ନୀତି

ସ୍ମାର୍ଟଵାଚ୍‌ ଫିତା କ୍ଷତିକାରୀ ବୀଜାଣୁରେ ଭର୍ତ୍ତି – Utkal Mail


ଷ୍ଟାଇଲ୍ ଓ ବିଭିନ୍ନ ସୁବିଧା ପାଇଁ ସ୍ମାର୍ଟଵାଚ୍‌ର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ସ୍ମାର୍ଟଵାଚ୍‌ ବ୍ୟବହାରକାରୀଙ୍କ ପାଇଁ ଗବେଷକମାନେ ଏକ ସତର୍କ ସୂଚନା ଜାରି କରିଛନ୍ତି। ଏହି ଅତ୍ୟାଧୁନିକ ହାତଘଣ୍ଟାର ଫିତାରେ ପ୍ରଭୂତ ପରିମାଣର ରୋଗସୃଷ୍ଟିକାରୀ ବୀଜାଣୁ ଲାଖି ରହିଥା’ନ୍ତି ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ଫ୍ଲୋରିଡା ଆଟଲାଣ୍ଟିକ ବିଶ୍ବବିଦ୍ୟାଳୟର ଗବେଷକମାନେ ସ୍ମାର୍ଟଵାଚ୍‌ ଉପରେ ୨୦ ପ୍ରକାରର ପରୀକ୍ଷା ନିରୀକ୍ଷା ଚଳାଇ ଘଣ୍ଟାର ଫିତାରେ ଇ. କୋଲାଇ ଓ ସ୍ୟୁଡୋମୋନାସ ପରି ସଂକ୍ରମଣଶୀଳ ରୋଗ ବୀଜାଣୁ ପାଇଛନ୍ତି। ଧାତବ ଘଣ୍ଟା ଫିତା ଅପେକ୍ଷା ରବର ଓ ପ୍ଲାଷ୍ଟିକ୍‌ରେ ନିର୍ମିତ ଫିତାରେ ଅଧିକ ବୀଜାଣୁ ରହିଥିବା ସ୍ପଷ୍ଟ ହୋଇଛି। ବିଶେଷ କରି ବ୍ୟାୟାମଶାଳା ଯାଉଥିବା ସ୍ମାର୍ଟଵାଚ୍‌ ବ୍ୟବହାରକାରୀଙ୍କ କ୍ଷେତ୍ରରେ ଏହି ରୋଗବୀଜାଣୁ ଅଧିକ ଦେଖାଯାଇଥା’ନ୍ତି। ଅପରପକ୍ଷେ, ସୁନା ଓ ରୁପା ଫିତାରେ ଆଦୌ ବୀଜାଣୁ ଲାଖିନଥିବା ଗବେଷକମାନେ ଜାଣିପାରିଛନ୍ତି।

ସୂଚନାଯୋଗ୍ୟ, ଶରୀର ଓ ସାର୍ବଜନୀନ ପରିବେଶରେ ଉପଲବ୍‌ଧ ଏହି ବୀଜାଣୁଗୁଡ଼ିକୁ ଉପଯୁକ୍ତ ପାରିପାର୍ଶ୍ବିକ ଅବସ୍ଥା ମିଳିଲେ ସେମାନେ ଆମ ଶରୀରରେ ବ୍ରଣ ବା ବଥ ସୃଷ୍ଟି କରିବା ସମେତ ନିମୋନିଆ ଓ ଖାଦ୍ୟ-ଜଳ ବିଷକ୍ରିୟାର କାରଣ ସାଜିଥା’ନ୍ତି। ପାରମ୍ପରିକ ଘଣ୍ଟା ତୁଳନାରେ ଆମେ ସ୍ମାର୍ଟଵାଚ୍‌କୁ ଅଧିକ ସମୟ ବ୍ୟବହାର କରୁଥିଲେ ହେଁ ତାହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେଇନଥାଉ। ତେବେ ଘଣ୍ଟାର ଫିତାକୁ ନିୟମିତ କୌଣସି ଇଥାନଲମିଶା ରାସାୟନିକରେ ସଫା କଲେ, ସେ ସମସ୍ୟା ଦୂର ହୋଇପାରିବ ବୋଲି ଗବେଷକମାନେ ପରାମର୍ଶ ଦେଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button