ଆମ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛନ୍ତି କାନାଡା କୂଟନୀତିଜ୍ଞ : ଭାରତ – Utkal Mail
ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ କାନାଡାର ୪୧ ଜଣ କୂଟନୀତିଜ୍ଞଙ୍କ ବହିଷ୍କାରକୁ ନେଇ କାନାଡା ସରକାର ଭାରତ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହା ଅନ୍ତର୍ଜାତୀୟ ଆଇନ ଓ ଭିଏନା କନଭେନସନର ଉଲ୍ଲଙ୍ଘନ ବୋଲି କାନାଡା କହିଛି । ଏହା ସହିତ ଚଣ୍ଡିଗଡ଼, ବେଙ୍ଗାଲୁରୁ ଓ ମୁମ୍ବାଇରେ ଥିବା କାନାଡା କନସୁଲେଟରେ ଭିସା ସେବାକୁ ସ୍ଥଗିତ ରଖାଯାଇଛି ।
କାନାଡାର ଏହି ଅଭିଯୋଗର ଜବାବ ଦେଇଛି ଭାରତର ବୈଦେଶିକ ମନ୍ତ୍ରାଳୟ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏକ ବିବୃତିରେ କହିଛନ୍ତି, କୂଟନୀତିଜ୍ଞମାନଙ୍କୁ ନେଇ କାନାଡା ସରକାର ଦେଇଥିବା ବୟାନ ଆମେ ଦେଖିଛୁ। କାନାଡାର କୂଟନୀତିଜ୍ଞମାନେ ଭାରତରେ ଅଧିକ ସଂଖ୍ୟାରେ ଅଛନ୍ତି। ସେମାନେ ଆମର ଆଭ୍ୟନ୍ତରୀଣ ବ୍ୟାପାରରେ କ୍ରମାଗତ ହସ୍ତକ୍ଷେପ କରୁଛନ୍ତି।
ନୂଆଦିଲ୍ଲୀ ଏବଂ ଓଟାୱାରେ ଥିବା ଦୁଇ ଦେଶର କୂଟନୀତିଜ୍ଞ ସଂଖ୍ୟାରେ ସମାନତା ରହିବା ଆବଶ୍ୟକ । ଆମେ ଗତ ମାସରୁ ଏ ବିଷୟରେ କାନାଡା ପକ୍ଷ ସହ କଥା ବାର୍ତ୍ତା କରୁଛୁ । ଏହି ସମାନତାକୁ କାର୍ଯ୍ୟକାରୀ କରିବା ପାଇଁ ଆମର ପଦକ୍ଷେପ ଠିକ୍, ଆମେ ଯାହା କରିଛୁ ତାହା ଭିଏନା ଚୁକ୍ତିର ଧାରା ୧୧.୧ ଅଧୀନରେ ଅଛି । ଏଭଳି ପରିସ୍ଥିତିରେ ଏହାକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି ଦର୍ଶାଇବାର ପ୍ରୟାସକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ।
କେଉଁଠୁ ଆରମ୍ଭ ହୋଇଥିଲା ଭାରତ-କନାଡା ବିବାଦ ?
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିକଟରେ ଦାବି କରିଥିଲେ ଯେ ଜୁନ୍ ୧୮ ରେ ବ୍ରିଟିଶ କଲମ୍ବିଆରେ ନିଜାରଙ୍କ ହତ୍ୟାକାଣ୍ଡରେ ଜଣେ ଭାରତୀୟ ଏଜେଣ୍ଟ ସମ୍ପୃକ୍ତ ଥାଇପାରନ୍ତି। ଭାରତ ଏହି ଅଭିଯୋଗକୁ ଅଯଥା ବୋଲି କହିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲା। ଏହା ପରେ କାନାଡା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ତାଙ୍କ ନାମ ମଧ୍ୟ ସାର୍ବଜନୀନ କରିଥିଲା । ଏହାର ଜବାବରେ ମଧ୍ୟ ଭାରତ କାନାଡାର ଅତିରିକ୍ତ କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର କରିବାକୁ କାନାଡାକୁ କହିଥିଲା ।



