ଓଡିଶା

ଚାନ୍ଦବାଲି ଥାନା ଅଞ୍ଚଳରେ ସକ୍ରିୟ ହୋଇଛନ୍ତି ଲୁଟେରା, କରୁଛନ୍ତି ସିରିଜ୍ ଲୁଟ୍

ରାତିରେ ଆସିଲେ ସବୁ ନେଇ ପଳେଇଲେ । ସକାଳୁ ସକାଳୁ ମନ୍ଦିର ଖୋଲି ଦେଖିବା ପରେ ଆଶ୍ଚର୍ଯ୍ୟ ହେଲେ ପୂଜକ । ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । କାହିଁକି ନା ମନ୍ଦିର ଭିତରେ ଥିବା ଦାନ ବାକ୍ସକୁ ଲୁଟି ନେଇଛନ୍ତି ଲୁଟେରା । ତେବେ ଲୁଟେରାମାନେ ଗୋଟିଏ ମନ୍ଦିର ନୁହେଁ ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ମନ୍ଦିରରୁ ସିରିଜ୍ ଲୁଟ୍ କରିଛନ୍ତି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ସକ୍ରିୟ ହୋଇଛନ୍ତି ଲୁଟେରା । ସ୍ଥାନୀୟ ଅଞ୍ଚଳରେ ଥିବା ମଠ ଓ ମନ୍ଦିରକୁ ଟାର୍ଗେଟ କରି ଲୁଟି ନେଉଛନ୍ତି ଟଙ୍କା ଓ ଠାକୁରଙ୍କ ସୁନା ଗହଣା । ଦିନ ବେଳେ ଟାର୍ଗେଟ କରି ଯାଉଛନ୍ତି ଆଉ ବିଳମ୍ବିତ ରାତି ହେଲେ କଳାକନା ବୁଲାଉଛନ୍ତି । ତେବେ ଦୁର୍ବୃତ୍ତମାନେ ଚାନ୍ଦବାଲି ବ୍ଲକର ଭାଟପଡା ଓ ଚନ୍ଦନପୁରରେ ନଣ୍ଡାବାବା ଆଶ୍ରମ, ତାରିଣୀ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ହନୁମାନ ମନ୍ଦିରରେ ତାଲା କାଟି  ଦାନ ବାକ୍ସ ନେଇ ପଳାଇଛନ୍ତି । ନଣ୍ଡା ବାବାଙ୍କ ଆଶ୍ରମରେ ଥିବା ତିନୋଟି ଦାନ ବାକ୍ସରୁ ପାଖାପାଖି ଦୁଇ ଲକ୍ଷରୁ ଅଧିକ ଟଙ୍କା ଥିଲା । ଯେଉଁ ଟଙ୍କା ନେଇ ଫେରାର ମାରିଛନ୍ତି ଚୋର । ଏହା ସହ ଏକ ରୁପା ବଂଶୀ ମଧ୍ୟ ଚୋରମାନେ ଚୋରି କରିନେଇଛନ୍ତି । ଖବର ପାଇ ଚାନ୍ଦବାଲି ପୋଲିସ ଛାନଭିନ୍ ଆରମ୍ଭ କରିଛି । ଦୀର୍ଘ ଦିନ ହେବ ଚାନ୍ଦବାଲି ଥାନାରେ ଥାନାଧିକାରୀ ନାହାନ୍ତି ତେଣୁ ଚାନ୍ଦବାଲି ଅଞ୍ଚଳରେ ପାଟ୍ରୋଲିଙ୍ଗ ଠିକ୍ ଭାବରେ ହେଉନାହିଁ ଯାହାର ସୁଯୋଗ ନେଇ ଲୁଟେରାମାନେ ଏମିତି ଲୁଟ କରୁଛନ୍ତି ।

ସିରିଜ ଚୋରିକୁ ନେଇ ଭୟଭୀତ ଅଛନ୍ତି ଏଠାକାର ଲୋକେ । ଅଞ୍ଚଳରେ ରାତିରେ ପୋଲିସ ପାଟ୍ରୋଲିଂ ଠିକ ଭାବେ କଲେ ହୁଏତ ଏଭଳି ଚୋରି ହେବନି ବୋଲି ଅଞ୍ଚଳବାସୀ କହିଛନ୍ତି । ଦୁର୍ବୃତ୍ତଙ୍କ ଲୁଟ ଉପରେ ରୋକ ଲଗାଇବା ପାଇଁ ଦୃଢ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button