ ପଣ୍ଡାଙ୍କ ଘରୁ ଶୁଭ ଲଗ୍ନ ଥାଳ ନେଇ ସେବାୟତ, ଜ୍ୟୋତିଷ, ପୁରୋହିତ ବାହାରିଥିଲେ । ଘଣ୍ଟା, କୀର୍ତନ ଓ ବିଭିନ୍ନ ବାଦ୍ୟର ତାଳେ ତାଳେ ଏକ ଶୋଭାଯାତ୍ରାରେ ମନ୍ଦିର ପରିକ୍ରମା କରି କନ୍ୟା କର୍ତ୍ତା ବିଶ୍ୱଜିତ ପାଢ଼ୀଙ୍କ ଘରେ ପହଁଚିଥିଲେ । ସେଠାରେ ରୀତିନୀତି ଅନୁସାରେ ଲଗ୍ନ ଧରା କାର୍ଯ୍ୟ ସମ୍ପନ୍ନ ହେବା ସହ ଲଗ୍ନ ଚିତଉ ପଠନ କରାଯାଇଥିଲା । ଏହାପରେ କନ୍ୟା କର୍ତ୍ତାଙ୍କ ଘରେ ସାତ ଜଣ ମହିଳା ଗୁଆ ମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ କରିଥିଲେ । ପରେ ସେହି ଲଗ୍ନ ଚିତାଉ ଦେବ ଦେବ ମହାଦେବଙ୍କ କର୍ତ୍ତାଙ୍କ ଘରେ ପଠନ କରାଯାଇଥିଲା ।
ଏହି ସବୁ କାର୍ଯ୍ୟ ରୀତିନୀତି ଅନୁସାରେ ଶେଷ କରାଯାଇଥିଲା । ଏହି ଲଗ୍ନ ଧରା କାର୍ଯ୍ୟକୁ ବହୁ ଭକ୍ତ ଭକ୍ତିର ସହ ଦର୍ଶନ କରିଥିଲେ । ତେବେ ଭାଗ୍ୟରେ ଥିଲେ ଦେବ ଦେବ ମହାଦେବ ଓ ପାର୍ବତୀଙ୍କ କର୍ତ୍ତା ହେବାର ସୌଭାଗ୍ୟ ମିଳେ ବୋଲି ଉଭୟ କର୍ତ୍ତା ପ୍ରକାଶ କରିଛନ୍ତି । ତେବେ ଚଳିତ ବର୍ଷ ବେଶ ଯାକ ଯମକରେ ଆରଡ଼ି ପୀଠରେ ଶିବ ବିବାହ ଉତ୍ସବ ସମ୍ପନ୍ନ ହେବ । ତେଣୁ ଏବେଠାରୁ ମନ୍ଦିର ପ୍ରଶାସନ ଓ ସେବାୟତ ମାନେ ନିଜ ନିଜ କାମରେ ଲାଗିପଡିଲେଣି ।

