ମନୋରଞ୍ଜନ

ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ: ନାଁ ଯେମିତି… ସ୍ୱାଦ ବି ସେମିତି, ଯିଏ ଖାଇଛି ସିଏ ଜାଣିଛି

ଭୁବନେଶ୍ୱର : ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ ।   ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି ।   ଦହିବରା ଆଳୁଦମ୍‌ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିବରା.. ନାମ ଯେମିତି ସ୍ବାଦ ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ହେଲେ କଟକରେ ମିଳୁଥିବା ଦହିବରା ଆଳୁଦମ୍‌ର ସୁଆଦ ଟିକେ ନିଆରା । ଏଠାକାର ଲୋକ ଦହିବରା ଆଳୁଦମ୍‌ ଖାଇବାକୁ ଖୁବ ଭଲ ପାଆନ୍ତି। ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ  । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ୱାଦ କେତେ ଭଲ ।

ଦହିବରା ଆଳୁଦମ୍‌ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଳିଥାଏ  । ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଏହି ଦିବସ । ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଇଛନ୍ତି । ବିଶେଷ କରି ଦହିବରା ଆଳୁଦମ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କଟକ ସହରର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ହେବା ସହିତ ଲୋକେ ମଧ୍ୟ ଏହାର ମଜା ଉଠାଇଛନ୍ତି।

ଭୁବନେଶ୍ଵରରେ ମଧ୍ୟ ଦହିବରା ଆଳୁଦମ୍‌ର ବେଶ ଚାହିଦା ରହିଛି । ରାଜଧାନୀ ଲୋକ ମଧ୍ୟ ଦହିବରା ଆଳୁଦମ୍‌କୁ ଖାଇବାକୁ ପସନ୍ଦ କରନ୍ତି । ଏଠାରେ ମଧ୍ୟ ବିଭିନ୍ନ ସ୍ଥାନରେ ସୁଆଦିଆ ଦହିବରା ଆଳୁଦମ୍‌ ମିଳିଥାଏ । ଯିଏ ଥରେ ଦହିବରା ଆଳୁଦମର ମଜା ନେଇଛି, ସେ ବାରମ୍ବାର ଆକୁ ହିଁ ଖୋଜିଛି ।

ଏମିତି ତିଆରି ହୁଏ ଦହିବରା: ରାତିରୁ ବିରି ବାଟି ରଖିଥାନ୍ତି ବ୍ୟବସାୟୀ । ଏହାପରେ ଠିକ ୨ଟା ବାଜିଲେ ବେପାରୀର ନିଦ ଭାଙ୍ଗିଯାଇଥାଏ । କାରଣ ବରା ହୋଇ ଦହି ପାଣିରେ ଭିଜିଲେ ହିଁ ପ୍ରକୃତ ମଜା ଆସିବ । ବରାକୁ ଛଣାହେବା ପରେ କିଛି ସମୟ ଦହି ମିଶା ଲୁଣ ପାଣିରେ ପକାଇ ଦିଆଯାଇଥାଏ । ଏହାପରେ ଭୃଷୁଙ୍ଗା ପତ୍ରକୁ ଭାଜି ଧନିଆ ପତ୍ର, ଲଙ୍କା, ପିଆଜ, ଜିରା, ସୋରିଷରେ ଫୁଟଣ କରାଯାଇଥାଏ ।  ଏହାପରେ ଗୁଗୁନି ଏବଂ ନାଲିଆ ସାଙ୍ଗକୁ ରାଗ ଆଳୁଦମ ତିଆରି କରାଯାଇଥାଏ । ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ଶେଷ ପରେ ସକାଳୁ ରାସ୍ତା କଡରେ ଲାଗେ ଠେଲା । ଆଉ ଦହିବରା ବାସ୍ନାରେ ଛାଇ ଯାଆନ୍ତି ଗ୍ରାହକ ।  ଆଉ ତା’ ଉପରେ ଚୁନ ଚୁନ କଟା ହୋଇଥିବା ପିଆଜ, ସେଉ, କଞ୍ଚାଲଙ୍କା, ଧନିଆପତ୍ର, ବିଟ୍‌ ଲୁଣକୁ ଟିକେ ଚାଟ୍‌ ମସାଲା ଦେଇ ପରସା ଦିଆଯାଏ ।  ଯାହା ଆଳୁଦମର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ରାଗ ରାଗ ଦହିବରା ସାଙ୍ଗକୁ ଶେଷରେ ଦହିପାଣି ଆହା ଆତ୍ମା ଶାନ୍ତି ହୋଇଗଲା ଭଳି ଲାଗିଥାଏ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button