ଓଡ଼ିଶା ଚାଷୀଙ୍କୁ ମିଳିଲା ଦିଲ୍ଲୀରୁ ଡକରା: ସ୍ୱାଧୀନତା ଦିବସ ସମାରୋହରେ ହେବେ ସ୍ୱତନ୍ତ୍ର ଅତିଥି – Utkal Mail
ଭୁବନେଶ୍ବର: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୭୭ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବହୁ ଚାଷୀ, ମତ୍ସ୍ୟଜୀବୀ, ମନରେଗା ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ।
ଓଡ଼ିଶାରୁ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରୁ ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ୍ ଅନ୍ତର୍ଗତ ଚାଉଳଶୁଖା ଗ୍ରାମର ମହିଳା ଚାଷୀମାନେ ନାରୀ ସଶକ୍ତୀକରଣର ପରାକାଷ୍ଠା ଦେଖାଇଛନ୍ତି। ଏମାନେ କୃଷକ ଉତ୍ପାଦକ ସଂଗଠନ ତିଆରି କରି କପା ଉତ୍ପାଦନ ଓ କାର୍ପାସ ସାମଗ୍ରୀର ସଫଳ ବିପଣନ କରି ଭଲ ରୋଜଗାର କରିବା ସହ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ପ୍ରଥମେ ଏହି ଗ୍ରାମର ୧୦ଜଣ ମହିଳା ମିଶି ଏକ କୃଷକ ଉତ୍ପାଦକ ସଂଗଠନ ତିଆରି କରିଥିଲେ। ପରବର୍ତ୍ତୀ ସମୟରେ ସଦସ୍ୟ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଥିଲା। ପ୍ରତି ମହିଳା ୨ହଜାର ଟଙ୍କା ଲେଖାଏଁ ଜମା କରି ମହାଶକ୍ତି ଫାଉଣ୍ଡେସନ ମାଧ୍ୟମରେ ନାବାର୍ଡର ସହାୟତା ଲୋଡ଼ିଥିଲେ। ନାବାର୍ଡ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଏହି ସଂଗଠନ ୧୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। ପରେ କୃଷକ ଉତ୍ପାଦକ ସଂଗଠନ ନିଜର କୃଷି ଉତ୍ପାଦନ ସାମଗ୍ରୀ ତଥା କପାକୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବିକ୍ରି କରି ଯଥେଷ୍ଟ ଲାଭ ପାଇଥିଲେ। ସେମାନେ ଚଳିତବର୍ଷ ୭୭ଲକ୍ଷ ଟଙ୍କା ସଞ୍ଚୟ କରିପାରିଛନ୍ତି ଏବଂ ଆସନ୍ତା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନିମନ୍ତ୍ରଣ ପାଇଥିବାରୁ ସଂଗଠନ ସଦସ୍ୟା ସରସ୍ୱତୀ ମେହେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ଅନ୍ତର୍ଗତ କାଣ୍ଡାପା ଗ୍ରାମରୁ ଦିଲ୍ଲୀ ଯାତ୍ରା କରିବେ ଅନୁସୂଚିତ ଜନଜାତି ଚାଷୀ ମିନୁରା ପ୍ରଧାନ। ଦିଲ୍ଲୀର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ର ସରକାର ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ଏହି ଅଞ୍ଚଳର ଜଣେ ଚାଷୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ମିନୁରା ପ୍ରଧାନ ପତ୍ନୀ ନିମନ୍ତି ପ୍ରଧାନଙ୍କ ସହ ଦିଲ୍ଲୀ ଯିବେ। ମିନୁରା ହଳଦୀ ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ସେହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ଚାଷୀ ରୂପେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ସେ ବର୍ତ୍ତମାନ ଦାରିଙ୍ଗିବାଡ଼ି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନି ଲିମିଟେଡ୍ର ଅଧ୍ୟକ୍ଷ ଅଛନ୍ତି। ଏହି ପ୍ରଡ୍ୟୁସର ଗ୍ରୁପ୍ ଦିଲ୍ଲୀରେ ଏକାଧିକ ଥର ମେଳାରେ କନ୍ଧମାଳ ହଳଦୀ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରିବଟା କରିଥିବା ବେଳେ ଗତ ଫେବ୍ରୁଆରିରେ ଅନୁଷ୍ଠିତ ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କମ୍ପାନିଠାରୁ ଦାରିଙ୍ଗିବାଡ଼ି କଫି କିଣିଥିଲେ।
ଅନୁରୂପ ଭାବେ ପିପିଲି-୪ ଏସ୍ଆର୍ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନି ସଦସ୍ୟମାନେ ଦିଲ୍ଲୀ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଛତୁ ଚାଷରେ ସଫଳତା ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ। ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ଶାନ୍ତି ମୈଦାନ ନିକଟରେ ୧୦ ଜଣ ସଦସ୍ୟ ମିଶି ଏହି କମ୍ପାନି ପ୍ରତିଷ୍ଠା କରିଛନ୍ତି। ଏହି କମ୍ପାନି ମାଧ୍ୟମରେ ଆଖପାଖର ଚାଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବକମାନେ ପାଳଛତୁ ଚାଷ କରି ଭଲ ରୋଜଗାର କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି କମ୍ପାନିର ସଦସ୍ୟମାନେ ଛତୁ ବିହନ ପ୍ରସ୍ତୁତ କରି ଚାଷୀଙ୍କୁ ଯୋଗାଇ ଆସୁଛନ୍ତି। ୨୦୦ ଗ୍ରାମ୍ର ଛତୁ ବିହନକୁ ମାତ୍ର ୧୫ ଟଙ୍କାରେ ଚାଷୀମାନଙ୍କୁ ଦିଆଯାଇଥାଏ। କେବଳ ଏତିକି ନୁହେଁ ଚାଷୀମାନେ କିଭଳି ଏଥିରେ ଲାଭବାନ ହେବେ ସେଥିପାଇଁ ମଧ୍ୟ କମ୍ପାନି ପ୍ରଶିକ୍ଷଣ ଦେଉଛି। ସ୍ୱାଧୀନତା ଦିବସ ଉତ୍ସବକୁ ନିମନ୍ତ୍ରଣ ଲାଗି କମ୍ପାନିର ସଦସ୍ୟ ସଂଜିତ କୁମାର ମହାନ୍ତି ଓ ଅଶ୍ୱିନୀ କୁମାର ପାଣ୍ଡେ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।