ଦେଶ ବିଦେଶ

ସୀମାରେ ସୈନ୍ୟ ଠୁଳ କରୁଛି ପାକିସ୍ତାନ: ଭାରତୀୟ ସେନା ସର୍ବାଧିକ ସତର୍କ, ୧୯୯୯ କାରଗିଲ୍‌ ଯୁଦ୍ଧ ପରେ ପ୍ରଥମ ଥର

ନୂଆଦିଲ୍ଲୀ: ପାକିସ୍ତାନ ଏଲ୍‌ଓସି (ନିୟନ୍ତ୍ରଣ ରେଖା) ନିକଟସ୍ଥ ଆଗୁଆ ଅଞ୍ଚଳରେ ସୈନ୍ୟ ପଠାଇଛି। ଆଜି ଅପରାହ୍ନରେ ଯୁଦ୍ଧବିରତି ସହମତି ପୂର୍ବରୁ ଆଗୁଆ ଅଞ୍ଚଳକୁ ଅଧିକରୁ ଅଧିକ ସୈନ୍ୟ ପଠାଇ ପାକିସ୍ତାନ ଯୁଦ୍ଧ ଉତ୍ତେଜନା ବଢ଼ାଇଛି।  ୧୯୯୯ କାରଗିଲ୍‌ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏଲ୍‌ଓସି ନିକଟରେ ଏଭଳି ସ୍ଥିତି ଉପୁଜିଛି। କିନ୍ତୁ ଭାରତୀୟ ସେନାବାହିନୀ ସର୍ବାଧିକ ସତର୍କତା ଅବଲମ୍ବନ କରିଛି  ବୋଲି ସରକାର କହିଛନ୍ତି।  ବିଦେଶ ସଚିବ ବିକ୍ରମ ମିଶ୍ରି, କର୍ନେଲ ସୋଫିଆ କ୍ୟୁରେଶି ଏବଂ ବାୟୁସେନା ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଆଜି ‘ଅପରେସନ୍‌ ସିନ୍ଦୂର’କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଭାରତ-ପାକିସ୍ତାନ ସୀମା ସ୍ଥିତି ସଂକ୍ରାନ୍ତରେ ଦେଶବାସୀଙ୍କୁ ଅବଗତ କରିଛନ୍ତି।  ପାକିସ୍ତାନ ସେନା ଲଗାତାର ଭାବେ ଏହାର ସେନାବାହିନୀକୁ ଆଗୁଆ ଅଞ୍ଚଳକୁ ପଠାଉଥିବା ବ୍ୟୋମିକା ସିଂହ କହିଛନ୍ତି। ଯୁଦ୍ଧ ଉତ୍ତେଜନା ବଢ଼ାଇବାର ଉଦ୍ଦେଶ୍ୟ ରଖି ପାକିସ୍ତାନ ଏଭଳି ଚରମ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ୁଛି।  କିନ୍ତୁ ଭାରତୀୟ ସେନା ସର୍ବାଧିକ ସତର୍କତା ଅବଲମ୍ବନ କରିଛନ୍ତି ଏବଂ ସମସ୍ତ ଆକ୍ରମଣର କଡ଼ା ଜବାବ ଦିଆଯାଉଛି ବୋଲି ସେ କହିଛନ୍ତି।  ଭାରତ ବିରୋଧରେ ପାକିସ୍ତାନ ‘ଅପରେସନ୍‌ ବୁନୟାନ ଉଲ୍‌ ମରସୁସ୍‌’ ଆରମ୍ଭ କରିଛି। ଜମ୍ମୁ କାଶ୍ମୀର, ପଂଜାବ, ରାଜସ୍ଥାନ ଏବଂ ଗୁଜରାଟରେ ଉଭୟ ସାମରିକ ଏବଂ ବେସାମରିକ ଭିତ୍ତିଭୂମିକୁ‌ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ସହ ଟାର୍ଗେଟ୍‌ କରିବାପାଇଁ ପାକିସ୍ତାନ ଏହି ଅପରେସନ୍‌ ଆରମ୍ଭ କରିଛି।

