ଜୀବନ ହାରିଲେ ୩୦ ବର୍ଷରେ ମରିବେ ବୋଲି ଆଗରୁ ଯୋଜନା କରିଥିବା ହୋଟେଲ୍ ମାଲିକ – Utkal Mail
ଇନ୍ଦୋର: ମାତ୍ର ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ ବୋଲି ଦୀର୍ଘ ଦିନରୁ ଯୋଜନା କରିଥିବା ମଧ୍ୟପ୍ରଦେଶର ଇନ୍ଦୋର୍ ଅଞ୍ଚଳର ଜଣେ ହୋଟେଲ୍ ମାଲିକ ଗୁରୁବାର ଦିନ ପିସ୍ତଲ୍ ମାରି ଜୀବନ ହରାଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।
ପୁଲିସ ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି, ସେ ଲେଖିଥିବା ୭ ପୃଷ୍ଠାବିଶିଷ୍ଟ ‘ସୁସାଇଡ୍ ନୋଟ୍’ରୁ ଏହା ଜଣାପଡ଼ିଛି। ସମ୍ଭବତଃ ଏହି ୩୦ ବର୍ଷିୟ ଅବିବାହିତ ବ୍ୟକ୍ତିଙ୍କର କିଛି ମାନସିକ ସମସ୍ୟା ଥିଲା।
ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ ସହକାରୀ ପୁଲିସ କମିସନର୍ ଧୈୟଶୀଳ ୟେୱାଲେ କହିଛନ୍ତି, ହୀରା ନଗର ଅଞ୍ଚଳରେ ଥିବା ବାସଭବନରୁ ମୃତ ହୋଟେଲ୍ ମାଲିକଙ୍କ ରକ୍ତାକ୍ତ ଶବ ଉଦ୍ଧାର କରାଯାଇଛି। ଆତ୍ମରକ୍ଷା ପାଇଁ ୨୦୧୬ରେ ସେ କିଣିଥିବା ପିସ୍ତଲ୍ଟି ତାଙ୍କ ଶବ ନିକଟରେ ପଡ଼ିଥିଲା। ‘ସୁସାଇଡ୍ ନୋଟ୍’ରେ ସେ କହିଛନ୍ତି, ମୁଁ ଜୀବନ ହାରୁଛି, ଏଥିପାଇଁ କାହାରିକୁ ଦାୟୀ କରା ନ ଯିବା ଉଚିତ।

‘ସୁସାଇଡ୍ ନୋଟ୍’ରେ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମାତ୍ର ୩୦ ବର୍ଷ ବଞ୍ଚି ରହିବେ ବୋଲି ସେ ୮/୯ ବର୍ଷ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରିସାରିଥିଲେ। ଜୀବନରେ ତାଙ୍କର କୌଣସି ଅସୁବିଧା ନ ଥିଲା ବୋଲି ମଧ୍ୟ ସେ ଲେଖିଯାଇଥିବା କଥା ‘ଏସିପି’ ୟେୱାଲେ କହିଛନ୍ତି।
‘ଏସିପି’ ୟେୱାଲେ ପୁଣି ମଧ୍ୟ କହିଛନ୍ତି, ସେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା କଥା ‘ସୁସାଇଡ୍ ନୋଟ୍’ ଲେଖାରୁ ଆଭାସ ମିଳୁଛି। କିନ୍ତୁ, ତାଙ୍କ ମୃତ୍ୟୁର କାରଣ ନିର୍ଦ୍ଧାରଣ କରିବା ଲାଗି ସମସ୍ତ ଦିଗରୁ ତଦନ୍ତ କରାଯାଉଛି।



