ଝାଡ଼ୁ କରୁ କରୁ ହଠାତ ଖସିଲା ତାଜା, ଚମକି ପଡ଼ିଲେ ଅଙ୍ଗନୱାଡ଼ି ପାଚିକା

ଅଙ୍ଗନୱାଡ଼ି କେନ୍ଦ୍ରକୁ ପିଲାମାନେ ପ୍ରତିଦିନ ପାଠ ପଢ଼ିବାକୁ ଆସୁଛନ୍ତି । କିନ୍ତୁ ଘରର ଅବସ୍ଥା ନକହିବା ଭଲ । ଯେଉଁ ସ୍ଥାନରେ ପିଲାଙ୍କ ଭବିଷ୍ୟତ ଗଢ଼ାଯାଉଛି ସେ ଘରର ଅବସ୍ଥା ଶୋଚନୀୟ ରହିଛି । କେନ୍ଦୁଝର ନରସିଂହପୁର ସ୍ଥିତ ଅଙ୍ଗନୱାଡି କେନ୍ଦ୍ରର ତାଜା ଖସିବା ପରେ ସମସ୍ତଙ୍କ ମନରେ ଭୟ ଦେଖାଯାଇଛି । ଅଳ୍ପକେ ବର୍ତ୍ତିଛନ୍ତି କମୋଳମତି ଶିଶୁ । କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ଅଙ୍ଗନୱାଡି ତାଜା ଖସି ସିମେଣ୍ଟ ଖଣ୍ଡ ତଳେ ଖସି ପଡିଛି । ଗତ କାଲି ସକାଳ ସାଢେ ୯ଟା ବେଳେ ପାଚିକା ସଫା ସୁତୁରା କରୁଥିବାବେଲେ ଛାତରୁ ସିମେଣ୍ଟ ଖଣ୍ଡ ଖସିପଡିଥିଲା । ସୌଭାଗ୍ୟବଶତଃ ସେତେବେଳେ ଶିଶୁମାନେ ଅଙ୍ଗନୱାଡି ଆସିଥିଲେ ବି ମମତା ଗୃହରେ ଥିବାରୁ ଅଳ୍ପକେ ବିପଦ ମୁହଁରୁ ବର୍ତ୍ତି ଯାଇଥିଲେ ।
୧୯୯୯ ମସିହା ଠାରୁ ଅଙ୍ଗନୱାଡି ନିର୍ମାଣ ହୋଇଛି । ଆଜକୁ ୨୫ ବର୍ଷ ହେଲାଣି ଘର ଚଟାଣ ଭାଙ୍ଗି ରୁଜି ଯାଇଥିବାବେଳେ ଛାତ ଏବଂ ତାଜା କାନ୍ଥ ଭାଙ୍ଗି ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିଲା । ଏହି ସମସ୍ୟା ବିଷୟରେ ଅଙ୍ଗନୱାଡି ପାଚିକା ନିଲୁମଣି ମହାକୁଡଙ୍କୁ ପଚାରିବାରୁ ନୂତନ ଗୃହ ନିର୍ମାଣ କରିବା ପାଇଁ ସଦର ବିଡିଓଙ୍କୁ ଅଭିଯୋଗ କରିଛୁ ବୋଲି କହିଛନ୍ତି । ମାତ୍ର ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ପିଲାମାନଙ୍କ ପ୍ରତି ବିପଦ ରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପିଲାମାନଙ୍କ ସୁରକ୍ଷା ପାଇଁ ଅଙ୍ଗନୱାଡ଼ି ଚାରି ପାଖରେ ପାଚେରୀ ନିର୍ମାଣ କରାଯାଇନାହିଁ । କେବଳ ବିଦ୍ୟାଳୟ ସମ୍ମୁଖରେ ଅଳ୍ପ ତାର ବାଡ ଦିଆଯାଇଥିବାରୁ କୁକୁର ଗାଈ ଛେଳି ପଶୁ ପକ୍ଷୀ ଭିତରକୁ ପ୍ରବେଶ କରୁଛନ୍ତି । ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି ତୁରନ୍ତ ପିଲାମାନଙ୍କୁ ଅନ୍ୟ ସ୍ଥାନରେ ପାଠ ପଢା ଯିବ ଓ ଆଉ ଏକ ନୂତନ ଗୃହ ନିର୍ମାଣ କରାଯିବ ।
ଅଙ୍ଗନୱାଡି ଏବଂ ପ୍ରାଥମିକ ବିଦ୍ୟାଳୟ ଦ୍ୱୟ ଲାଗି ରହିଥିବାବେଳେ ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ନୂତନ ଅଙ୍ଗନୱାଡି ଗୃହ ନିର୍ମାଣ ସହିତ ପାଚେରୀ ନିର୍ମାଣ କରିବାକୁ ବର୍ତ୍ତମାନ ଦାବି ହୋଇଛି ।


