ଓଡିଶା

ହୋଡିଂ ହେଉଛି ଗେରୁଆ: ହଟିଲେ ନବୀନ, ସ୍ଥାନ ପାଇଲେ ମୋଦୀ, ମାଝୀ

ନ୍ଦ୍ରଶେଖରପୁର: ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡିଂରୁ ହଟୁଛି ସବୁଜ ରଙ୍ଗ। ଗେରୁଆ ହେଉଛି ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ଲାଗିଥିବା ହୋଡିଂ। କେବଳ ସେତିକି ନୁହେଁ, ସବୁଜ ପ୍ୟାଚ୍ ପଡ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ବି ହଟାଇ ଦିଆଯାଇଛି। ଯେଉଁ ସ୍ଥାନରେ ନବୀନଙ୍କ ଫଟୋ ଥିଲା, ସେଠାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋ ଲଗାଯାଉଛି।

ଯେଉଁ ହୋର୍ଡିଂରେ ୫-ଟି ଲୋଗୋ ଲାଗିଥିଲା, ତାହା ଉପରେ ଗେରୁଆ ରଙ୍ଗ ବୋଳାଯାଇ ସମ୍ପୂର୍ଣ୍ଣ ହୋଡିଂକୁ ଗେରୁଆ ରଙ୍ଗ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ପୂର୍ତ୍ତ ବିଭାଗ ପକ୍ଷରୁ ରାଜଭବନ ଛକରୁ ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବରେ ଥିବା ହୋଡିଂରେ ଏଭଳି ସଂଶୋଧନ ହୋଇଛି।

କଳିଙ୍ଗ ଷ୍ଟାଡିୟମ୍ ଟ୍ରାଫିକ୍ ଛକରେ ଥିବା ହୋଡିଂରେ ନିକୋ ପାର୍କ ରାସ୍ତା, ଜୟଦେବ ବିହାର ରାସ୍ତା ଆଦି ସମ୍ପର୍କରେ ଯେଉଁଠାରେ ଲେଖାଯାଇଛି, ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଫଟୋ ତଳେ ରହିଛି। ହୋଡିଂର ଉପର ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିଛି। ‘ଏହି ରାସ୍ତା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ। ଏହାର ଉପଯୁକ୍ତ ଯତ୍ନ ନେବା ଆମ ସମସ୍ତଙ୍କ ଦାୟିତ୍ବ’ ପୂର୍ବ ସରକାରଙ୍କ ସମୟରେ ଲେଖାଯାଇଥିବା ଏଭଳି ବାର୍ତ୍ତା ବର୍ତ୍ତମାନର ବିଜେପି ସରକାରଙ୍କ ହୋଡିଂରେ ମଧ୍ୟ ଦେଖିବାକୁ ମିଳୁଛି। କେବଳ ପୂର୍ତ୍ତ ବିଭାଗ ନୁହେଁ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋଡିଂରେ ଅନୁରୂପ ଭାବେ ସଂଶୋଧନ କରାଯାଇଛି। ସବୁ ହୋଡିଂରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି। ତେବେ ସହରର ବିଭିନ୍ନ ବସ୍ତିରେ ଲାଗିଥିବା ଜାଗା ମିସନ, ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପରି ହୋର୍ଡିଂରେ ଏପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ। ପୂର୍ବଭଳି ସେଥିରେ ସବୁଜ ରଙ୍ଗ ଶୋଭାପାଉଛି। କେତେକ ସ୍ଥାନରେ ହୋର୍ଡିଂଗୁଡ଼ିକରେ ନବୀନଙ୍କ ଫଟୋରେ ପ୍ୟାଚ୍ ପଡ଼ିବା ବ୍ୟତୀତ ଆଉ କୌଣସି ପରିବର୍ତ୍ତନ ଆସିନାହିଁ। କାଳବୈଶାଖୀ ପବନ ଦ୍ବାରା କେତେକ ସ୍ଥାନରେ ହୋର୍ଡିଂ ପ୍ରଭାବିତ ହୋଇଥିଲେ ମଧ୍ୟ ସେଥିରେ ପୁରୁଣା ସରକାରଙ୍କର ସନ୍ତକ ରହିଥିବାରୁ, ତାହାର ମରାମତି କରାଯାଉ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button