‘ହଲଦୀରାମସ୍ ନମକିନ୍’କୁ ହାତକୁ ନେବ ଟାଟା ଗ୍ରୁପ୍, ୫୧% ଅଂଶଧନ କ୍ରୟ ପାଇଁ ଦେବ ୪୨,୩୯୪ କୋଟି – Utkal Mail
ମୁମ୍ବାଇ: ଟାଟା ଗ୍ରୁପ୍ ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ୮.୨ ଲକ୍ଷ କୋଟି ଟଙ୍କାର ରିଲାଏନ୍ସ ରିଟେଲ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିପାରେ! କାରଣ ଏହା ଲୋକପ୍ରିୟ ଭାରତୀୟ ନମକିନ୍ ଖାଦ୍ୟ ନିର୍ମାତା ହଲଦୀରାମସ୍’ର ୫୧% ଅଂଶଧନ ଅଧିଗ୍ରହଣ କରିବାକୁ କଥାବାର୍ତ୍ତା ଆରମ୍ଭ କରିଛି।
ଏକ ରିପୋର୍ଟ ଅନୁଯାୟୀ, ହଲଦୀରାମସ୍ କମ୍ପାନିର ମୂଲ୍ୟ ୮୩,୧୨୬ କୋଟି ଟଙ୍କା ରହିଛି। ଅର୍ଥାତ୍ ହଲଦୀରାମସକୁ ନିୟନ୍ତ୍ରଣ କରିବାକୁ ହେଲେ ଟାଟା ଗ୍ରୁପକୁ ୪୨,୩୯୪ କୋଟି ଟଙ୍କା ଦେବାକୁ ପଡ଼ିବ। ଏହି ଚୁକ୍ତି ସଫଳ ହେଲେ ଟାଟା ଗ୍ରୁପ୍ ସିଧାସଳଖ ପେପ୍ସିକୋ ଓ ରିଲାଏନ୍ସ ରିଟେଲକୁ ଟକ୍କର ଦେବ। ରିପୋର୍ଟରେ କୁହାଯାଇଛି ଯେ ଟାଟା ୫୧% ରୁ ଅଧିକ ଅଂଶଧନ କିଣିବାକୁ ଆଗ୍ରହୀ।
ଉଲ୍ଲେଖଯୋଗ୍ୟ, ହଲଦୀରାମ ୧୯୩୭ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହାର ମୁସୁମୁସିଆ (କ୍ରିସ୍ପି) ‘ଭୁଜିଆ’ ସ୍ନାକ୍ସ ବଜାରରେ ଖୁବ୍ ଲୋକପ୍ରିୟ ହୋଇଥିଲା।
ଭାରତର ସ୍ନାକ୍ସ ବଜାରରେ ହଲଦୀରାମସ୍’ର ପ୍ରାୟ ୧୩% ଅଂଶ ରହିଛି ଯାହାର ମୂଲ୍ୟ ୬.୨ ବିଲିୟନ ଡଲାର। ଅପରପକ୍ଷରେ ଲେ’ଜ୍ ଚିପ୍ସ ନିର୍ମାତା ପେପ୍ସିର ମଧ୍ୟ ପ୍ରାୟ ୧୩% ଅଂଶ ରହିଛି।
ତେବେ, ହଲଦୀରାମସ୍ କେବଳ ଭାରତୀୟ ବଜାରର ଚାହିଦାକୁ ପୂରଣ କରେ ନାହିଁ। ସିଙ୍ଗାପୁର ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିଦେଶୀ ବଜାରରେ ଏହି ବ୍ରାଣ୍ଡ ଭଲ ବିକ୍ରି ହୋଇଥାଏ। ସମଗ୍ର ବିଶ୍ୱରେ ଏହାର ୧୫୦ରୁ ଅଧିକ ରେସ୍ତୋରାଁ ରହିଛି।
ଟାଟା ଗ୍ରୁପର କଂଜ୍ୟୁମର ୟୁନିଟ୍ ଚା, ଲୁଣ, ଡାଲି ଏବଂ ମିନେରାଲ ୱାଟର ସମେତ ଅନେକ ଉତ୍ପାଦ ଉପଲବ୍ଧ। ହଲଦୀରାମକୁ ଦଖଲ କରିବା ଟାଟା ଗ୍ରୁପକୁ ଏହାର ଉତ୍ପାଦ ପହଞ୍ଚକୁ ବିସ୍ତାର କରିବାରେ ଯଥେଷ୍ଟ ସାହାଯ୍ୟ କରିବ। ରିପୋର୍ଟ ଅନୁଯାୟୀ, ହଲଦୀରାମର ଆୟ ଏବେ ୧.୫ ବିଲିୟନ ଡଲାର ପାଖାପାଖି ରହିଛି।