ପ୍ରେମ, ପ୍ରତାରଣା ଓ ହତ୍ୟା: ୩୫ ଖଣ୍ଡ କରି ଫିଙ୍ଗିଦେଲା ପ୍ରେମିକ
ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛୁ । ଲିଭ-ଇନରେ ରହୁଥିବା ଶ୍ରଦ୍ଧା ନାମକ ଜଣେ ଯୁବତୀଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ହତ୍ୟା ଭିଆଇଥିବା ଯୁବତୀଙ୍କ ପ୍ରେମିକ ଅଫତାବକୁ ପୁଲିସ ୫ ମାସ ପରେ ଗିରଫ କରିଛି । ପୁଲିସ ସୂତ୍ର ମୁତାବକ, ଅଫତାବକୁ ଶ୍ରଦ୍ଧା ବାରମ୍ବାର ବିବାହ କରିବା ପାଇଁ ଚାପ ପକାଉଥିଲେ । ଗତ ମେ’ ୧୮ ତାରିଖରେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ଶ୍ରଦ୍ଧା ବହୁତ ଜୋରରେ ପାଟି କରୁଥିବା ସମୟରେ ଅଫତାବ ତାଙ୍କ ମୁହଁକୁ ଚାପି ଧରିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା । ପରେ ଶ୍ରଦ୍ଧାଙ୍କ ଶବକୁ ଅଫତାବ ପାଖାପାଖି ୩୫ ଖଣ୍ଡ କରିଥିଲା । ଏହି ଖଣ୍ଡକୁ ସେ ୧୮ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିଥିଲା ପରେ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଥିଲା ।
ସୂଚନାଯୋଗ୍ୟ, ଶ୍ରଦ୍ଧା ଓ ଅଫତାବ ମୁମ୍ବାଇର ଗୋଟିଏ କଲ ସେଣ୍ଟରରେ ଏକାଠି କାମ କରୁଥିଲେ । କିନ୍ତୁ ଶ୍ରଦ୍ଧାଙ୍କ ପରିବାର ଲୋକଙ୍କୁ ଏହି ସମ୍ପର୍କ ପସନ୍ଦ ନଥିବାରୁ ଦୁହେଁ ଦିଲ୍ଲୀ ଆସି ଭଡ଼ା ଘରେ ରହୁଥିଲେ । ଦିଲ୍ଲୀ ଆସି ରହିବା ପରେ ଶ୍ରଦ୍ଧା ଲଗାତାର ଭାବେ ଫେସବୁକରେ ତାଙ୍କ ଫଟୋ ପୋଷ୍ଟ କରୁଥିଲେ । ଫଳରେ ସେ କେଉଁଠି ଅଛନ୍ତି ବୋଲି ତାଙ୍କ ଘର ଲୋକେ ଜାଣି ପରୁଥିଲେ । କିନ୍ତୁ ଶ୍ରଦ୍ଧା କିଛିଦିନ ପର୍ଯ୍ୟନ୍ତ ଫେସବୁକରେ କୌଣସି ଫଟୋ ଅପଲୋଡ ନ କରିବାରୁ ତାଙ୍କ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା । ପରେ ଶ୍ରଦ୍ଧାଙ୍କ ପିତା ଦିଲ୍ଲୀ ଆସି ଉକ୍ତ ଭଡ଼ା ଘରକୁ ଯାଇଥିଲେ ମଧ୍ୟ ସେଠାରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଝିଅ ନିଖୋଜ ଥିବା ନେଇ ଦିଲ୍ଲୀ ପୁଲିସରେ ମାମଲା ଦାୟର କରିଥିଲେ । ପୁଲିସ ଉକ୍ତ ଘଟଣାର ଯାଞ୍ଚ କରି ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି ।



