ଦେଶ ବିଦେଶ

ପୁଅ-ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କଲେ ବୃଦ୍ଧ ଦମ୍ପତି – Utkal Mail


ନୂଆଦିଲ୍ଲୀ: ପୁଅ-ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନ୍ୟାୟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଗୁହାରି କରିଛନ୍ତି ବୃଦ୍ଧ ଦମ୍ପତି | ଏହି ଦମ୍ପତି ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଦିଲ୍ଲୀ ଉପରାଜ୍ୟପାଳ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ବୃଦ୍ଧ ଦମ୍ପତି ଅଭିଯୋଗ କରିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କ ପୁଅ ଓ ବୋହୂ ଘରେ ରହିବାକୁ ଦେଉନାହାଁନ୍ତି କିମ୍ବା ଘର ଛାଡ଼ୁନାହାଁନ୍ତି | ଅଭିଯୋଗ ମୁତାବକ ଏକ ବର୍ଷ ପୂର୍ବେ କୋର୍ଟ ଘର ଖାଲି କରି ବୃଦ୍ଧ ଦମ୍ପତିଙ୍କୁ ଘର ଦେବାକୁ ନିର୍ଦ୍ଦେଶ ଦେଇଥିଲେ | ଏହା ସତ୍ତ୍ୱେ ବି ପୁଅ-ବୋହୂ ଘର ଖାଲି କରିନଥିଲେ | ଏହାପରେ ବୃଦ୍ଧ ଦମ୍ପତି ହର୍ଷ ବିହାର ପୁଲିସ ଷ୍ଟେସନଠାରୁ ଆରମ୍ଭ କରି ପ୍ରଶାସନକୁ ମଧ୍ୟ ଏନେଇ ଜଣାଇଥିଲେ |

କେବଳ ଏତିକି ନୁହେଁ ବୃଦ୍ଧ ଦମ୍ପତି ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ମିଛ ମାମଲାରେ ଫସାଇଦେବାକୁ ଏବେ ପୁଅ-ବୋହୂ ଧମକ ଦେଉଛନ୍ତି | ମିଳିଥିବା ସୂଚନା ମୁତାବକ ୭୩ ବର୍ଷୀୟ ବୁଦ୍ଧିରାମ ଏବଂ ତାଙ୍କ ପତ୍ନୀ ସାବିତ୍ରୀ (୬୫) ହର୍ଷ ବିହାରରେ ରୁହନ୍ତି | ବୁଦ୍ଧିରାମ ଓ ତାଙ୍କ ପତ୍ନୀଙ୍କୁ ପୁଅ ଓ ବୋହୂ ସବୁବେଳେ ହଇରାଣ କରିଆସୁଥିଲେ | ଏହାପରେ ବୁଦ୍ଧିରାମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ | ଏହାପରେ କୋର୍ଟ ପୁଅ-ବୋହୂଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ବି ସେମାନେ ମାନିନଥିଲେ | ଜୁନ୍ ୯ରେ ହର୍ଷ ବିହାର ପୁଲିସ ଷ୍ଟେସନକୁ କୋର୍ଟ ତାଗିଦ କରି କହିଥିଲେ ଯେ ଘର ଖାଲି କରି ବୃଦ୍ଧ ଦମ୍ପତିଙ୍କୁ ଘର ହସ୍ତାନ୍ତର କରାଯାଉ | ଏହା ସତ୍ତ୍ୱେ ବି ଘର ଖାଲି ହୋଇନଥିଲା | ଏହାପରେ ପୁଅ ଓ ବୋହୂ ସେମାନଙ୍କୁ ମିଛ ମାମଲାରେ ଫସାଇଦେଉଥିବାର ଧମକ ଦେଉଛନ୍ତି | ଏସବୁ ଘଟଣାକୁ ନେଇ ଏବେ ବୁଦ୍ଧିରାମ ୯ ଅଗଷ୍ଟ ୨୦୨୩ରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଦିଲ୍ଲୀ ଉପରାଜ୍ୟପାଳ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି | ଏହି ଚିଠିରେ ବୃଦ୍ଧ ଦମ୍ପତି ତୁରନ୍ତ ଘର ଖାଲି କରି ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button