ଆମ୍ବଗଛ ମୂଳେ ବସି ପୂଜା ଦେଖୁଥିବାବେଳେ ହେଲା ବଜ୍ରାଘାତ, ଚାଲିଗଲା ସୀତାରାମଙ୍କ ଜୀବନ

ଝାରସୁଗୁଡ଼ା : ସୋମବାର ଥିଲା ପବିତ୍ର ସାବିତ୍ରୀ ବ୍ରତ । ଏହା ସମସ୍ତ ସଧବା ନାରୀଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ । ସ୍ୱାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀମାନେ ପାଳିଥାନ୍ତି ସାବିତ୍ରୀ ବ୍ରତ । ତେବେ ଏଇ ସାବିତ୍ରୀ ଦିନ ଘଟିଯାଇଛି ଏମିତି ଏକ ଘଟଣ ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।
ସାବିତ୍ରୀ ବ୍ରତ ପାଳନ ପାଇଁ ଘରକୁ ପତିଙ୍କ ଆସିବା ବାଟକୁ ଚାହିଁ ବସିଥିଲେ ପତ୍ନୀ । ପୂଜାଥାଳି ବଢ଼ାଯାଇଥିବା ସହ ସବୁ ପ୍ରସ୍ତୁତି ବି ସରିଥିଲା । ହେଲେ ରାସ୍ତାରେ ଯେମିତି ମୃତ୍ୟୁ ଛକି ବସିଥିଲା ସ୍ୱାମୀଙ୍କୁ । ବଜ୍ରାଘାତରେ ନିମିଷକରେ ଉଡ଼ିଗଲା ସ୍ୱାମୀ ସୀତାରାମଙ୍କ ପ୍ରାଣବାୟୁ । ଆଉ ସବୁଦିନ ପାଇଁ ପତ୍ନୀଙ୍କ ମଥାରୁ ଲିଭିଗଲା ସିନ୍ଦୂର । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ରାଜପୁର ଗ୍ରାମରେ ସୋମବାର ଏଭଳି ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି ।
ସୂଚନାନୁସାରେ ଗ୍ରାମର ବରଗଛ ମୂଳେ ଗାଁର ସ୍ତ୍ରୀ ଲୋକମାନେ ସାବିତ୍ରୀ ବ୍ରତର ପୂଜା କରୁଥିଲେ । ଏହି ସମୟରେ ସୀତାରାମ ନିଜ ସାଙ୍ଗମାନଙ୍କ ସହ ସେହି ବରଗଛ ପାଖରେ ଥିବା ଏକ ଆମ୍ବଗଛ ମୂଳେ ବସି ପୂଜା ଦେଖୁଥିଲେ । ପୂଜା ଦେଖି ଘରକୁ ଫେରିଥାନ୍ତେ । ହେଲେ ସେହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା । ଆମ୍ବଗଛ ମୂଳେ ବସିଥିବା ସୀତାରାମ ହଠାତ୍ ଆହତ ହୋଇ ତଳେ ପଡିଯାଇଥିଲେ ।
ଏନେଇ ସ୍ଥାନୀୟ ଲୋକମାନେ ସୀତାରାମଙ୍କୁ ସ୍ଥାନୀୟ ରାଜପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନେଇଯାଇଥିଲେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


