ଦେଶ ବିଦେଶ

ସରିଲା ଜି-୨୦ ଶିଖର ସମ୍ମିଳନୀ: ବ୍ରାଜିଲକୁ ବ୍ୟାଟନ୍ ହସ୍ତାନ୍ତର କଲେ ମୋଦୀ – Utkal Mail


ଜାତିସଂଘରେ ସଂସ୍କାର ପାଇଁ ଆହ୍ବାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ସଫଳ ଶିଖର ସମ୍ମିଳନୀ ସହିତ ଭାରତର ଜି-୨୦ ଅଧ୍ୟକ୍ଷତ‌ା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଆନୁଷ୍ଠାନିକ ଭାବେ ଜି୨୦ ଅଧ୍ୟକ୍ଷତାର ପ୍ରତୀକ ଗାଭେଲ (ହାତୁଡ଼ି) ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ତାଙ୍କର ଉଦ୍‌ଯାପନୀ ବକ୍ତବ୍ୟରେ କହିଛନ୍ତି, ଗତକାଲି ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର’ ଅଧିବେଶନରେ ଆମେ ବ୍ୟାପକ ଆଲୋଚନା କରିଥିଲୁ। ଆଜି ଜି-୨୦ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଦୃଷ୍ଟିକୋଣକୁ ନେଇ ଆଶାବାଦୀ ଉଦ୍ୟମ ପାଇଁ ଏକ ମଞ୍ଚ ହୋଇପାରିଥିବାରୁ ମୁଁ ସନ୍ତୁଷ୍ଟ। ପ୍ରଧାନମନ୍ତ୍ରୀ ତାଙ୍କ ସମାପନ ଭାଷଣରେ ଜାତିସଂଘରେ ବଡ଼ ଧରଣର ସଂସ୍କାର ଆଣିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଜାତିସଂଘ ସ୍ଥାପନା ସମୟରେ ଏହାର ସଦସ୍ୟ ସଂଖ୍ୟା ୫୧ ଥିବା ବେଳେ ଏବେ ଏହା ପ୍ରାୟ ୨୦୦ରେ ପହଞ୍ଚିଲାଣି। ଜାତିସଂଘରେ ନୂଆ ବୈଶ୍ବିକ ସଂରଚନାର ପ୍ରତିଫଳନ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଲୁଲା ଡା ସିଲଭା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ସାମାଜିକ ଅନ୍ତର୍ଭୁକ୍ତୀକରଣ, କ୍ଷୁଧା ବିରୋଧରେ ସଂଗ୍ରାମ, ଏନର୍ଜି ଟ୍ରାଞ୍ଜିସନ ଏବଂ ନିରନ୍ତର ବିକାଶକୁ ଜି-୨୦ର ପ୍ରାଥମିକତା ଭାବରେ ତାଲିକାଭୁକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଜାତିସଂଘ ସୁରକ୍ଷା ପରିଷଦରେ ଅଧିକ ସଂଖ୍ୟାରେ ବିକାଶଶୀଳ ଦେଶଗୁଡ଼ିକକୁ ନୂତନ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ଭାବରେ ଗ୍ରହଣ କରାଯିବା ଆବଶ୍ୟକ। ଏହି ସମ୍ମିଳନୀର ସବୁଠାରୁ ବଡ଼ ପଦକ୍ଷେପ ଥିଲା ‘ବୈଶ୍ବିକ ବିଶ୍ବାସ ଅଭାବ’କୁ ଦୂର କରିବା, ବିଶ୍ବ ଜୈବ ଇନ୍ଧନ ଆଲାଏନ୍ସର ଶୁଭାରମ୍ଭ ଏବଂ ଆମେରିକା, ଭାରତ, ସାଉଦି ଆରବ ଓ ଗଲ୍ଫ ଦେଶ ମଧ୍ୟରେ ନୂତନ ସଂଯୋଗ ନେଟୱାର୍କର ଶୁଭାରମ୍ଭ। ଏହି ସମ୍ମିଳନୀ ଶତ ପ୍ରତିଶତ ସଫଳ ହେବା ପଛର ଏକ ବଡ଼ କାରଣ ହେଲା ଜି-୨୦ ସଦସ୍ୟମାନେ ସର୍ବସମ୍ମତିକ୍ରମେ ଦିଲ୍ଲୀ ଘୋଷଣାନାମା ଗ୍ରହଣ କରିବା । ଏହି ଘୋଷଣାନାମାରେ ରାଷ୍ଟ୍ରଗୁଡିକ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ନିମନ୍ତେ ଆଞ୍ଚଳିକ ଅଖଣ୍ଡତା ଓ ଅନ୍ତର୍ଜାତୀୟ ମାନବିକ ଆଇନକୁ ମାନିବା ଲାଗି ଆହ୍ବାନ ଦିଆଯାଇଛି।

ଚୀନ୍ ଓ ରୁଷ୍, ଯାହାର ମୁଖ୍ୟମାନେ ଏହି ସମ୍ମିଳନୀକୁ ଆସିପାରି ନାହାନ୍ତି, ସେମାନେ ମଧ୍ୟ ଦିଲ୍ଲୀ ଘୋଷଣାନାମା ସହ ଏକମତ ହୋଇଥିଲେ। କିନ୍ତୁ ଘୋଷଣାନାମାରେ କାହାରି ଅଞ୍ଚଳ ଦଖଲ ନ କରିବାକୁ ଆହ୍ବାନ ଦିଆଯାଇ ଥିବାବେଳେ ଏଥିରେ ୟୁକ୍ରେନ ଯୁଦ୍ଧ ପାଇଁ ରୁଷ୍‌କୁ ନିନ୍ଦା କରାଯାଇ ନ ଥିଲା। ତେଣୁ ୟୁକ୍ରେନ ଏହି ଘୋଷଣାନାମାକୁ ନେଇ ଖୁସି ହୋଇପାରି ନ ଥିବା ବେଳେ ସମ୍ମିଳନୀରେ ଯଦି ଉପସ୍ଥିତ ଥାନ୍ତା ତେବେ ଅଂଶଗ୍ରହଣକାରୀଙ୍କ ପରିସ୍ଥିତିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିପାରିଥାନ୍ତା ବୋଲି ୟୁକ୍ରେନ୍ ବିଦେଶ ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷରେ ଆଫ୍ରିକୀୟ ୟୁନିଅନ୍ ଜି-୨୦ର ନୂତନ ସ୍ଥାୟୀ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ ହୋଇ ଏକ ନୂତନ ବିଶ୍ୱ ଶୃଙ୍ଖଳାକୁ ଆଗକୁ ବଢ଼ାଇଛି ଏବଂ ବିଶ୍ବସ୍ତରୀୟ ନିଷ୍ପତ୍ତି ନେବାରେ ବିକାଶଶୀଳ ଦେଶଗୁଡ଼ିକର ଯୋଗଦାନକୁ ଅଧିକ ଉତ୍ସାହିତ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button