ନବରଙ୍ଗପୁରରେ ଆଂଠୁଏ ପାଣିରେ ହେଲା ପରେଡ୍

ଲଘୁଚାପ ବର୍ଷା ସାରା ରାଜ୍ୟରେ ଆଜି ସ୍ୱାଧୀନତା ଦିବସ ପାଳନକୁ ଅନେକାଂଶରେ ଫିକା କରି ଦେଇଛି । ପାଣିପାଗ ବିଭାଗ ପୂର୍ବନୁମାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛାତ୍ର ଛାତ୍ରୀଙ୍କୁ ସିନା ପରେଡ୍ କରିବାରୁ ବାରଣ କଲେ ହେଲେ ପୋଲିସ୍ବାଲା ଯିବେ କୁଆଡ଼େ । ସେମାନଙ୍କୁ ତଳ ପାଣି ଉପର ପାଣିରେ ପରେଡ୍ କରିବାକୁ ପଡ଼ିଥିଲା । ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ବେଳେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ବର୍ଷା ଯୋଗୁ ପରେଡ୍ ଗ୍ରାଉଣ୍ଡରେ ପାଣି ଜମି ରହିଥିଲା । ଅନ୍ୟ ଉପାୟ ନପାଇ ପୋଲିସ ପକ୍ଷରୁ ଆଂଠୁଏ ପାଣି ଭିତରେ ପରେଡ୍ କରାଯାଇଥିଲା ।

ପାଣିରେ ବି ପ୍ରଦର୍ଶିତ ହୋଇଥିଲା ପ୍ରଜ୍ଞାପନ ମେଢ଼ । ଏଠି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଜିଲ୍ଲାପାଳ ଅଜିତ ମିଶ୍ର । ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ସହରରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି । ରାସ୍ତାଘାଟରେ ବର୍ଷା ପାଣି ଲହଡ଼ି ମାରୁଥିବା ବେଳେ ଲୋକଙ୍କ ଘରେ ପଶିଛି । କଚ୍ଚା ଘର ବି ଭାଙ୍ଗି ଯାଇଛି । ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ।

