କ୍ରାଇମ

ନାବାଳିକା ହତ୍ୟା ମାମଲାର ପର୍ଦ୍ଦାଫାସ୍‌: କାଠଫାଳିଆରେ ପିଟି ମାରିଥିଲା ମାମୁ – Utkal Mail


ଭାଣିଜୀ ହତ୍ୟାକାରୀ ଓ ସହଯୋଗୀ ଗିରଫ

ଚନ୍ଦ୍ରଶେଖରପୁର: ବାପାମା’ ଯେଝା ବାଟରେ ନାବାଳିକାକୁ ଛାଡ଼ି ଚାଲିଗଲେ। ବାପା ପର ସ୍ତ୍ରୀକୁ ନେଇ ପଳାଇଥିବା ବେଳେ ମା’ ବି ପରପୁରୁଷ ପ୍ରେମ‌ରେ ପଡ଼ି ଝିଅକୁ ଛାଡ଼ି ପଳାଇଲା। ନିଜ ପେଟକୁ ଦାନା ମୁଠାଏ ଯୋଗାଡ଼ କରିବାକୁ ସଂଘର୍ଷ କରୁଥିବା ବୃଦ୍ଧ ଜେଜେବାପା ଓ ଜେଜେମା’ଙ୍କ ବଳ ନଥିଲା ନାତୁଣୀ ମୁହଁରେ ଆହାର ଦେବାକୁ। ତେଣୁ ସେମାନେ ବାଧ୍ୟ ‌ହୋଇ ମାମୁ ମାଇଁଙ୍କ ପାଖରେ ନାତୁଣୀକୁ ଛାଡ଼ିଥିଲେ। କିନ୍ତୁ ବାପାମା’ ଛେଉଣ୍ଡ ନାବାଳିକାର ଦୁଃଖ ଏଇଠି ସରିନଥିଲା। ଗଣ୍ଡାଏ ଖାଇବାକୁ ଓ ଖଣ୍ଡେ ପିନ୍ଧିବାକୁ ଦେବାକୁ ପଡ଼ୁଥିବାରୁ ବୋଝ ପାଲଟିଥିବା ଭାଣିଜୀକୁ ନିଷ୍ଠୁର ମାମୁ ଶେଷରେ କାଠଫାଳିଆରେ ପିଟି ମାରିଦେଲା। ଏଭଳି ହୃଦୟବିଦାରକ କାହାଣୀ କୌଣସି ଗପ କି ନାଟକର କଥା ନୁହେଁ। ଗତ ୧୧ ତାରିଖ ଦିନ ଇନ୍‌ଫୋସିଟି ଥାନା ନନ୍ଦନବିହାର ହାଉସିଂବୋର୍ଡ କଲୋନିରୁ ମିଳିଥିବା ନାବାଳିକାର ଗଳିତ ଶବ ଘଟଣା ପଛର କରୁଣ କାହାଣୀ। ଆଜି ଇନ୍‌ଫୋସିଟି ଥାନା ପୁଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ଭାଣିଜୀ ହତ୍ୟାକାରୀ ମାମୁ ଓ ଶବ ଫୋପାଡ଼ିବାରେ ସହଯୋଗ କରିଥିବା ସାଥୀକୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଶିଖରଚଣ୍ଡୀ ବସ୍ତି ଅଞ୍ଚଳର ମାମୁ ସୁଖଲାଲ୍‌ ସୋଏ (୨୯) ଓ ତା’ ସହଯୋଗୀ ନରେନ୍ଦ୍ର ସିଂ(୩୫)।

