ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଇଡି ହାଜତକୁ ଗଲେ ନରେଶ ଗୋଏଲ୍ – Utkal Mail
ମୁମ୍ବାଇ : ୫୩୮ କୋଟି ଟଙ୍କାର କାନାରା ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ ହୋଇଥିବା ଜେଟ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ସମସ୍ୟା ବଢିଚାଲିଛି । ତାଙ୍କୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇଦିଆଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶୁକ୍ରବାର ଇଡି ଦ୍ବାରା ଗିରଫ ହୋଇଥିବା ନରେଶ ଗୋଏଲଙ୍କୁ ଶନିବାର ମୁମ୍ବାଇ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ ତାଙ୍କୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ପଠାଇ ଦିଆଯାଇଛି। ଜେଟ୍ ଏୟାରୱେଜ୍ ର ପୂର୍ବତନ ପ୍ରମୋଟର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ଇଡି ଚଳିତ ସପ୍ତାହ ଆରମ୍ଭରେ ଏକାଧିକ ସହରରେ ଚଢ଼ାଉ କରିଥିଲା। ସେହିପରି ସିବିଆଇ ମଧ୍ୟ ଏହି ମାମଲାକୁ ନେଇ ଏକ ଏଫଆଇଆର ରୁଜ୍ଜୁ କରି ତଦନ୍ତ ଚଳାଇଛି ।
୫୩୮ କୋଟି ଟଙ୍କାର କାନାରା ବ୍ୟାଙ୍କ ଠକେଇ ମାମଲାରେ ଜେଟ୍ ଏୟାରୱେଜ୍, ଗୋୟଲ, ତାଙ୍କ ପତ୍ନୀ ଅନିତା ଏବଂ କମ୍ପାନୀର କିଛି ପୂର୍ବତନ ଅଧିକାରୀଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଫଆଇଆରରୁ ଏହି ମନି ଲଣ୍ଡରିଂ ମାମଲା ସାମ୍ନାକୁ ଆସିଛି। ଜେଟ୍ ଏୟାରୱେଜ୍ (ଇଣ୍ଡିଆ) ଲିମିଟେଡ୍ (ଜେଆଇଏଲ୍)କୁ ୮୪୮.୮୬ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିବା ବେଳେ ସେଥିରୁ ୫୩୮.୬୨ କୋଟି ଟଙ୍କା ବକେୟା ଥିବା ନେଇ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଏଫ୍ଆଇଆର ରୁଜୁ ହୋଇଥିଲା।



