ଦେଶ ବିଦେଶ

ଜାତୀୟ ରାଜଧାନୀର ବାୟୁଗୁଣବତ୍ତା ‘ଅତ୍ୟନ୍ତ ଖରାପ’କୁ ଖସିଲା; ୨୬ରୁ ‘ରେଡ୍‌ ଲାଇଟ୍‌ ଅନ୍‌, ଗାଡି ଅଫ୍‌’ – Utkal Mail


ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁଗୁଣବତ୍ତା ‘ଅତ୍ୟନ୍ତ ଖରାପ’କୁ ଖସି ଆସିଥିବା ବେଳେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୋମବାର ଘୋଷଣା କରିଛନ୍ତି ଯେ ଅକ୍ଟୋବର ୨୬ ତାରିଖ ଗୁରୁବାରଠାରୁ ‘ରେଡ୍‌ ଲାଇଟ୍‌ ଅନ୍‌, ଗାଡି ଅଫ୍‌’ ଅଭିଯାନ ଆରମ୍ଭ ହେବ। ରେଡ୍‌ ଲାଇଟ୍‌ରେ ଅପେକ୍ଷା କରିବା ସମୟରେ ଲୋକଙ୍କୁ ଇଞ୍ଜିନ୍‌ ବନ୍ଦ କରିବାକୁ ଉତ୍ସାହିତ କରି ସହରରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏହି ଅଭିଯାନର ଲକ୍ଷ୍ୟ।

ରାୟ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଅଡ୍‌-ଇଭେନ୍‌ ଯାନ ରାସନିଂ ଉପରେ ବିଚାର କରା ଯାଉନାହିଁ। ତେବେ, ଦଶହରା ସମୟରେ ଦିଲ୍ଲୀରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି ବୋଲି ରାୟ କହିଛନ୍ତି।ବାୟୁ ପ୍ରଦୂଷଣ ହ୍ରାସ ଦିଗରେ ସହଯୋଗ କରିବାକୁ ସେ ଦିଲ୍ଲୀବାସୀଙ୍କୁ ନିବେଦନ କରି କହିଛନ୍ତି ଯେ ଆମେ ଯାହା ବି କାମ କରିବୁ ତାହା କେବଳ ଆମ ଉପରେ ପ୍ରଭାବ ପକାଇବ।

ଅନ୍ୟପକ୍ଷରେ, ଦିଲ୍ଲୀରେ ଜିଆରଏପି-୨ (ଗ୍ରେଡେଡ୍‌ ରେସପନ୍‌ସ ଆକ୍ସନ ପ୍ଲାନ୍‌) କାର୍ଯ୍ୟକାରୀ କରିବା ପାଇଁ ୨୮ଟି ବିଭାଗ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି।।ଏଥିରେ ୧୩ଟି ହଟ୍‌ ସ୍ପଟ୍‌ ବ୍ୟତୀତ ଅନ୍ୟ ୮ଟି ପଏଣ୍ଟ ଚିହ୍ନଟ କରାଯାଇଛି, ଯେଉଁଠାରେ ଏକୁ୍ୟୁଆଇ ୩୦୦ରୁ ଅଧିକ ରେକର୍ଡ କରାଯାଇଛି। ଏହି ୮ଟି ସ୍ଥାନରେ ସ୍ୱତନ୍ତ୍ର ଟିମ୍‌ ମୁତୟନ କରିବାକୁ ନୋଡାଲ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଠାରେ ପ୍ରଦୂଷଣର ସ୍ଥାନୀୟ ଉତ୍ସଗୁଡ଼ିକର ଆକଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସହରରେ ଧୂଳି ପ୍ରଦୂଷଣ ରୋକିବା ପାଇଁ ସରକାର ଧୂଳି ଦମନକାରୀ ପାଉଡର ବ୍ୟବହାର କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ବୋଲି ରାୟ କହିଛନ୍ତି।

ମେ’ ମାସ ପରେ ପ୍ରଥମ ଥର ପାଇଁ ଦିଲ୍ଲୀର ବାୟୁଗୁଣବତ୍ତା ’ଅତ୍ୟନ୍ତ ଖରାପ’ ହୋଇଯାଇଛି, ମୁଖ୍ୟତଃ ତାପମାତ୍ରା ହ୍ରାସ ଏବଂ ପବନର ବେଗ ଯୋଗୁଁ ପ୍ରଦୂଷଣ ଜମା ହୋଇଛି। ରାଜଧାନୀର ୨୪ ଘଣ୍ଟାର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ରବିବାର ୩୧୩ ଥିବା ବେଳେ ଶନିବାର ଏହା ୨୪୮କୁ ଖସି ଆସିଛି।

ଦିଲ୍ଲୀରେ ବାୟୁର ମାନ ଅତି ଖରାପ ସ୍ତରକୁ ଚାଲିଯାଇଥିବାରୁ ଏନ୍‌ଜିଟି (ଜାତୀୟ ଗ୍ରିନ୍‌ ଟ୍ରିବୁନାଲ) ଉକ୍ତ ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ଏବଂ କେନ୍ଦ୍ର, ଦିଲ୍ଲୀ ସରକାର ଓ ଏମ୍‌ସିଡି (ମୁନିସିପାଲ କର୍ପୋରେସନ ଅଫ୍‌ ଦିଲ୍ଲୀ)ଠାରୁ ଏଟିଆର୍‌ (ଆକ୍ସନ ଟେକେନ୍‌ ରିପୋର୍ଟ) ତଥା କେଉଁ କାର୍ଯ୍ୟପନ୍ଥା ଗ୍ରହଣ ହୋଇଛି ସେନେଇ ରିପୋର୍ଟ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ସମେତ ମୋଟ୍‌ ୧୦ଟି ସହରର ପ୍ରଦୂଷଣ ଏବେ ଚିନ୍ତା ବଢ଼ାଇଛି। ଦିଲ୍ଲୀ, ଫରିଦାବାଦ, ଗାଜିଆବାଦ, ନଏଡ଼ା ଏବଂ ମିରଟ ଯଥାକ୍ରମେ ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ପ୍ରଥମ ୫ଟି ସ୍ଥାନରେ ରହିଛି। ଏହା ପଛକୁ ବିହାରର ପାଟନା‌ ଏବଂ ମୁଜାଫରପୁର ରହିଛି। ଏକ୍ୟୁଆଇ ସ୍କେଲ୍‌ ଅନୁଯାୟୀ ବାୟୁର ମାନ ୩୦୧ରୁ ୪୦୦ ମଧ୍ୟରେ ରହିବା ଅତି ଖରାପ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button