ଭାରତୀୟ ସେନା ସର୍ବାଧିକ ସତର୍କ
୧୯୯୯ କାରଗିଲ୍‌ ଯୁଦ୍ଧ ପରେ ପ୍ରଥମ ଥର
ଭାରତୀୟ ସାମରିକ ପ୍ରତିଷ୍ଠାନ ଧ୍ବଂସ ସଂକ୍ରାନ୍ତ ପାକିସ୍ତାନର ଅଭିଯୋଗ ମିଛ

କର୍ନେଲ୍‌ ସୋଫିଆ କୁରେଶୀ କହିଛନ୍ତି, ପାକିସ୍ତାନ ସାମରିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ଆକ୍ରମଣ ପାଇଁ ଯୁଦ୍ଧ ବିମାନ ଏବଂ ଡ୍ରୋନ୍‌ ଆକ୍ରମଣ କରୁଛି।  ଉଧମପୁର, ଭୁଜ, ପଠାନକୋଟ ଏବଂ ଭଟିଣ୍ଡା‌ ବାୟୁସେନା ଘାଟିରେ ସୀମିତ କ୍ଷୟକ୍ଷତି ହୋଇଛି।  ପଂଜାବରେ ବାୟୁସେନା ଘାଟି ଉପରେ ଆକ୍ରମଣ ପାଇଁ ଏକ ଦ୍ରୁତଗାମୀ କ୍ଷେପଣାସ୍ତ୍ର ବ୍ୟବହାର ହୋଇଥିଲା। ରାତି ପ୍ରାୟ ୧.୪୦ ସମୟରେ ଏହି ଆକ୍ରମଣ ଉଦ୍ୟମ ହୋଇଥିଲା। ସିର୍ସାରେ ଭାରତ ପାକିସ୍ତାନୀ ଫତେହ-୨ ସରଫେସ୍‌ ଟୁ ସରସେଫ୍‌ ବାୟୁ କ୍ଷେପଣାସ୍ତ୍ରକୁ ଖସାଇ ଦେଇଛି।

ଶ୍ରୀନଗର, ଅବନ୍ତିପୁରା ଏବଂ ଉଧମପୁରରେ ପାକିସ୍ତାନ ହସ୍ପିଟାଲ୍‌ ଏବଂ ସ୍କୁଲ୍‌ ପରିସରକୁ ଟାର୍ଗେଟ୍‌ କରିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ ବୋଲି ସରକାର କହିଛନ୍ତି।  ତେବେ ଭାରତ ବିରୋଧରେ ଆକ୍ରମଣର କଡ଼ା ଜବାବ ଦେଇ ପାକିସ୍ତାନର ବିଭିନ୍ନ ସାମରିକ ଘାଟି ଉପରେ ଭାରତ ଆକ୍ରମଣ କରିଛି।  ପାକିସ୍ତାନ ଭାରତୀୟ ସାମରିକ ପ୍ରତିଷ୍ଠାନ  ଏବଂ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଗୁଡ଼ିକ ଧ୍ବଂସ କରିଥିବା ନେଇ ଯେଉଁ ଅଭିଯୋଗ କରିଛି ତାକୁ ସରକାର ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଦେଶ ସଚିବ ବିକ୍ରମ ମିସ୍ରି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଭିନ୍ନ ସାମରିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ପାକିସ୍ତାନ ଆକ୍ରମଣ କରି ଧ୍ବଂସ କରିଦେଇଥିବା ‌ଯେଉଁ ଅଭିଯୋଗ କରିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ସିର୍ସାରେ ବାୟୁସେନା ଘାଟି ସମ୍ପୂର୍ଣ୍ଣ ଧ୍ବଂସ ହେବା ଖବର ମିଛ। ସୁରଟରେ ବାୟୁସେନା ଘାଟି ଧ୍ବଂସ ହେବା ଖବର ବି ମିଛ।  ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି, କ୍ଷମତା ବ୍ୟବସ୍ଥାକୁ ନେଇ ପାକିସ୍ତାନ କେବଳ ମିଥ୍ୟା ଦାବି କରୁଛି ବୋଲି ମିସ୍ରି କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button