ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାରେ କିପରି ଉପକୃତ ହେବେ କାରିଗର ? – Utkal Mail
ନୂଆଦିଲ୍ଲୀ : ଆଜି ପବିତ୍ର ବିଶ୍ବକର୍ମା ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କାରିଗର ଓ ଶିଳ୍ପକାର ମାନଙ୍କପାଇଁ ପିଏମ୍ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ଆସିଥିବା ବିଶ୍ବକର୍ମା (କାରିଗର ଓ ଶିଳ୍ପକାର) ମାନଙ୍କୁ ସମ୍ବୋଧିତ କରିଥିଲେ ।
ପିଏମ୍ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ସମସ୍ତ କାରିଗର ଓ ଶିଳ୍ପୀଙ୍କୁ ତାଲିମ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଶିକ୍ଷଣ ସମୟରେ ପ୍ରତ୍ୟେକ କାରିଗରଙ୍କୁ ସରକାର ଦୈନିକ ୫୦୦ ଟଙ୍କା ଭତ୍ତା ଦେବେ। ଆଧୁନିକ ଉପକରଣ ପାଇଁ ୧୫ ହଜାର ଟଙ୍କା ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାର ବିନା ଗ୍ୟାରେଣ୍ଟିରେ ବ୍ୟବସାୟ ଆରମ୍ଭ କରିବାକୁ ଟଙ୍କା ଦେବେ। ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ଏବଂ ଏହାର ସୁଧ ମଧ୍ୟ କମ୍ ରହିବ । ପ୍ରଥମ ଥର ପାଇଁ ନୂଆ ଉପକରଣ ନେଲେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଏହାକୁ ପରିଶୋଧ କରିବା ପରେ ୨ ଲକ୍ଷ ଟଙ୍କାର ଋଣ ଦିଆଯିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଟେକ୍ନୋଲୋଜି ସହ ପରମ୍ପରା ମିଶେ, ସେତେବେଳେ ଚମତ୍କାର ହୋଇଥାଏ । ଏହାର ଚମତ୍କାର ଜି-୨୦ କ୍ରାଫ୍ଟ ବଜାରରେ ଦେଖିବାକୁ ମିଳିଥିଲା । ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଦେଶୀ ଅତିଥିମାନଙ୍କୁ କେବଳ ବିଶ୍ୱକର୍ମା ସାଥୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପହାର ଭାବରେ ଦିଆଯାଇଥିଲା । ଲୋକାଲ କିଣିବା ଅର୍ଥ କେବଳ ଦୀପାବଳି ଦୀପ କିଣିବା ନୁହେଁ, ବରଂ ଶ୍ରମିକମାନଙ୍କ ରକ୍ତ ଓ ଝାଳର ଗନ୍ଧ ଆସୁଥିବା ପ୍ରତ୍ୟେକ ଛୋଟ ବଡ଼ ଜିନିଷ କୁ ଅନ୍ତର୍ଭୁକ୍ତ କରାଯାଇଥାଏ ।