ପ୍ରିୟଜନଙ୍କ ମୃତ୍ୟୁ ଆଣେ ଜୈବିକ ବାର୍ଦ୍ଧକ୍ୟ

ସାଧାରଣତଃ ପ୍ରିୟଜନଙ୍କ ମୃତ୍ୟୁ ପରେ ଦୁଃଖ, ଗ୍ଳାନି, ଭଗ୍ନହୃଦୟ ଓ ମୁଣ୍ଡବିନ୍ଧା ଭଳି ଶୋକଜନିତ ଶାରୀରିକ ଓ ମାନସିକ ସମସ୍ୟାରେ ଆମେ କବଳିତ ହୋଇଯାଇଥାଉ। ଜୀବନରେ ଘଟୁଥିବା ଏଭଳି ଘଟଣା ଆମକୁ ଚାପଗ୍ରସ୍ତ କରାଇବା ସହ ଆବେଗାତ୍ମକ ସଂକଟ ଆଣିଥାଏ। ଏକ ସଦ୍ୟ ଅଧ୍ୟୟନ ଅନୁଯାୟୀ, ପ୍ରିୟଜନଙ୍କ ମୃତ୍ୟୁଜନିତ ଦୁଃଖ ସହ ଜୈବିକ ବାର୍ଦ୍ଧକ୍ୟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥାଏ।
ଜୈବିକ ବାର୍ଦ୍ଧକ୍ୟ କହିଲେ ସାଧାରଣତଃ ଆମ ଶରୀରର ଜୀବକୋଷ ଓ ତନ୍ତୁଗୁଡ଼ିକ କେତେ ପୁରୁଣା, ତାହାକୁ ବୁଝାଇଥାଏ। କୋଷ ଓ ତନ୍ତୁ ସମେତ ଶାରୀରିକ କ୍ରିୟାରେ ଧୀରେ ଧୀରେ ହ୍ରାସ ଘଟିବା ଦ୍ବାରା ଦୀର୍ଘସ୍ଥାୟୀ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥାଏ। ଜୈବିକ ବାର୍ଦ୍ଧକ୍ୟ ଜଣେ ବ୍ୟକ୍ତି ବଞ୍ଚିଥିବା ଅବଧିକୁ ସୂଚିତ କରୁଥିବା ବୟସଠାରୁ ଭିନ୍ନ।
କଲମ୍ବିଆ ବିଶ୍ବବିଦ୍ୟାଳୟର ଦଳେ ଗବେଷକଙ୍କ ନିଷ୍କର୍ଷ ଅନୁଯାୟୀ, ପିତାମାତା, ଜୀବନସାଥୀ, ଭାଇଭଉଣୀ କି ସନ୍ତାନସନ୍ତତିଙ୍କ ପରି ପ୍ରିୟଜନଙ୍କ ମୃତ୍ୟୁକୁ ସାମନା କରୁଥିବା ବ୍ୟକ୍ତିଙ୍କଠାରେ ଜୈବିକ ବାର୍ଦ୍ଧକ୍ୟ ତ୍ବରିତ ହୋଇଥାଏ। ଏହାର ପ୍ରଭାବ ମଧ୍ୟମ ବୟସର ଯଥେଷ୍ଟ ପୂର୍ବରୁ ଦେଖାଯାଇଥାଏ। ସେହିପରି ଯେଉଁମାନେ ପ୍ରାପ୍ତବୟସରେ ଦୁଇ କିମ୍ବା ଅଧିକ ପ୍ରିୟଜନଙ୍କ କ୍ଷତି ଭୋଗିଥାନ୍ତି, ସେମାନଙ୍କର ଜୈବ ବାର୍ଦ୍ଧକ୍ୟ ଆହୁରି ତ୍ବରାନ୍ବିତ ହୋଇଥାଏ। ପ୍ରିୟଜନଙ୍କ ମୃତ୍ୟୁ ଓ ଜୀବନ ତମାମ ସ୍ବାସ୍ଥ୍ୟ ସମସ୍ୟା ଭୋଗିବା ମଧ୍ୟରେ ସମ୍ପର୍କ ଗୁଢ଼ ରହିଛି ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି।