ନୀତି

ମହାଶକ୍ତିର ଝଲକ : ଏସିଆଡ୍‌ରେ ଉତ୍‌ଥାନ, ଅନେକ ପ୍ରଥମ – Utkal Mail


୨୦୧୮ ମସିହାରେ ଅନୁଷ୍ଠିତ ଏସିଆଡ୍‌ରେ ସତୁରୀ ପଦକ, ଚଳିତ ବର୍ଷ ୧୦୦ରୁ ଊର୍ଦ୍ଧ୍ବ ପଦକ। ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଏହିଭଳି ଲମ୍ଫକୁ ଦୃଷ୍ଟିକୁ ଆଣିଲେ କ୍ରୀଡ଼ା କ୍ଷେତ୍ରରେ ଭାରତ ଏକ ମହାଶକ୍ତିରେ ପରିଣତ ହେବାକୁ ଯାଉଛି। ତା’ ପୂର୍ବରୁ ବିଚ୍ଛୁରିତ ହୋଇଛି ସଫଳତାର ଝଲକ। ସେହି ଏସୀୟ କ୍ରୀଡ଼ାରେ ଭାରତର କିଭଳି ପ୍ରଦର୍ଶନ ରହିଥିଲା, ସେ ସମ୍ପର୍କରେ ସୁରେଶ ସ୍ବାଇଁଙ୍କ ବିଶ୍ଳେଷଣ।

ଭାରତରେ କ୍ରିକେଟ୍‌ ଖେଳକୁ ସବୁଠାରୁ ଲୋକପ୍ରିୟ ଧର୍ମ ଭାବେ ବିବେଚନା କରାଯାଏ। ଆଉ ଏହି ଧର୍ମର ମହାକୁମ୍ଭ ମାନ୍ୟତା ରଖୁଥିବା ଦିନିକିଆ କ୍ରିକେଟ୍‌ର ବିଶ୍ବକପ୍‌ ମଧ୍ୟ ଏବେ ଭାରତରେ ଚାଲିଛି। ଠିକ୍ ଏହି ସମୟରେ ଚୀନ୍‌ର ହାଙ୍ଗ୍‌ଝୌରେ ଶେଷ ହୋଇଥିବା ୧୯ତମ ଏସୀୟ କ୍ରୀଡ଼ାରେ ଭାରତର ଅଭୂତପୂର୍ବ ସଫଳତା ଅନେକ ମାତ୍ରାରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଉଲ୍ଲସିତ ହେବାର ସୁଯୋଗ ଆଣି ଦେଇଛି। ପାର୍ବଣ ଋତୁ ପୂର୍ବରୁ ଖୁସି ମନାଇବାର ଅନେକ କାରଣ ବି ଦେଇଛି। କ୍ରିକେଟ୍ ବିଜୟର ଆନନ୍ଦଠାରୁ ଦେଶକୁ ଯେ ଅଧିକ ଗର୍ବ, ଗୌରବ, ପ୍ରତିଷ୍ଠା ଓ ପତିଆରା ବଢ଼ାଇବାର ସୁଯୋଗ ଅଣ କ୍ରିକେଟ୍‌ ଖେଳଗୁଡ଼ିକରୁ ମିଳିପାରିବ, ଏହି ଅନୁଭବ ଆଣିଛି। ସଂକ୍ଷେପରେ କହିଲେ ଦେଶରେ କ୍ରୀଡ଼ା ସଂସ୍କୃତି ନ ଥିଲେ ମଧ୍ୟ ଭାରତ ଯେ ବିଶ୍ବର କ୍ରୀଡ଼ା ମହାଶକ୍ତି ହୋଇ ପାରିବ ଏହି ବିଶ୍ବାସ ଓ ଆତ୍ମପ୍ରତ୍ୟୟ ଜନ୍ମ ନେଇଛି। ବିଗତ କିଛି ବର୍ଷ ହେବ ସରକାରଙ୍କ ହାତଖୋଲା ସମର୍ଥନ ଏବଂ ପ୍ରୋତ୍ସାହନ କ୍ରୀଡ଼ା ସଂସ୍କୃତିକୁ ପରମ୍ପରାରେ ପରିଣତ କରିଛି। ଖେଳକୁ କ୍ୟାରିୟର୍ କରିବାକୁ ଯୁବ ପିଢ଼ି ମଧ୍ୟରେ ଆଗ୍ରହ ମଧ୍ୟ ବଢ଼ିଛି। ଅନେକ ସମୟରେ ବିଶ୍ବର ଦୁଇ ଜନବହୁଳ ଦେଶ ଚୀନ୍‌ ଓ ଭାରତର ଅଲିମ୍ପିକ୍ସ ସଫଳତାକୁ ତୁଳନା କରାଯାଇଥାଏ। ଉଭୟ ଦେଶର କ୍ରୀଡ଼ା ସଫଳତା ମଧ୍ୟରେ ତୁଳନା କରିବା ଆକାଶପାତାଳ ଭଳି ଦୃଶ୍ୟମାନ ହୁଏ। ଅନ୍ୟତମ ଲୋକସଂଖ୍ୟା ବହୁଳ ଦେଶ ଆମେରିକାକୁ ଅଲିମ୍ପିକ୍ସରେ ଚୀନ୍‌ ଟକ୍କର ଦେଇ ଆସୁଥିବାବେଳେ ଭାରତ ପ୍ରତିଟି ପଦକ ପାଇଁ ସଂଘର୍ଷ କରୁଛି। ୨ ବର୍ଷ ତଳେ‌ ‌ଟୋକିଓ- ୨୦୨୦ରେ ଗୋଟିଏ ସ୍ବର୍ଣ୍ଣ ସହ ୭ ପଦକ ଜିତିଥିଲେ ମଧ୍ୟ ଏହା ଥିଲା ୧୨୧ ବର୍ଷର ଅଲିମ୍ପିକ୍ସ ଇତିହାସରେ ଥିଲା ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଏବେ ହାଙ୍ଗ୍‌ଝୌ ଏସୀୟ କ୍ରୀଡ଼ାରେ ଭାରତ ୨୮ ସ୍ବର୍ଣ୍ଣ ପଦକ ସହ ୧୦୭ ପଦକ ଜିତି ଆଉ ଏକ ଅଭୂତପୂର୍ବ ସଫଳତା ପାଇ ଚର୍ଚ୍ଚାକୁ ଜୋର୍‌ କରିଛି। ଏସୀୟ କ୍ରୀଡ଼ାର ୭୨ ବର୍ଷ ଇତିହାସରେ ଭାରତ କେବେ ଏତେ ସ୍ବର୍ଣ୍ଣ ପଦକ କି ସମୁଦାୟ ୧୦୦ ପଦକ ଛୁଇଁବା ସ୍ବପ୍ନ ହୋଇ ନ ଥିଲା। ୫ ବର୍ଷ ତଳେ ଏସିଆଡ୍‌ରେ ଶ୍ରେଷ୍ଠ ସଫଳତା ମିଳିଥିବା ୭୦ ପଦକଠାରୁ ଭାରତ ଏଥର ଦେଢ଼ ଗୁଣା ଅଧିକ ପଦକ ଜିତିବା ସବୁଠାରୁ ବଡ଼ ଉପଲବ୍‌ଧି। କ୍ରୀଡ଼ା ଦୁନିଆରେ ଅଲିମ୍ପିକ୍ସ ଏବଂ ଏସୀୟ କ୍ରୀଡ଼ା ଦୁଇଟି ପ୍ରମୁଖ ପ୍ରତିଯୋଗିତା ହୋଇଥିବାରୁ ଏହି ଦୁଇ ମଞ୍ଚରୁ ଭାରତର ଉନ୍ନତ ପ୍ରଦର୍ଶନ ହିଁ ଭବିଷ୍ୟତରେ ଦେଶକୁ କ୍ରୀଡ଼ା ମହାଶକ୍ତି ମୁହଁା କରିବ ବୋଲି ଆଶାପୋଷଣ ହୋଇଛି। ତଥାପି ଏଭେରେଷ୍ଟ ଶିଖର ଭଳି ଲକ୍ଷ୍ୟ ପଥରେ ପହଞ୍ଚିବାକୁ ଅନେକ କଷ୍ଟସାଧ୍ୟ ବାଟ ଯିବାକୁ ଅଛି।

ଏସିଆଡ୍‌ରେ ଉତ୍‌ଥାନ

୧୯୫୧ ମସିହାରେ ଭାରତରୁ ହିଁ ଆରମ୍ଭ ହୋଇଥିଲା ଏସୀୟ କ୍ରୀଡ଼ା। ଇତିମଧ୍ୟରେ ୭୨ ବର୍ଷ ଏବଂ ୧୯ ସଂସ୍କରଣ ଶେଷ ହୋଇଛି। ଭାରତ କେବେ ଦଳଗତ ଭାବେ ବିଜେତା‌ ହୋଇପାରିନାହିଁ। ପ୍ରଥମ ସଂସ୍କରଣ ନୂଆଦିଲ୍ଲୀରେ ୧୫ ସ୍ବର୍ଣ୍ଣ ସହ ୫୧ ପଦକ ଜିତି ଭାରତ ଦ୍ବିତୀୟ ସ୍ଥାନରେ ରହିଥିଲା, ଯାହାକି ମାନ୍ୟତା ଦୃଷ୍ଟିକୋଣରୁ ଶ୍ରେଷ୍ଠ ହୋଇ ରହିଛି। କିନ୍ତୁ ସଦ୍ୟ ସମାପ୍ତ ହାଙ୍ଗ୍‌ଝୌ ଏସୀୟ କ୍ରୀଡ଼ାରେ ଭାରତ ୨୮ ସ୍ବର୍ଣ୍ଣ ସହ ୧୦୭ ପଦକ ଜିତି ପ୍ରଥମ ଥର ତିନି ଅଙ୍କ ଛୁଇଁ ବଡ଼ ଲମ୍ଫ ମାରିଛି। ଏହା ମଧ୍ୟରେ ୩୮ ରୌପ୍ୟ ପଦକ ଏବଂ ୪୧ କାଂସ୍ୟ ପଦକ ରହିଛି। ଏହାର ଅର୍ଥ ଭାରତ ୨୮ଟି ଖେଳ ଶୃଙ୍ଖଳାରେ ଏସିଆଡ୍‌ ବିଜେତା ହୋଇ ଗୌରବମୟ ଅଧ୍ୟାୟକୁ ଆଗକୁ ନେଇଛି। କାରଣ ୫ ବର୍ଷ ତଳେ ଜାକର୍ତ୍ତାରେ ଅନୁଷ୍ଠିତ ୧୮ତମ ଏସିଆଡ୍‌ରେ ଭାରତ ୧୬ ସ୍ବର୍ଣ୍ଣ ପଦକ ସହ ୭୦ ପଦକ ଜିତିବା ଥିଲା ଗତ ସପ୍ତାହ ପର୍ଯ୍ୟନ୍ତ ଭାରତୀୟ କ୍ରୀଡ଼ା ଇତିହାସରେ ଶ୍ରେଷ୍ଠ ପ୍ରଦର୍ଶନ। ଏବେ ଶତକୀୟ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଯିବା ଭାରତର ଦ୍ରୁତ ଉତ୍‌ଥାନର ସଙ୍କେତ ଦେଇଛି। ୨୦୦୬ ସଂସ୍କରଣଠାରୁ ଭାରତ ଲଗାତାର ଭାବେ ୫୦ରୁ ଅଧିକ ପଦକ ଜିତି ଆସୁଥିଲେ ମଧ୍ୟ ଶତକ ସବୁବେଳେ ମନୋବଳ ବଢ଼ାଇବାର ଏକ ବଡ଼ ବିଶ୍ବାସ ହୋଇଛି।

କେଉଁ ଖେଳରେ ଆମେ ଶ୍ରେଷ୍ଠ
ହ‌ାଙ୍ଗ୍‌ଝୌରେ ଭାରତ ମୋଟ ୩୫ ଖେଳରେ ଭାଗ ନେଇଥିଲା। ୩୩୩ ମହିଳାଙ୍କ ସହ ମୋଟ ୬୬୧ ଜଣ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଥିଲେ। ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ, ୪୧ କାଂସ୍ୟ ପଦକ ଜିତି ଫେରିଛି ଭାରତ। ତେବେ ମାତ୍ର ୪ଟି ଖେଳ ରହିଛି ଯେଉଁଥିରେ ଭାରତ ସେଥିରେ ସର୍ବାଧିକ ପଦକ ଜିତି ପ୍ରଧାନ୍ୟ ବିସ୍ତାର କରିଥିଲା। ତା’ ‌ହେଉଛି-ତୀରନ୍ଦାଜି, କ୍ରିକେଟ୍‌, କବାଡ଼ି ଓ ହକି। କ୍ରିକେଟ୍ ଓ କବାଡ଼ିରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ମୂଳପୋଛ ସଫଳତା ପାଇଥିଲା। ହକିରେ ପୁରୁଷ ଦଳ ସ୍ବର୍ଣ୍ଣ ଏବଂ ମହିଳା କାଂସ୍ୟ ପଦକ ଜିତିଥିଲେ। ତୀରନ୍ଦାଜିରେ ଭାରତୀୟମାନେ ପ୍ରଭୁତ୍ବ ଜାହିର କରି ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ କାଂସ୍ୟ ପଦକ ଜିତିଥିଲେ। ଓଜାସ ଦେଓତାଲେ, ଜ୍ୟୋତି ସୁରେଖା ଭେନମ ବ୍ୟକ୍ତିଗତ କମ୍ପାଉଣ୍ଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିବା‌େବ‌ଳେ କମ୍ପାଉଣ୍ଡ ପୁରୁଷ ଓ ମହିଳା ଦଳ ଏବଂ ମିଶ୍ରିତ ଯୁଗଳ ଦଳ ମଧ୍ୟ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଥ‌ିଲେ। କ୍ରିକେଟ୍ ପୁଣି ଏସୀୟ କ୍ରୀଡ଼ାରେ ଯୋଡ଼ି ହେବା ଏବଂ ଭାରତ ଏଥର ଦଳ ପଠାଇବା ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି ଥିଲା। କାରଣ ୨୦୧୦ ଏବଂ ୨୦୧୪ରେ କ୍ରିକେଟ୍ ସାମିଲ ଥିବାବେଳେ ଭାରତ ଦଳ ପଠାଇ ନ ଥିଲା। ଅନ୍ୟ ଦୁଇ ଖେଳ ହେଉଛି ବନ୍ଧୁକଚାଳନା ଏବଂ ଦୌଡ଼କୁଦ ଯେଉଁଥିରୁ ଭାରତ ସର୍ବାଧିକ ପଦକ ଜିତିଥିଲା। ବନ୍ଧୁକଚାଳନାରୁ ୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୬ ‌କାଂସ୍ୟ ସହିତ ୨୨ ପଦକ ଅମଳ କରିଥିଲେ। ଦୌଡ଼କୁଦରୁ ୬ ସ୍ବର୍ଣ୍ଣ, ୧୪ ରୌପ୍ୟ, ୯ କାଂସ୍ୟ ସହ ଭାରତ ସର୍ବାଧିକ ୨୯ ପଦକ ଜିତିଥିଲା। ବ୍ୟାଡ୍‌ମିଣ୍ଟନ୍‌ରେ ଚିରାଗ ସେଟ୍ଟୀ-ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ପ୍ରଥମଥର ପାଇଁ ଦଳଗତ ସ୍ବର୍ଣ୍ଣ ପଦକ ଜିତିବା ମଧ୍ୟ ଐତିହାସିକ ସଫଳତା ଥିଲା। ଭାରତର ସ୍ବର୍ଣ୍ଣିମ ସଫଳତାରେ ସ୍କ୍ବାସ୍‌, ଅଶ୍ବଚାଳନା, ଟେନିସ୍‌ ସାମିଲ ହୋଇଥିଲେ।

ଅଲିମ୍ପିକ୍ସ ଟିକେଟ୍‌
ଆସନ୍ତା ବର୍ଷର ଅଲିମ୍ପିକ୍ସ ପାଇଁ ସିଧାସଳଖ ଟିକେଟ୍ ଅର୍ଜନ କରିବା ପାଇଁ ଏସୀୟ କ୍ରୀଡ଼ା ମଧ୍ୟ ସୁବର୍ଣ୍ଣ ସ‌ୁଯୋଗ ଆଣି ଦେଇଥିଲା। ବିଶେଷକରି ତୀରନ୍ଦାଜି, ଆର୍ଟିଷ୍ଟିକ୍ ସନ୍ତରଣ, ମୁଷ୍ଟିଯୁଦ୍ଧ, ହକି, ମଡର୍ଣ୍ଣ ପେଣ୍ଟାଥଲନ୍‌, ନୌଚାଳନା, ଟେନିସ୍‌ ଓ ୱାଟର ପୋଲୋରୁ ମିଳିତ ଭାବେ ୭୪ଟି କୋଟା ଥିଲା ପ୍ୟାରିସ୍ ୨୦୨୪ ପାଇଁ। କିନ୍ତୁ ମାତ୍ର ୬ଟି ଟିକେଟ୍‌ ମିଳିପାରିଛି ଭାରତୀୟଙ୍କୁ। ଓଡ଼ିଆ ପୁଅ କିଶୋର‌ ଜେନା (ଜାଭ୍‌ଲିନ୍‌, ଦୌଡ଼କୁଦ) ଏବଂ ଭାରତୀୟ ପୁରୁଷ ହକି ଦଳ ସହିତ ୪ ମୁଷ୍ଟିଯୋଦ୍ଧା (ନିଖତ ଜରିନ୍‌, ପ୍ରୀତି ପାୱାର, ପରବୀନ ହୁଦା, ଲଭଲିନା ବରଗୋହାଁଇ) ଏହି ସୁଯୋଗ ହାତେଇ ପାରିଛନ୍ତି।

କେଉଁ ରାଜ୍ୟରୁ ସର୍ବାଧିକ ଅବଦାନ
ହାଙ୍ଗ୍‌ଝୌରେ ଭାରତ ଜିତିଥିବା ୧୦୭ ପଦକ ମଧ୍ୟରୁ ୫୫ଟି ବ୍ୟକ୍ତିଗତ ବର୍ଗରୁ ଏବଂ ୫୨ଟି ଦଳଗତ ଖେଳରୁ ଆସିଛି। ହରିୟାଣା ସର୍ବାଧିକ ଅବଦାନ ରଖିଛି ମୋଟ ୧୪ ପଦକ ବିଜେତା ଦେଇ। ଉତ୍ତରପ୍ରଦେଶରୁ ୭, ତେଲେଙ୍ଗାନାରୁ ୬ ଏବଂ କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ୪ ଜଣ ଲେଖାଏଁ ପଦକ ବିଜେତା ବାହାରିଛନ୍ତି। ପଶ୍ଚିମବଙ୍ଗ, ତାମିଲନାଡୁ, ଦିଲ୍ଲୀରୁ ୨ ଜଣ ଲେଖାଏଁ ଉଭା ହୋଇଥିବାବେଳେ ରାଜସ୍ଥାନ, ଓଡ଼ିଶା, ମଣିପୁର, କର୍ଣ୍ଣାଟକ, ଆସାମ, ଆନ୍ଧ୍ରପ୍ରଦେଶ ଗୋଟିଏ ଲେଖାଏଁ ପଦକ ଜିତିଛନ୍ତି। ସବୁଠାରୁ ମଜାଦାର ତଥ୍ୟ ହେଉଛି ଲୋକସଂଖ୍ୟା ତୁଳନାରେ ପଦକ ବିଜୟ ସ୍ଥିତି। ୨୦୧୧ ଜନସଂଖ୍ୟା ଅନୁସାରେ ପ୍ରତି ୧୮ ଲକ୍ଷ ଲୋକରେ ଗୋଟିଏ ପଦକ ଦେଇ ହରିୟାଣା ପୁଣି ଶୀର୍ଷରେ ରହିଛି। ମଣିପୁର, ତେଲେଙ୍ଗାନା, ପଞ୍ଜାବ ଓ କେରଳ ମଧ୍ୟ ପ୍ରଶଂସନୀୟ ଅନୁପାତ ରଖିଛନ୍ତି। ବର୍ତମାନର ଓଡ଼ିଶା ଲୋକସଂଖ୍ୟା ପ୍ରାୟ ୪.୭୯ କୋଟି ଥିବାବେଳେ ଗୋଟିଏ ବ୍ୟକ୍ତିଗତ ଏବଂ ୨ଟି ଦଳଗତ ପଦକ ମିଳିପାରିଛି। କିଶୋର ଜେନା ପୁରୁଷ ଜାଭ୍‌ଲିନ୍‌ରେ ରୌପ୍ୟ ପଦକ ଜିତିଥିବାବେଳେ ଅମିତ ରୋହିଦାସ (ପୁରୁଷ ହକି ସ୍ବର୍ଣ୍ଣ) ଏବଂ ଦୀପ ଗ୍ରେସ୍ ଏକ୍କା (ମହିଳା ହକି କାଂସ୍ୟ) ପଦକ ଜିତିପାରିଛନ୍ତି। ଓଡ଼ିଶାରୁ ମୋଟ ୧୪ ଜଣ ହାଙ୍ଗ୍‌ଝୌ ଯୋଗ୍ୟତା ଅର୍ଜନ କରିଥିଲେ।

ଅନେକ ପ୍ରଥମ

ହାଙ୍ଗ୍‌ଝୌରୁ ଭାରତକୁ ମିଳିଥିବା ପଦକ ମଧ୍ୟରେ ଏମିତି କିଛି ଖେଳ ରହିଥିଲା ଯେଉଁଥିରୁ ଭାରତ ପ୍ରଥମ ଥର ପଦକ ଜିତିଥିଲା। ଏହା ହିଁ ସବୁଠାରୁ ପ୍ରଶଂସନୀୟ ଏବଂ ଉଲ୍ଲେଖନୀୟ ଅଗ୍ରଗତି ବିବେଚନା କରାଯାଉଛି। କ୍ରିକେଟ୍‌ (ପୁରୁଷ ଓ ମହିଳା ଦଳର ସ୍ବର୍ଣ୍ଣ), ଦୌଡ଼କୁଦରେ ଅବିନାଶ ସାବଲେ (ପୁରୁଷ ୩୦୦୦ ମିଟର୍‌ ଷ୍ଟିପଲଚେଜ୍‌ ସ୍ବର୍ଣ୍ଣ), ପାରୁଲ ଚୌଧୁରୀ (ମହିଳା ୫୦୦୦ ମିଟର୍‌ ଦୌଡ଼ ସ୍ବର୍ଣ୍ଣ ଏବଂ ୩୦୦୦ ମିଟର୍ ଷ୍ଟିପଲଚେଜ୍‌), ଅନୁରାଣୀ (ମହିଳା ଜାଭଲିନ୍-ସ୍ବର୍ଣ୍ଣ), ବ୍ୟାଡ୍‌ମିଣ୍ଟନ୍‌ରେ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ (ପୁରୁଷ ଯୁଗଳ ସ୍ବର୍ଣ୍ଣ), ବନ୍ଧୁକଚାଳନାରେ ମହିଳା ସ୍କିଟ୍‌ ଦଳଗତ ଏବଂ ପୁରୁଷ ବ୍ୟକ୍ତିଗତ ରୌପ୍ୟ, ଟିଟିରେ ସୁତୀର୍ଥା ଓ ଆହିକା ମୁଖାର୍ଜୀ (ମହିଳା ଯୁଗଳ କାଂସ୍ୟ) ଏବଂ ପୁରୁଷ ଓ ମିଶ୍ରିତ ଯୁଗଳ ଟେବୁଲ ଟେନିସ୍ କାଂସ୍ୟ, ସେଲିଂରେ ବିଷ୍ଣୁ ସର୍ବାନନ (କାଂସ୍ୟ), ଗଲ୍‌ଫରେ ଅଦିତି ଅଶୋକ (ରୌପ୍ୟ) ଏଭଳି ସଫଳତା ସବୁ ଆଣି ଦେଇଥିଲେ। ସେହିଭଳି ଦୀର୍ଘ ୪୧ ବର୍ଷ ପରେ ଭାରତକୁ ଏସିଆଡ୍ ସଫଳତା ଦେଇଥିଲେ ଏଚ୍‌ଏସ୍ ପ୍ରଣୟ (ପୁରୁଷ ବ୍ୟାଡ୍‌ମିଣ୍ଟନ୍ ଏକକ କାଂସ୍ୟ) ଏବଂ ୩୫ ବର୍ଷ ପରେ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ (ବ୍ୟାଡ୍‌ମିଣ୍ଟନ୍ ଦଳଗତ ସ୍ବର୍ଣ୍ଣ), ୨୭ ବର୍ଷ ପରେ କାନୋଇଁରୁ ଦୁଇଟି ଦଳଗତ କାଂସ୍ୟ, ୧୩ ବର୍ଷ ପରେ ତୀରନ୍ଦାଜିର ପୁରୁଷ ଓ ମହିଳା ରିକର୍ଭ ଦଳ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ, ୪୧ ବର୍ଷ ପରେ ଅଶ୍ବଚାଳନା ପଦକ (ସ୍ବର୍ଣ୍ଣ) ଆସିଥିଲା ଭାରତକୁ।

ଏସୀୟ କ୍ରୀଡ଼ାରେ ଏହିଭଳି ପ୍ରଦର୍ଶନ ଆଗାମୀଦିନରେ ଅନ୍ତର୍ଜାତୀୟ କ୍ରୀଡ଼ାମଞ୍ଚରେ ଅାଗକୁ ବଢ଼ିବା ପାଇଁ ଭାରତକୁ ଆହୁରି ପ୍ରେରଣା ଯେ ଯୋଗାଇବ- ଏହା ନିଶ୍ଚିତ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button