ଓଡିଶା

ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ଫଳାଫଳ ପ୍ରକାଶ, ସମଗ୍ର ଉତ୍ତର ଓ ପୂର୍ବ ଭାରତରେ ଶ୍ରେଷ୍ଠ ସ୍ଥାନରେ କିଟ୍‍ ଓ ଦେଶର ୮ମ ସ୍ଥାନରେ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତବର୍ଷ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ଫଳାଫଳ ପ୍ରକାଶ ପାଇଛି । ବୁଧବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗରେ ପୂର୍ବବର୍ଷଗୁଡ଼ିକ ଭଳି ଏବର୍ଷ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ଅତି ଉନ୍ନତ ପ୍ରଦର୍ଶନ କରିଛି । ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୮୪ ତମ ସ୍ଥାନରେ ରହିଛି ।

ଏହା ସହ କିଟ୍‍ ଦେଶର ସମଗ୍ର ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ୮ମ ସ୍ଥାନରେ ରହିଥିବା ବେଳେ ସମଗ୍ର ଉତ୍ତର ଓ ପୂର୍ବ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ଗତବର୍ଷ ଏହି ରାଙ୍କିଙ୍ଗରେ କିଟ୍‍ ଏସିଆ ମହାଦେଶର ଶ୍ରେଷ୍ଠ ୧୯୬ତମ ସ୍ଥାନରେ ରହିଥିଲା । ଏହା ସହିତ ଟାଇମ୍‍ସ ହାଇଅର ଏଜୁକେସନ୍‍ ଦ୍ୱାରା କରାଯାଇଥିବା ସ୍ପୋର୍ଟସ ସାଇନ୍‍ସ ବର୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି ।

ଶିକ୍ଷାଦାନ, ଗବେଷଣା, ଜ୍ଞାନ ବିନିମୟ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ଚଳିତବର୍ଷ ଟାଇମ୍‍ସ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଙ୍ଗ କରାଯାଇଥିଲା। ଚଳିତବର୍ଷ ଆଲିଗଡ଼ ମୁସଲିମ୍‍ ୟୁନିଭରସିଟି (୧୮୮), ଏନ୍‍ଆଇଟି ରାଉରକେଲା (୧୯୧), ଆଇଆଇଟି ପାଟନା (୧୯୧), ରହିଥିବା ବେଳେ ବିଏଚ୍‍ୟୁ, ବିଟ୍‍ସ ପିଲାନି, ଜେଏନ୍‍ୟୁ, ଲଭଲି ପ୍ରଫେସନାଲ୍‍ ବିଶ୍ୱବିଦ୍ୟାଳୟ, ଭିଆଇଟି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୨୦୧-୨୫୦ ଓ ଏସ୍‍ଆରମ୍‍ (୪୦୧-୫୦୦) ସ୍ଥାନରେ ଅଛନ୍ତି। ଏଥର କିଟ୍‍ ଦେଶର ଏହି ସବୁ ଲବ୍‍ଧ ପ୍ରତିଷ୍ଠିତ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ପଛରେ ପକାଇ କରି ବେଶ ଭଲ ପ୍ରଦର୍ଶନ କରିଛି।

ଗତ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠିତ ଏସିଆର ଲବ୍‍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ଟାଇମ୍‍ସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ଏହି ଚୟନ ପ୍ରକ୍ରିୟା କରାଯାଇଛି । କିଟ୍‍ ମାତ୍ର ୨୭ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ମାତ୍ର ୨୧ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଦେଶରେ ଅଷ୍ଟମ ଓ ଏସିଆରେ ୧୮୪ତମ ସ୍ଥାନରେ ରହି ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିପାରିଛି। ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‍ ଓ କିସ୍‍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ କିଟ୍‍ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button