ନୀତି

ରାବଣବଧ ପରେ ଗୋମତୀ ନଦୀରେ ସ୍ନାନ କରିଥିଲେ ଶ୍ରୀରାମଚନ୍ଦ୍ର; କ’ଣ ଥିଲା କାରଣ ? – Utkal Mail


“ଗୋମତୀ ଗୋମୟ ସ୍ନାନଂ ଗୋଦାନଂ ଗୋପୀଚନ୍ଦନମ୍‌
ଦର୍ଶନଂ ଗୋପୀନାଥସ୍ୟ ଗକାରାଃ ପଞ୍ଚଦୁର୍ଲଭାଃ। -ସ୍କନ୍ଦପୁରାଣ

ସ୍କନ୍ଦପୁରାଣ ଅନୁସାରେ, ଗୋମତୀନଦୀ, ଗୋମୟସ୍ନାନ, ଗୋଦାନ, ଗୋପୀଚନ୍ଦନ ଓ ଗୋପୀନାଥ ଦର୍ଶନ– ଏହି ପାଞ୍ଚପ୍ରକାର ଗ କାର ଦୁର୍ଲଭ। ପୁଣ୍ୟଭୂମି ଭାରତଭୂଖଣ୍ଡରେ ପ୍ରାୟ ଦୁଇଶତରୁ ଅଧିକ ନଦୀ ପ୍ରବାହିତ। ସେ ମଧ୍ୟରୁ କେତେକ ନଦୀକୁ ପୁଣ୍ୟଦାୟିନୀ ଭାବରେ ପୂଜନ କରାଯାଇଥାଏ। ସେ ମଧ୍ୟରୁ ଏହି ପୁଣ୍ୟ ପ୍ରଦାୟିନୀ ଗୋମତୀ ଅନ୍ୟତମା।

ପୁରାଣର ବର୍ଣ୍ଣନା ଅନୁସାରେ, ଏକଦା ବ୍ରହ୍ମାଙ୍କର ମେନକାଦି ମାନସ ସନ୍ତାନମାନେ ଭଗବାନଙ୍କ ଦର୍ଶନ ପାଇବା ନିମିତ୍ତ କଠୋର ତପସ୍ୟାରେ ନିମଗ୍ନ ରହିଲେ। ଅନେକ ବର୍ଷ ବିତିଗଲା ପରେ ସେମାନେ ଭଗବାନଙ୍କର ପ୍ରକଟ ହେବାର ସୂଚନା ପ୍ରାପ୍ତ ହେବାରୁ, ଭଗବାନଙ୍କୁ କିପରି ପାଦ୍ୟଅର୍ଘ୍ୟ ପ୍ରଦାନ କରିବେ ସେଥିପାଇଁ ଚିନ୍ତିତ ହୋଇ ନିଜପିତା ବ୍ରହ୍ମଦେବଙ୍କୁ ସ୍ମରଣ କଲେ। ବ୍ରହ୍ମଦେବଙ୍କ ଅନୁରୋଧରେ ସରିତାଶ୍ରେଷ୍ଠା ଗଙ୍ଗା ମର୍ତ୍ତ୍ୟଲୋକରେ ବ୍ରହ୍ମର୍ଷି ବଶିଷ୍ଠଙ୍କୁ ଅନୁସରଣ କରି ବ୍ରହ୍ମପୁତ୍ର ସନକାଦିଙ୍କର ତପସ୍ୟା ସ୍ଥଳରେ ଆବିର୍ଭୂତା ହେଲେ। ପୁତ୍ରୀ ଭାବରେ ବଶିଷ୍ଠଙ୍କର ଅନୁସରଣ କରୁଥିବାରୁ ସନକାଦି ତାଙ୍କୁ ବଶିଷ୍ଠପୁତ୍ରୀ ଭାବରେ ସମ୍ବୋଧନ କରି ଆରାଧନା କଲେ ଏବଂ ତାଙ୍କର ପୁଣ୍ୟ ସଲିଳ ମଧ୍ୟରୁ ମକରକୁଣ୍ଡଳଧାରୀ ଶ୍ରୀବିଷ୍ଣୁ ପ୍ରକଟ ହୋଇ ସନକାଦିଙ୍କର ପାଦ୍ୟଅର୍ଘ୍ୟ ଗ୍ରହଣ କରି ତାଙ୍କୁ ଦର୍ଶନ ଦେଲେ। ଗୋମତୀ ଜଳରୁ ଶ୍ରୀବିଷ୍ଣୁ ପ୍ରକଟ ହେବାରୁ ଏହାର ଜଳ ପୁଣ୍ୟ ପ୍ରଦାୟିନୀ ହେଲା।

ଗୋମତୀ ଅର୍ଥାତ୍ ସ୍ୱର୍ଗରୁ ଆସିଥିବା ମତି ଅର୍ଥାତ୍ ଶୁଦ୍ଧଚିତ୍ତ ସ୍ୱରୂପିଣୀ। ତାହାଙ୍କୁ ଦର୍ଶନ କଲା ମାତ୍ରେ ମନୁଷ୍ୟର ସମସ୍ତ ପାପ ବିନଷ୍ଟ ହୋଇଯାଏ ବୋଲି କଥିତ ଅଛି। ରାବଣବଧ କରିବାରୁ ଶ୍ରୀରାମଚନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ପାପ ଲାଗିଥିଲା। ତେଣୁ ବଶିଷ୍ଠଙ୍କ ନିର୍ଦ୍ଦେଶରେ ରାମଚନ୍ଦ୍ର ଗୋମତୀରେ ସ୍ନାନ କରି ବ୍ରହ୍ମହତ୍ୟା ପାପରୁ ମୁକ୍ତ ହୋଇଥିଲେ। ଶ୍ରୀରାମଚନ୍ଦ୍ର ଯେଉଁଠାରେ ଗୋମତୀରେ ସ୍ନାନ କରିଥିଲେ, ଧୋପାପ ତୀର୍ଥ ଭାବରେ ତାହା ପ୍ରସିଦ୍ଧ। ଏହି ନଦୀରୁ ଗୋମତୀ ଚକ୍ର (ପବିତ୍ର ଶିଳାଖଣ୍ଡ) ମିଳିଥାଏ। ଏହି ନଦୀ ହିମାଳୟର ତରାଇ ଅଞ୍ଚଳର ପିଲିଭୀତ ଜିଲାର ଗୋମତୀତାଲ ନାମକ ଏକ ହ୍ରଦରୁ ବାହାରି ଅନେକ ଉପନଦୀ ସଂଯୋଗରେ ବାରାଣସୀଠାରେ ଗଙ୍ଗାରେ ମିଶିଛି। କଥିତ ଅଛି ଗ୍ରହଣରେ କାଶୀ, ମକରରେ ପ୍ରୟାଗ, ଚୈତ୍ର ନବମୀରେ ଅଯୋଧ୍ୟା ଏବଂ ଦଶହରାରେ ଧୋପାପରେ ସ୍ନାନ କଲେ ସମସ୍ତ ପାପ ନାଶ ହୁଏ। ଏହି ନଦୀରେ ଏକାଦଶୀ ସ୍ନାନ ମଧ୍ୟ ଅତ୍ୟନ୍ତ ପୁଣ୍ୟପ୍ରଦ।

– ଡକ୍ଟର ତୁଳସୀ ଓଝା




Related Articles

Leave a Reply

Your email address will not be published. Required fields are marked *

Back to top button