ଭାଣିଜୀ ହତ୍ୟାକାରୀ ଓ ସହଯୋଗୀ ଗିରଫ
ବାପାମା’ ଛାଡ଼ି ପଳାଇଥିଲେ, ମାମୁ ମାରିଦେଲା

କେମିତି ଧରାପଡ଼ିଲା ହତ୍ୟାକାରୀ ମାମୁ
ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ନାବାଳିକା ହତ୍ୟାକାଣ୍ଡକୁ ନେଇ ପ୍ରଥମରୁ ପୁଲିସ ଗୁରୁତ୍ବର ସହ ତଦନ୍ତ ଚଳାଇଥିଲା। ଗଳିତ ଶବର ମୁଣ୍ଡରେ ଆଘାତ ଚିହ୍ନ ଥିବାରୁ ତାକୁ କେହି କୌଣସି ଓଜନିଆ ବସ୍ତୁରେ ପିଟି ମାରିଥିବା ଜଣାପଡ଼ିଥିଲା। ତେଣୁ ନାବାଳିକାର ପରିଚୟ ମିଳିବା ପରେ ପୁଲିସ ବୃଦ୍ଧ ଜେଜେବାପା ଓ ଜେଜେମା’ଙ୍କୁ ପଚରାଉଚରା କରିଥିଲା। ସେମାନେ ନାତୁଣୀକୁ ମାମୁ ସୁଖଲାଲ୍ ଘରେ ଛାଡ଼ିଥିବା କହିବା ପରେ ସୁଖଲାଲ୍‌କୁ ପଚରାଉଚରା କରାଯାଇଥିଲା। ନାବାଳିକା ୯ ତାରିଖରୁ ନିଖୋଜ ଥିଲେ ବି ସୁଖଲାଲ୍‌ ଥାନାରେ ଜଣାଇନଥିଲେ। କିନ୍ତୁ ୧୧ ତାରିଖରେ ମୃତଦେହ ଜବତ ହେବା ଓ ୧୨ ତାରିଖରେ ପରିଚୟ ମିଳିବା ପରେ ସେ ଥାନାକୁ ଯାଇ ହତ୍ୟା ଅଭିଯୋଗ କରିବା ସହ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲା। କିନ୍ତୁ ୯ ତାରିଖରୁ ଭାଣିଜୀ ନିଖୋଜ ଥିଲେ ବି କ’ଣ ପାଇଁ ପୁଲିସକୁ ଜଣାଇନଥିଲା ବୋଲି ପ୍ରଶ୍ନରେ ସେ ପୁଲିସକୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା। ବରଂ ତା’ ହାବଭାବ ସନ୍ଦେହଜନକ ଥିଲା। ତେଣୁ ପୁଲିସ ସୁଖଲାଲ୍‌ର ମୋବାଇଲ୍‌ ଟ୍ରାକ୍‌ କରିବା ଆରମ୍ଭ କରିଥିଲା। ସେ ବେଶି ସମୟ ନରେନ୍ଦ୍ର ସହ କଥା ହେଉଥିବାରୁ ପୁଲିସ ତାକୁ ବି ସନ୍ଦେହକୁ ନେଇଥିଲା। ସେହିଭଳି ହତ୍ୟାକାଣ୍ଡର ବଡ଼ ପ୍ରମାଣ ମିଳିଥିଲା ସିସିଟିଭି ଫୁଟେଜ୍‌ରୁ। ହାଉସିଂବୋର୍ଡ କଲୋନି ଓ ଆଖପାଖ ଅଞ୍ଚଳରୁ ପୁଲିସ ମୋଟ ୧୧ ଟି ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରିଥିଲା। ୯ ତାରିଖ ରାତିରେ ୨ ଜଣ ବ୍ୟକ୍ତି ନାବାଳିକାର ଶବକୁ କାନ୍ଧରେ ନେଉଥିବାର ଦୃଶ୍ୟ ମିଳିବା ପରେ ପୁଲିସକୁ ସୁରାକ ମିଳିଥିଲା। ପ୍ରଥମେ ନରେନ୍ଦ୍ରକୁ ଉଠାଇ ପଚରାଉଚରା କରିବା ପରେ ସେ ସତ ମାନିଯାଇଥିଲା। ଆଜି ଉଭୟ ସୁଖଲାଲ୍‌ ଓ ନରେନ୍ଦ୍ରକୁ ନେଇ ସିନ୍‌ ରିକ୍ରିଏସନ୍‌ କରାଯାଇଛି ଏବଂ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି।

ଘଟଣା ଘଟିଥିଲା ଏମିତି
୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ନାବାଳିକାକୁ ନେଇ ସୁଖଲାଲ୍‌ ପରିବାରରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ସେମାନେ ବେଶ୍ ଗରିବ ହୋଇଥିବାରୁ ନିଜ ପିଲାଙ୍କୁ ଚଳାଇବା କଷ୍ଟକର ଥିଲା। ତେଣୁ ନାବାଳିକାର ବୋଝ ବୋହିବାକୁ ନେଇ ଘରେ ଅଶାନ୍ତି ଲାଗିରହୁଥିଲା। ଘଟଣା ଦିନ ରାଗରେ ସୁଖଲାଲ୍ ଭାଣିଜୀ ମୁଣ୍ଡକୁ ଏକ କାଠଫାଳିଆରେ ପିଟି ଦେଇଥିଲା। କିନ୍ତୁ ବିଚାରି ମରିଯିବ ବୋଲି ତା’ର ଧାରଣା ନଥିଲା। ମାତ୍ର ସେ ମରିଯିବା ପରେ ତା’ ବୁଦ୍ଧି ହଜିଯାଇଥିଲା। ଜେଲ୍‌ ଯିବା ଭୟରେ ସେ ଶବକୁ ଫୋପାଡ଼ି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା। ଏଥିରେ ତାକୁ ସହଯୋଗ କରିଥିଲା ନରେନ୍ଦ୍ର। ସେ ସେଠାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବାରୁ ହାଉସିଂବୋର୍ଡ କଲୋନି ଭିତର ଅପନ୍ତରା ଜାଗାକୁ ବାଛିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button