ବିଚାର

ପଶ୍ଚିମ ଓଡିଶାର ଅନ୍ୟତମ ପୁରାତନ ଶୈବପୀଠ ବାବା ବୈଦ୍ୟନାଥ ବା କୋଶଳେଶ୍ଵର

ସୋନପୁର ବ୍ଲକ ହରଡଖୋଲ ପଞ୍ଚାୟତର ବୈଦ୍ୟନାଥ ଗାଁରେ ପୂଜା ପାଇଆସୁଛନ୍ତି ବାବା ବୈଦ୍ୟନାଥ ବା କୋଶଳେଶ୍ଵର । ଏହି ଶୈବପୀଠ ପଶ୍ଚିମ ଓଡିଶାର ଅନ୍ୟତମ ପୁରାତନ ଶୈବପୀଠ । ନବମ ଶତାବ୍ଦୀର ଶେଷ ଭାଗରେ ସୋମବଂଶୀ ରାଜା ଜନ୍ମେଜୟ ମହାଭାବଗୁପ୍ତଙ୍କ ଦ୍ଵାରା ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା । ଏହି ମନ୍ଦିର ଓଡିଆ ଶିଳ୍ପକଳାର ଏକ ପ୍ରତୀକ । ପାର୍ଶ୍ବଦେବଦେବୀଙ୍କ ମୂର୍ତ୍ତି ମଧ୍ୟ ସମାନ ଢଙ୍ଗରେ ନିର୍ମିତ । ମନ୍ଦିର ଭିତରେ ରହିଛି ୨୮ଟି ତାନ୍ତ୍ରିକ ପୋଡାଇଟା । ସୂକ୍ଷ୍ମ କାରୁକାର୍ଯ୍ୟରେ ମନ୍ଦିରର ପ୍ରବେଶ ଦ୍ଵାର ସୁଶୋଭିତ ।

ମୁଖଶାଳାରେ ଅପୂର୍ବ ଠାଣିରେ ଦର୍ପଣ ଦେଖୁଥିବା ନାରୀ, ପ୍ରେମିକ ପ୍ରେମିକା, ନାଗକନ୍ୟା, ପରିକନ୍ୟା, ଗଣେଶ, କାର୍ତ୍ତିକେଶ୍ଵର, ଶିବ ପାର୍ବତୀ, ଶୁକସାରୀ, ହରିହର, ଦ୍ଵାରପାଳ, ନାଗରାଜ ଓ ଗଣଦେବୀଙ୍କ ମୂର୍ତ୍ତି ରହିଛି । ଏତତ୍ ବ୍ୟତୀତ ମନ୍ଦିର ସମୁଖ ଭାଗରେ ଶୋଭା ପାଉଛନ୍ତି ନବଗ୍ରହ । ଏହି ମନ୍ଦିର କୋଣାର୍କ ଓ ଲିଙ୍ଗରାଜ ମନ୍ଦିରର କାରୁକାର୍ଯ୍ୟ ସହ ପ୍ରାୟ ସମାନ । କିମ୍ୱଦନ୍ତୀ କହେ ତେଲନଦୀ କୂଳରେ ଥିଲା ଛୋଟ ଛୋଟ ଜନବସତି । ଲୋକମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ବିକଳରେ ଦେବ ଦେବ ମହାଦେବଙ୍କୁ ଡାକୁଥିଲେ ।

ଦିନକର ଘଟଣା ବୈଦ୍ୟ ବେଶରେ ବାବା ଭୋଳାନାଥ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝି ଜଙ୍ଗଲରୁ ଚେରମୂଳି ଆଣି ଦେଇଥିଲେ । ଲୋକମାନେ ଏହି ଚେରମୂଳି ଖାଇ ଆରୋଗ୍ୟ ମଧ୍ୟ ହେଲେ । ଦିନେ ବୈଦ୍ୟରାଜ ତେଲନଦୀ କୂଳ ପଥର ଚଟାଣରେ ବସି ଚାରିଜଣ ଲୋକଙ୍କୁ ଔଷଧ ଦେଉଥିବା ସମୟରେ ହଠାତ୍ ଅନ୍ତର୍ଦ୍ଧାନ ହୋଇଗଲେ । କିଛି ସମୟପରେ ପଥର ଉପରେ ସ୍ବୟଂ ଶିବଲିଙ୍ଗ ଆବିର୍ଭାବ ହୋଇଥିଲେ । ଏହି କଥା ରାଜାଙ୍କ କାନକୁ ଗଲା । ରାଜା ସେଠାରେ ମନ୍ଦିର ନିର୍ମାଣ କରି ଠାକୁରଙ୍କୁ ପୂଜା ଆରାଧନା କରିଥିଲେ ।

ସେହିଦିନଠାରୁ ବାବା ବୈଦ୍ୟନାଥ ନାମରେ ନାମିତ ହେଲେ । ୩ ଏକର ଯାଗାରେ ର୍ନିିର୍ମିତ ହୋଇଛି ବୈଦ୍ୟନାଥଙ୍କ ମନ୍ଦିର । ଦୈନିକ ଭୋଗ ଲାଗି ପାଇଁ ୨୨ ଏକର ଚାଷ ଜମି ବି ରହିଛି । ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରର ରକ୍ଷଣାବେକ୍ଷଣ କରାଯାଉଥିବା ବେଳେ ନୀତିକାନ୍ତି ପାଇଁ ମାଳି ସମ୍ପ୍ରଦାୟର ଲୋକଙ୍କୁ ଦାୟିତ୍ଵ ଦିଆଯାଇଛି । ରାଶିଲଡୁ, ପେଡା, ଖିରି, ଖେଚୁଡି ବାବାଙ୍କର ଅତିପ୍ରିୟ । ବୈଦ୍ୟନାଥ ବାବାଙ୍କର ରହିଛି ଅନେକ ଅଲୌକିକ ମହିମା । ଏଠାରେ ମାନସିକ କରି ବାବାଙ୍କ ପାଦୁକା ପାଇଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ବୈଦ୍ୟନାଥର କୋଶଳେଶ୍ଵର ମନ୍ଦିରକୁ ଆସିବାକୁ ହେଲେ ସୋନପୁର ବସଷ୍ଠାଣ୍ଡରୁ ସୋନପୁର -ବଲାଙ୍ଗିର ରାସ୍ତାର ହରଡଖୋଲ ଛକର ଉତ୍ତର ଦିଗକୁ ୫ କିଲୋମିଟର ଗଲେ ପଡେ ଏହି ପୁରାତନ ଶୈବପୀଠ । ବୌଦ୍ଧ- କଣ୍ଟାମାଳ ରାସ୍ତାରେ ଆସିଲେ ପଲସାଗୋରା ହାଇସ୍କୁଲ ଛକରୁ ଗବଯୋରୀ ରାସ୍ତାରେ ତେଲ ନଦୀ ବ୍ରିଜ ପାର ହୋଇ ଆସିବାକୁ ପଡିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button