ଦେଶ ବିଦେଶ

ଓଡ଼ିଶାରେ ୨୦ ବର୍ଷରେ ବଜ୍ରପାତ ନେଇଛି ୫୧୬୪ ଜୀବନ: ଦେଶରେ ତୃତୀୟ – Utkal Mail


ନୂଆଦିଲ୍ଲୀ: ଓଡ଼ିଶାରେ ୨୦୦୧ରୁ ୨୦୨୧ ପର୍ଯ୍ୟନ୍ତ ବଜ୍ରପାତରେ ୫୧୬୪ ଜଣଙ୍କର ମୂତ୍ୟୁ ଘଟିଛି। କ୍ଲାଇମେଟ ରେଜିଲିଏଣ୍ଟ ଅବଜର୍ଭିଂ ସିଷ୍ଟମ୍ସ ପ୍ରମୋସନ କାଉନସିଲ ପକ୍ଷରୁ ସଦ୍ୟ ପ୍ରକାଶିତ ବାର୍ଷିକ ବଜ୍ରପାତ ରିପୋର୍ଟ ୨୦୨୨-୨୩ରେ ଏହା କୁହାଯାଇଛି। ଅନ୍ୟପକ୍ଷେ, ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଓଡ଼ିଶା,ଆନ୍ଧ୍ର ପ୍ରଦେଶ ଓ ନାଗାଲାଣ୍ଡରେ ବଜ୍ରପାତ ଜନିତ ମୃତାହତ ସଂଖ୍ୟାରେ ୬୦ ପ୍ରତିଶତ ହ୍ରାସ ଆସିଛି। ସେହିଭଳି ରିପୋର୍ଟରେ ଦେଶରେ ବଜ୍ରପାତ ଜନିତ ୯୦ ପ୍ରତିଶତ ମୃତ୍ୟୁ ମାମଲା କେନ୍ଦ୍ରୀୟ ଭାରତ ଅଞ୍ଚଳରୁ ରେକର୍ଡ ହୋଇଥିବା ବେଳେ ସାମଗ୍ରିକ ବଜ୍ରପାତ ଜନିତ ମୋଟ ମୃତ୍ୟୁ ମାମଲାର ୬୦ ପ୍ରତିଶତରୁ ଅଧିକ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ବିହାରରୁ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୦୧ରୁ ୨୦୨୧ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ସର୍ବାଧିକ ୬୮୦୫ ଓ ମହାରାଷ୍ଟ୍ରରେ ୫୩୭୨ ଜଣଙ୍କର ମୃତ୍ୟୁ ହୋଇଛି।

ବଜ୍ରପାତ ଜନିତ ମୂତ୍ୟୁ ମାମଲାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ୨୦୨୨-୨୩ରେ ଦେଶରେ ୨୦ ନିୟୁତରୁ ଅଧିକ ବଜ୍ରାଘାତ ହୋଇଥିବା ବେଳେ ଓଡ଼ିଶାରେ ୬୦୨୯୫୮ କ୍ଲାଉଡ୍ ଟୁ ଗ୍ରାଉଣ୍ଡ ବଜ୍ରପାତ ଷ୍ଟ୍ରାଇକ୍‌ ହୋଇଥିବା ରିପୋର୍ଟରେ କୁହାଯାଇଛି। କ୍ଲାଉଡ୍ ଟୁ ଗ୍ରାଉଣ୍ଡ ବଜ୍ରପାତ ଷ୍ଟ୍ରାଇକ୍ ସଂଖ୍ୟାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ମଧ୍ୟପ୍ରଦେଶ ସର୍ବାଧିକ ୯୪୧୬୬୩ ସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଥିବାବେଳେ ମହାରାଷ୍ଟ୍ର ୬୮୫୮୯୩ ସଂଖ୍ୟା ସହ ଦ୍ବିତୀୟ ସ୍ଥାନରେ ରହିଛି। କ୍ଲାଇମେଟ ରେଜିଲିଏଣ୍ଟ ଅବଜର୍ଭିଂ ସିଷ୍ଟମ୍ସ ପ୍ରମୋସନ କାଉନସିଲର ବାର୍ଷିକ ବଜ୍ରପାତ ରିପୋର୍ଟରେ ୨୦୧୯-୨୦ ରୁ ୨୦୨୨-୨୩ ମଧ୍ୟରେ ଦେଶରେ କ୍ଲାଉଡ୍ ଟୁ ଗ୍ରାଉଣ୍ଡ୍‌ ବଜ୍ରପାତରେ ୪୦ ପ୍ରତିଶତ ବୃଦ୍ଧି ହୋଇଥିବା ଉଲ୍ଲେଖ ରହିଛି। ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ବିହାରରେ ୨୮୦ରୁ ୩୧୪ କିଲୋ ଆମ୍ପିଅରର ହାଇକରେଣ୍ଟ ବଜ୍ରାଘାତ ନିରୀକ୍ଷଣ କରାଯିବା ଚିନ୍ତାର ବିଷୟ ବୋଲି ରିପୋର୍ଟରେ କୁହାଯାଇଛି। ସଂସ୍ଥାର ଅଧ୍ୟକ୍ଷ କର୍ଣ୍ଣେଲ(ଅବସରପ୍ରାପ୍ତ) ସଂଜୟ ଶ୍ରୀବାସ୍ତବ ରିପୋର୍ଟ ଉନ୍ମୋଚନ ଅବସରରେ ଓଡ଼ିଶା ସନର୍ଭରେ ଉଲ୍ଲେଖ କରି ସମ୍ବାଦକୁ କହିଥିଲେ ଗ୍ରାମୀଣ ଅଂଚଳର ଲୋକମାନେ ବଜ୍ରପାତରେ ମୃତ୍ୟୁ ବରଣ କରୁଥିବାବେଳେ ପଂଚାୟତ ସ୍ତରରେ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ ହେଉନାହିଁ। ପଂଚାୟତ ସ୍ତରରେ ସରକାରଙ୍କୁ ବିଶେଷ ରୂପେ ଧ୍ୟାନ ଦେବାକୁ ପଡ଼ିବ। ତୃଣମୂଳସ୍ତରରୁ ସଚେତନାର ଅଭାବ ରହିଛି। ଏଦିଗରେ ଜିଲ୍ଲା ପ୍ରଶାସନକୁ ଯୁବକମାନଙ୍କୁ ସାମିଲ କରି ସାମୂହିକଭାବେ ଘରକୁ ଘରକୁ ଯାଇ ସଚେତନତା କରେଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ବାଲେଶ୍ବରର ଫକୀରମୋହନ ବିଶ୍ବବିଦ୍ୟାଳୟ ଦ୍ବାରା ବଜ୍ରପାତ ଜନିତ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ଚଳିତ ବର୍ଷ କେବଳ ଜିଲ୍ଲାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗତବର୍ଷ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୦ରୁ ଅଧିକ ଥିଲା। ଏହାକୁ ସମସ୍ତଙ୍କୁ ଅନୁକରଣ କରିବା ଦରକାର। ତୃଣମୂଳ ସ୍ତରରୁ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଗଲେ ଜିରୋ କାଜୁଆଲଟି ଲକ୍ଷ୍ୟକୁ ହାସଲ କରାଯାଇପାରିବ ବୋଲି ଶ୍ରୀ ଶ୍ରୀବାସ୍ତବ ମତ ଦେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button