ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାତ ଧରା ଧରି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ

ତାଳଚେର: ଏକା ସାଥିରେ ହାତ ଧରା ଧରି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ । ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ । ହେଲେ ପଛରେ ଛାଡ଼ି ଗଲେ ବଢ଼ିଲା ଝିଅକୁ । ଏବେ ଝିଅ ମୁଣ୍ଡରୁ ଉଠିଯାଇଛି ବାପା ମା’ ଦୁଇଜଣଙ୍କ ହାତ । ଗୋଟେ ପଟେ ସ୍ବାମୀ ଶୋଇଛି ଆଉ ଆରପଟେ ସ୍ତ୍ରୀ । ସ୍ବାମୀ ସ୍ତ୍ରୀ ସିନା ଚାଲିଗଲେ ହେଲେ ସେମାନଙ୍କର ଗୋଟିଏ ବୋଲି ଝିଅ ଏବେ ଏକା ହୋଇଗଲା।
ହଁ ଆଜ୍ଞା, ସତରେ ମରଣ ଏମିତି ବି ଆସେ । ଗୋଟିଏ ଦୁର୍ଘଟଣା ବଦଳାଇ ଦେଲା ଜୀବନର ଗତିପଥ । ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଉଭୟ l ପରସ୍ପର ସୁଖରେ ଦୁଃଖରେ ସାଥୀ ହୋଇ ରହିବେ ବୋଲି ବ୍ରାହ୍ମଣ ପୁରୋହିତଙ୍କ ଆଗରେ ହୋମ ନିଆଁକୁ ସାକ୍ଷୀ ରଖି ଶପଥ ନେଇଥିଲେ l ବିବାହ ପରେ ବେଶ୍ ହସଖୁସିରେ ଘର ସଂସାର ଚାଲିଥିଲା l ହେଲେ ବିଧିର ବିଧାନ ବଡ଼ ବିଚିତ୍ର l ସେମାନଙ୍କ କପାଳରେ ଅନ୍ୟ କିଛି ଲେଖାଥିଲା । ବେଦିର ଶପଥ ମରଣ ଯାଏ ବରଣକୁ ସେମାନେ ସତ କରି ଦେଲେ ।
ତାଳଚେର ସହର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଡାଳ ପେଟ୍ରୋଲ ପମ୍ପ ନିକଟରେ ଘଟଗଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ପତି-ପତ୍ନୀ ପ୍ରାଣ ହରାଇଛନ୍ତି । ଆଜି ଅପରାହ୍ନରେ ଏହି ଦମ୍ପତି ବାଇକ୍ରେ ତାଳଚେର ସହର ପାଖରୁ ନିଜ କାର୍ଯ୍ୟ ସାରି ସମଲ ଆଡ଼କୁ ଯାଉଥିବା ସମୟରେ କଣ୍ଡାଳ ନିକଟରେ ଥିବା ପେଟ୍ରୋଲ ପମ୍ପ ଠାରେ ଗାଡ଼ିରେ ତେଲ ପକାଇବାକୁ ଯାଉଥିଲେ ହେଲେ ହଠାତ୍ କାଳରୂପୀ ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ଜୀବନ ଚାଲିଯାଇଥିଲା ।
ମୃତକ ସ୍ବାମୀ ସ୍ତ୍ରୀ ହେଲେ ସମଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ମଦନ ମୋହନ ସାହୁ ଏବ ପତ୍ନୀ ଚତୁରୀ ସାହୁ। ଘଟଣା ସ୍ଥଳରେ ଦୁର୍ଘଟଣାକୁ ନେଇ ଚାପା ଉତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କରିଥିଲେ ପରିବାର ଲୋକ ସହ ସ୍ଥାନୀୟ ଲୋକେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡି ମୋଟର ଅଟକି ରହିଥିଲା । ପରେ ତାଳଚେର ପୋଲିସ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ବୁଝା ସୁଝା କରିଥିଲେ । ଏହାସହ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ କଣିହାଁ ଅଂଚଳରୁ ଜବତ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଗାଡି ଚଳାଚଳ ମଧ୍ୟ ସ୍ବାଭାବିକ ହୋଇଥିଲା ।

